କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିଲେ ତିନି ରାଜ୍ୟର ବାଚସ୍ପତି
କୋଣାର୍କ,୨୧.୦୪ – ପୁରୀରେ ଆୟୋଜିତ ବିଭିନ୍ନ ରାଜ୍ୟର ବାଚସ୍ପତି ସମ୍ମିଳନୀରେ ଯୋଗ ଦେଇଥିବା ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକର ,କର୍ଣ୍ଣାଟକ ବିଧାସଭାର ବାଚସ୍ପତି ୟୁ ଟି ଖଡ଼ରେ ଫରିଦ୍ ଓ ନାଗାଲାଣ୍ଡ ରାଜ୍ୟର ଅଧିକାରୀ ମାନଙ୍କ ସମେତ ବିଭିନ୍ନ ରାଜ୍ୟର ସଚିବ ମାନେ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶାର ବାଚସ୍ପତି ସୁରମା ପାଢୀଙ୍କ ନେତୃତ୍ୱରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ଓଡ଼ିଶାର ଐତିହ୍ୟ , କଳା ସଂସ୍କୃତି ଓ ଆତିଥେୟତାରେ ବାଚସ୍ପତି ମାନେ ବେଶ୍ ଭାବବିହ୍ବଳ ହୋଇଛନ୍ତି ।

ବାଚସ୍ପତି ମାନଙ୍କୁ ସ୍ଥାନୀୟ ଗାଇଡ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଐତିହାସିକ ପୃଷ୍ଠଭୂମି ସଂପର୍କରେ ଅବଗତ କରାଇଥିଲେ । ପରେ ସେମାନେ ଆଇଓସିଏଲ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବା ସହ କୋଣାର୍କ ମନ୍ଦିର କାନ୍ଥରେ ଶବ୍ଦ ଓ ଆଲୋକ ଦୃଶ୍ୟ ପ୍ରକଳ୍ପର ମଜା ନେଇଥିଲେ । କୋଣାର୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଚସ୍ପତି ଓ ସେମାନଙ୍କ ସହ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
