ଶ୍ରୀଜୀଉମାନେ ଅଣସର ଘରେ ଜ୍ଵରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି
ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାବେଳେ ଦଇତାପତି ସେବାୟତ ମାନେ ଶ୍ରୀବିଗ୍ରହଙ୍କ ସେବା ଶୁଶ୍ରୁଷା କରୁଛନ୍ତି | ଏହି ସମୟରେ ଶ୍ରୀଜୀଉଙ୍କ ନିକଟରେ ଅର୍ଣ୍ଣ ଭୋଗ ପରିବର୍ତେ ଫଳମୂଳ ଓ ଚକଟା ଭୋଗ ଲାଗି କରାଯାଇଥାଏ |ତେବେ ଶ୍ରୀଜୀଉଙ୍କ ଠାରେ ଅଣସର ସମୟରେ ଲାଗି ହୋଇଥିବା ସର ଭୋଗକୁ ଦଇତାପତି ସେବକମାନେ ଆଣି ନିଜ ଘରେ ପଣା ପ୍ରସ୍ତୁତ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରିଥାନ୍ତି | ବର୍ଷକରେ କେବଳ ଅଣସର ସମୟରେ ଏହି ସ୍ୱତନ୍ତ୍ର ପଣା ଭୋଗ ମିଳୁଥିବା ବେଳେ ଏହାକୁ ପାଇ ବହୁ ଭକ୍ତ ନିଜକୁ ଧନ୍ୟମନେ କରିଥାନ୍ତି | ଅନ୍ୟପଟେ ଆସନ୍ତାକାଲି ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ରଥନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି |
ସ୍ନାନପୂର୍ଣ୍ଣମୀ ଦିନ 108 ଗରା ସୁବାସିତ ଶୀତଳ ଜଳରେ ସ୍ନାନ କରିବା ପରେ ଏବେ ଶ୍ରୀଜୀଉମାନେ ଅଣସର ଘରେ ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି | ତେଵେ ଅଣସର ସମୟରେ ପଣା ଭୋଗର ସ୍ୱତନ୍ତ୍ରତା ରହିଛି । ଜ୍ୱରାକ୍ରାନ୍ତ ମହାପ୍ରଭୁଙ୍କ ନିକଟରେ ଏବେ ଫଳମୂଳ, ଚକଟା ଓ ପଣାଭୋଗ ଲାଗି କରାଯାଉଛି। ଏହାସହ ସର,ଲହୁଣି,ମଧ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଉଛି। ଲାଗି ସର ଓ ଲହୁଣିକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବାୟତ ଦଇତାପତି ମାନେ ନିଜ ଘରକୁ ଆଣି ଜଜମାନଙ୍କ ଉଦେଶ୍ୟରେ ପଣା ପ୍ରସ୍ତୁତ କରିଥାନ୍ତି। ସର,ଲହୁଣି, ଚିନି ବା ଛାଚି ଇତ୍ୟାଦି ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯାଏ। ଦଇତାପତି ସେବାୟତ ମାନେ ଜଜମାନଙ୍କ ଉଦେଶ୍ୟରେ ଏହି ପଣା ପ୍ରସ୍ତୁତ କରୁଥିବା ବେଳେ କେତେକ ମଧ୍ୟ ଶ୍ରୀକ୍ଷେତ୍ରରେ ଥିବା ଦେବାଦେବୀଙ୍କ ଉଦେଶ୍ୟରେ ଏହି ପଣା ସମର୍ପଣ କରିଥାନ୍ତି। ତେବେ ଏହି ପଣା ଟିକକ ପାଇବା ପାଇଁ ବର୍ଷକୁ ଥରେ ଭକ୍ତମାନଙ୍କ ମନରେ ରହିଥାଏ ଅନେକ ଆଗ୍ରହ। ପଣା ଟିକକ ପାଇବା ପରେ ଭକ୍ତ ନିଜକୁ କୃତାର୍ଥ ମନେ କରିଥାନ୍ତି। ଏହି ପଣାଭୋଗ ପାଇଁ ପ୍ରତିବର୍ଷ ଜଜମାନଙ୍କ ଠାରୁ ଆରମ୍ଭ କରି ଦେବାଦେବୀ ମଧ୍ୟ ଚାତକ ପରି ଚାହିଁ ରହିଥାନ୍ତି। କେବଳ ସେତିକି ନୁହେଁ ଏହି ପଣାଭୋଗ ସେବନ ଦ୍ବାରା ଅନେକ ଦୁସାଧ୍ଯ ରୋଗ ମଧ୍ୟ ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଥିବା ଗବେଷକ ମତ ଦେଇଛନ୍ତି।
ଅତ୍ୟାଧିକ ସ୍ନାନଜନିତ ଅସୁସ୍ଥତା ଭୋଗ କରୁଥିବା ଶ୍ରୀଜୀଉଙ୍କର ଏବେ ଚାଲିଛି ଗୁପ୍ତସେବା। ଗତକାଲି ଶ୍ରୀଜୀଉଙ୍କର ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି ହୋଇଥିବା ବେଳେ ଆଜି ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଉପଚାରର ବିଧି ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଚତୁର୍ଥୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ଓ ତାପର ଦିନ ପଞ୍ଚମୀ ତିଥିରେ ଫୁଲୁରି ତେଲ ଲାଗି ହେବାର ପରମ୍ପରା ରହିଛି। ଏପଟେ ରଥନିର୍ମାଣ କାମରେ ତତ୍ପରତା ଦେଖାଇଛନ୍ତି ରଥ ସେବାୟତ ମାନେ। ରଥର ପୋଟଳ, ପାରାଭାଡି ଓ କଳସ ନିର୍ମାଣରେ ଲାଗିଛନ୍ତି ବିଶ୍ଵକର୍ମା ମହାରଣା। ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଜି ଠାରୁ ଚିତ୍ରକର ସେବାୟତଙ୍କ ଦ୍ଵାରା ଆରମ୍ଭ ହୋଇଛି। ଚିତ୍ରକର ମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଉଥିବା ବେଳେ ପାର୍ଶ୍ବ ଦେବାଦେବୀ ମାନଙ୍କୁ ରଙ୍ଗ ଦେବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେହିପରି ଦର୍ଜି ସେବାୟତ ମାନେ ଆଜି ରଥକନା ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି। ନାଲି, ହଳଦିଆ, ସବୁଜ ଓ କଳା ରଙ୍ଗର ୧୨୫୦ ମିଟର କନାରେ ରଥକନା ପ୍ରସ୍ତୁତିର ଶୁଭାରମ୍ଭ ହୋଇଛି।


