ବେଦାନ୍ତ କମ୍ପାନୀର ବିଷାକ୍ତ ଲାଲ୍ ଆତଙ୍କ ଓ ପରିବେଶୀୟ ପାପ:

ବେଦାନ୍ତ କମ୍ପାନୀର ବିଷାକ୍ତ ଲାଲ୍ ଆତଙ୍କ ଓ ପରିବେଶୀୟ ପାପ: ସେବା ଭାରତୀରାୟଗଡା ୧୭-୧୦-୨୪ – ରାୟଗଡା ଜିଲ୍ଲା ସୀମା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀର ନାଲି କାଦୁଅ ପାଣିର ବିଷାକ୍ତ ଲାଲ୍ ଆତଙ୍କ ଘଟଣା ଓଡିଶାରେ ହଇଚଇ ସୃଷ୍ଟି କରିଦେଇଥିଲା | ସୂଚନା ଅନୁସାରେ କମ୍ପାନୀର ଲାଲ କାଦୁଅ ପୋଖରୀ(୩୨୭.୬୨ ଏକର ସହିତ ପୋଖରୀ ବନ୍ଧ, ଫିଲ୍ମରେସନ୍ ୟୁନିଟ୍, ଡ୍ରେନ୍, କ୍ୟାଚମେଣ୍ଟ ପୋଖରୀ, ଡାଇଭର୍ସନ କେନାଲ ଇତ୍ୟାଦି)ର ଜଳ ପ୍ରକ୍ରିୟାକାରଣ ହ୍ରଦ ଗତ ୨୦୨୪ ମସିହା ସେପ୍ଟେମ୍ବର ୧୫ ମଧ୍ୟରାତ୍ରିରେ ଭୁଶୁଡି ପଡିଥିଲା | ଶହ ଶହ ଏକର କୃଷି ଜମି ବଂଶଧାରା ନ‌ଦୀରେ ଏହି ବିଷାକ୍ତ ବନ୍ୟାଜଳ ପ୍ରବାହିତ ହୋଇ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ପାଇଁ ବ୍ୟାପକ କ୍ଷତି ଘଟାଇଥିଲା | ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ମଧ୍ୟ ଦେଖିବାକୁ ମିଳିଥିଲା | ମୁଖ୍ୟତଃ ଆଦିବାସୀ, ଦଳିତ ଏବଂ ଗରିବ କୃଷକମାନେ ଏଥିରେ ଅଧିକ ପ୍ରଭାବିତ ହେଇଥିଲେ | ଏହି ନାଲି କାଦୁଅର ପ୍ରଭାବ କଳାହାଣ୍ଡି ଜିଲ୍ଲାର ବନ୍ଧଗଡ, ବୁନ୍ଦେଲ, ଛତ୍ରପୁର, ତୁରିଗୁଡା, ବାଥେଲିମା ଏବଂ ବସନୁପଡା ଅଞ୍ଚଳରେ ତାସହିତ ରାୟଗଡା ଜିଲ୍ଲାର ପେଡିପଦର,ଗୌଡ ଚନ୍ଦନଖୁଣ୍ଟି ପ୍ରମୁଖ ଗାଁ ମାନଙ୍କରେ ହେକ୍ଟର ହେକ୍ଟର ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଦେଖିବାକୁ ମିଳିଥିଲା | ପ୍ରଭାବିତ ଅଞ୍ଚଳଗୁଡିକରେ ବନ୍ୟା ପରି ପରିସ୍ଥିତି ଉପୁଜିଥିଲା, ଚାଷ ଜମିଗୁଡିକ ନାଲି କାଦୁଅରେ ବୁଡ଼ି ଯାଇଥିଲା | ପ୍ରଚୁର ବିଷାକ୍ତ ପଦାର୍ଥ ସହ ଜଳର ପରିମାଣ ୩ ଲକ୍ଷ ଘନ ମିଟର, ଅର୍ଥାତ୍ ୩୦ କୋଟି ଲିଟର ବୋଲି ଆକଳନ କରାଯାଇଛି | ଅନୁପଯୁକ୍ତ ନିର୍ମାଣ ଏବଂ ଭିତ୍ତଭୂମିର ପର୍ଯ୍ୟାପ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ଯାହା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି | ବିଶେଷକରି ମାନବ ବସତି ପାଇଁ ଏହାର ନିକଟତରତାକୁ ଦୃଷ୍ଟିରେ ରଖ୍ ଅସୁରକ୍ଷିତ ଢଙ୍ଗରେ କାହିଁକି ଏହି ନିର୍ମାଣ କରାଯାଇଥିଲା ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରୁଛନ୍ତି | ପରିସ୍ଥିତିର ଗମ୍ଭୀରତା ହେତୁ କିଛି ପ୍ରଭାବିତ ସ୍ଥାନୀୟ ଲୋକ ଆଲୁମିନା ରିଫାଇନାରୀରେ ଏକତ୍ରିତ ହୋଇ ତାଙ୍କର କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖ୍ ସେବା ଭାରତୀ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ୨୦-୯-୨୦୨୪ ତାରିଖରେ ଲାଞ୍ଜିଗଡ ଯାଇ ସେଠାକାର ସ୍ଥାନୀୟ ବାସିନ୍ଦାମାନଙ୍କ ସହ ଯୋଗାଯୋଗ କରି କ୍ଷୟକ୍ଷତି ବିଷୟରେ ଆଲୋଚନା କରିବା ସହ ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ସହ ସେଇ ଭୟାବହ ରାତି ଘଟଣା ବିଷୟରେ ଜାଣିବାକୁ ପ୍ରୟାସ କରିଥିଲେ | ସେଇପରି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରି ଫେରିଆସିଥିଲେ । ଏହି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ରେ ଓକିଲ/ସମାଜସେବୀ/ବରିଷ୍ଠ ସାମ୍ବାଦିକ ଡକ୍ଟର ବାଦଲ କୁମାର ତା, ଜଣେ ସଫଳ ଚାଷୀ ରୂପେ ରାୟଗଡା ଜିଲ୍ଲାରେ ପରିଚିତ ବିଜୟ କୁମାର ମିଶ୍ର, ସକ୍ଷମର ରାଜ୍ୟ ସଚିବ ଶ୍ୟାମ କୁମାର ଦାଶ ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ପ୍ରାନ୍ତ ସେବା ପ୍ରମୁଖ ଦୀପକ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ | ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପୂର୍ବ କ୍ଷେତ୍ର ସହ ପ୍ରଚାରକ ଶ୍ରୀ ଜଗଦୀଶ ଖାଡେଙ୍ଗା ଓ ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ଶ୍ରୀ ଶଙ୍କର ପଣ୍ଡାଙ୍କ ମାର୍ଗଦର୍ଶନରେ ଘଟଣାର ତଦନ୍ତ କରାଯାଇଥିଲା | ସେବା ଭାରତୀ ସମ୍ପୂର୍ଣ ଘଟଣାର ତଦନ୍ତ କରିସାରିଲା ପରେ ଏକ ରିପୋର୍ଟ ତିଆରି କରି କେନ୍ଦ୍ର ଓ ରାଜ୍ୟ ସରକାରର ସମସ୍ତ ବିଭାଗ( ସଂଶ୍ଳିଷ୍ଟ ଥିବା ପ୍ରତ୍ୟେକ ବିଭାଗ)କୁ ପଠାଇଛି | ଆଗକୁ ସେବା ଭାରତୀ ତରଫରୁ ଏହି ବିଷୟ ବସ୍ତୁକୁ ନେଇ ଉଭୟ ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଲେଖାଏଁ ସେମିନାର ମଧ୍ୟ କରିବାକୁ ଯାଉଛି ସେ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ବାଦଲ କୁମାର ତା, ବିଜୟ ମିଶ୍ର ଓ ଶ୍ୟାମ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ | ସେବା ଭାରତୀର ଜ଼ିଲ୍ଲା ସମ୍ପାଦକ ବିଦ୍ୟା ଭୂଷଣ ପଣ୍ଡା ସାମ୍ୱାଦିକ ସମ୍ମିଳନୀର ସଂଯୋଜନା କରିଥିଲେ |

ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *