ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ

କଳିଙ୍ଗନଗର, ଏପ୍ରିଲ ୧୪, ୨୦୨୬: ଅଗ୍ନିଶମ କର୍ମଚାରୀଙ୍କ ତ୍ୟାଗ ଏବଂ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପରିସରରେ ‘ଜାତୀୟ ଅଗ୍ନିଶମ ସେବା ସପ୍ତାହ’ର ଶୁଭାରମ୍ଭ କରାଯାଇଛି। ସେବା ବେଳେ ସର୍ବୋଚ୍ଚ ବଳିଦାନ ଦେଇଥିବା ଶହୀଦ ଅଗ୍ନିଶମ ବାହିନୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।ଟାଟା ଷ୍ଟିଲ୍ କଳିଙ୍ଗନଗର ପରିସରରେ ଥିବା ସେଣ୍ଟ୍ରାଲ୍ ଫାୟାର୍ ଷ୍ଟେସନଠାରେ ଆୟୋଜିତ ଉଦ୍‌‌ଘାଟନୀ ସମାରୋହରେ ଟିଏସକେର ଅପରେସନ୍ସ ଭାଇସ୍ ପ୍ରେସିଡେଣ୍ଟ ଉତ୍ତମ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସହିଦମାନଙ୍କୁ ସ୍ମରଣ କରିଥିଲେ। କଳିଙ୍ଗନଗର ଅଗ୍ନିଶମ ଓ ସୁରକ୍ଷା ବିଭାଗ ସମନ୍ୱୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ଏକ ‘ଅଗ୍ନି ସୁରକ୍ଷା ସଚେତନତା ରଥ’ର ଶୁଭାରମ୍ଭ କରାଯାଇଥିଲା। ସେହିପରି ନୀଳାଚଳ ଇସ୍ପାତ ନିଗମଠାରେ ଆୟୋଜିତ ଉତ୍ସବରେ ସପ୍ଲାଇ ଚେନ୍ ମୁଖ୍ୟ ସୁଶାନ୍ତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଉଭୟ ସ୍ଥାନରେ ଆୟୋଜିତ ଏହି ସମାରୋହରେ ଉପସ୍ଥିତ ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ଅଗ୍ନି ସୁରକ୍ଷା ସମ୍ପର୍କିତ ଶପଥ ପାଠ କରିଥିଲେ। ଏହା ପରେ ଅଗ୍ନିଶମ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ଦ୍ୱାରା ଅଗ୍ନିଶମ ଏବଂ ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ ପ୍ରଦର୍ଶନ କରାଯାଇଥିଲା। ଏହି ଅଗ୍ନିଶମ ସପ୍ତାହ ପାଳନ ଅବସରରେ ଟିଏସକେ ଏବଂ ଏନଆଇଏନଏଲ ପକ୍ଷରୁ କର୍ମଚାରୀ, ଟାଉନସିପ୍ ବାସିନ୍ଦା, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପାଇଁ କୁଇଜ୍‌, ସଚେତନତା ଶିବିର ଏବଂ ସୂଚନାପତ୍ର ବଣ୍ଟନ ଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି। ଏହାବ୍ୟତୀତ, ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନା ପରିସରରେ ଏକ ଅଗ୍ନିଶମ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯିବ, ଯେଉଁଥିରେ ଅଗ୍ନିଶମ ଏବଂ ଉଦ୍ଧାର ଅଭିଯାନରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତି ପ୍ରଦର୍ଶିତ ହେବ।ପ୍ରତିବର୍ଷ ଏପ୍ରିଲ ୧୪ ତାରିଖକୁ ଜାତୀୟ ଅଗ୍ନିଶମ ସେବା ଦିବସ ଭାବେ ପାଳନ କରାଯାଏ। ୧୯୪୪ ମସିହାରେ ମୁମ୍ବାଇ ବନ୍ଦରରେ ‘ଏସଏସ ଫୋର୍ଟ ଷ୍ଟିକିନ୍‌’ ଜାହାଜରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ବିସ୍ଫୋରଣ ସମୟରେ ଅଦମ୍ୟ ସାହସ ଦେଖାଇ ଶହୀଦ ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ମୃତିରେ ଏହି ଦିବସ ସମର୍ପିତ। ଏହି ଦିବସ ସମସ୍ତଙ୍କୁ ଅଗ୍ନିଶମ ବାହିନୀଙ୍କ ନିରନ୍ତର ତ୍ୟାଗ ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣ ଭାବକୁ ମନେ ପକାଇ ଦେଇଥାଏ।

Leave a Reply

Your email address will not be published. Required fields are marked *