ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଚାଲିଛି ସୁରୁଖୁରୁରେ
ଦ୍ବାଦଶ ଦିନରେ ସରିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ । ୟା ମଧ୍ୟରେ 7 ଦିନରେ ପହଂଚି ଛି ଭିତର ରତ୍ନ ଭଣ୍ଡାରର ଗଣତିମଣତି । ପୂର୍ବ ନିର୍ଦ୍ଧାରିତ ଏସ ଓ ପି ଅନୁଯାୟୀ ଗତକାଲି 3 ଟା 30 ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବାହାରି ଶ୍ରୀମନ୍ଦିର ଯାଇଥିଲେ ରତ୍ନ ଭଣ୍ଡାର ତଦାରଖ କମିଟି ଟିମ୍ । ଅପରାହ୍ନ 5 ଟା 15 ରେ ଭଣ୍ଡାର ଘର ଖୋଲାଯାଇ ଭିତର ଭଣ୍ଡାରରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । 3 ଘଣ୍ଟା 27 ମିନିଟ୍ କାଳ ଗଣତି କାର୍ଯ୍ୟ ହୋଇ ରାତ୍ର 8 ଟା 42 ରେ ଶେଷ ହୋଇଥିଲା । ଭିତର ଭଣ୍ଡାରର 7 ଦିନ ଗଣତିର ଶେଷରେ ପ୍ରାୟ 30 ପ୍ରତିଶତ ଅର୍ଥାତ୍ 150 ପାଖା ପାଖି ଅଳଙ୍କାର ଗଣତି ଶେଷ ହୋଇଥିବା ସୂଚନା ମିଳୁଛି। ସମସ୍ତ ଅଳଙ୍କାର ଓ ଏଥିରେ ଖଚିତ ରତ୍ନ ଗୁଡିକୁ ଗଣତି କରାଯାଉଛି। ରତ୍ନ ବିଶାରଦ ମାନେ ରତ୍ନ ଚିହ୍ନଟ କରିବା ସହ ସମସ୍ତ ଅଳଙ୍କାରର ଫଟୋଗ୍ରାଫି,ଭିଡିଓ ଗ୍ରାଫୀ ଓ 3D ମ୍ୟାପିଙ୍ଗ କରାଯାଉଛି । ଆଜି ବନକ ଲାଗି ନୀତି ଯୋଗୁଁ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ସ୍ଥଗିତ ରହିବ। ପୁଣି 21 ତାରିଖରେ ଗଣତି କାର୍ଯ୍ୟ କରାଯିବ । ଚଳିତ ମାସରେ ଆଉ 6 ଦିନ ଅର୍ଥାତ୍,21,23,26,28,29,30 ତାରିଖରେ ହେବ ଗଣତି କାର୍ଯ୍ୟ ।ଏହି ସବୁ ଦିନ ଗୁଡ଼ିକରେ ବନ୍ଦ ରହିବ ଭିତର କାଠ ଦର୍ଶନ । ସେପଟେ ଆଜି ଭଣ୍ଡାର ଘରେ ଦୁଇ ମେକାପ ସେବକଙ୍କ ମଧ୍ୟରେ ହୋଇଥିଲା ପାଟି ତୁଣ୍ଡ ,ଧସ୍ତାଧସ୍ତି।ଉଭୟ ସମ୍ପର୍କୀୟ ହୋଇଥିବା ବେଳେ ରତ୍ନ ଭଣ୍ଡାର ପ୍ରବେଶକୁ ନେଇ ଦୁଈ ଜଣଙ୍କ ମଧ୍ୟରେ ହୋଇଥିଲା ବଚସା । ପରେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଏହା ପାରିବାରିକ ବା ବ୍ୟକ୍ତିଗତ ବିବାଦରୁ ହୋଇଥାଇପାରେ ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ଆଇନ୍ ଅନୁଯାୟୀ ଦଣ୍ଡବିଧାନ ହୋଇପାରେ ବୋଲି ପରୋକ୍ଷରେ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
