ମଣ୍ଡିରେ ଚାଲିବନି ମିଲର୍ସଙ୍କ ରାଜ୍
କଟ୍ନି ଛଟ୍ନି ରୋକିବ ପେଡି କ୍ଲିନର ମେସିନ୍
ଭଞ୍ଜନଗର:-୧୭/୧୦() ମଣ୍ଡିରେ ଚାଲିବନି ମିଲର୍ସଙ୍କ ରାଜ୍। ଏଫ୍ଏକ୍ୟୁ ନାଁରେ ଆଉ ଚାଷୀଙ୍କୁ ଶୋଷଶ କରିପାରିବେନି ମିଲର୍ସ । କଟ୍ନି ଛାଟନି କୁ ନେଇ ଆଉ ମୁହାଁମୁହିଁ ହେବେନି ଚାଷୀ ଓ ମିଲର୍ସ। ଧାନ ମଣ୍ଡିରେ କଟ୍ନି ଛଟ୍ନି ରୋକିବାକୁ ପଦକ୍ଷେପ ନେଇଛି ନିୟନ୍ତ୍ରିତ ବଜାର କମିଟି(ଆରଏମ୍ସି) । ଧାନର ମାନ ନିରୁପଣ କରି ମୂଳ ଓଜନ ଅନୁଯାୟୀ ଚାଷୀଙ୍କୁ ମିଳିବ ଉଚିତ୍ ପ୍ରାପ୍ୟ। ଚଳିତ ଖରିଫ ମଣ୍ଡିରେ ଧାନ କିଣା ପ୍ରକ୍ରିୟାକୁ ସ୍ବାଭାବିକ କରିବାକୁ ଭଞ୍ଜନଗର ଆରଏମ୍ସିକୁ ଆସିଛି ପେଡି କ୍ଲିନର ମେସିନ୍।ଚଳିତ ଡିସେମ୍ବର ମାସରେ ଖରିଫ୍ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ନିକଟସ୍ଥ ଧାନ ବିକ୍ରୟ କେନ୍ଦ୍ରରେ ସରକାରୀ ଦରରେ ଧାନ ବିକିବା ନେଇ ଚାଷୀ ପଞ୍ଜିକରଣ କାର୍ଯ୍ୟ ସରିଯାଇଛି । ରାଜସ୍ବ,କୃଷି,ସମବାୟ ଓ ମିଶନଶକ୍ତି ବିଭାଗ ମିଳିତ ଭାବେ ପଞ୍ଜିକୃତ ପ୍ଲଟର ଯାଞ୍ଚ ପରେ ଜମିର ଡିଜିଟାଇଜେସନ କରାଯାଇଛି। ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାର ଆସିବା ପରେ ଚଳିତବର୍ଷ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିଛନ୍ତି। ନୂଆ ସରକାର କୁଇଁଟାଲ ପ୍ରତି ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କାକୁ ବୃଦ୍ଧି କରିବା ସହ ବୋନସ୍ ଭାବେ ୮୦୦ ମୋଟ ୩୧୦୦ ଟଙ୍କା ଦେବାକୁ ସ୍ଥିର କରିଛନ୍ତି। ଫଳରେ ଚଳିତବର୍ଷ ଅଧିକରୁ ଅଧିକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ନେଇ ଯୋଗାଣ ବିଭାଗ ଆଶା ପ୍ରକଟ କରିଛି। ପୂର୍ଵ ବର୍ଷ ଗୁଡିକରେ ଭଞ୍ଜନଗର ଉପଖଣ୍ଡ ସମେତ ସମଗ୍ର ଗଞ୍ଜାମ ଜିଲ୍ଲାର ବହୁ ଚାଷୀ ପଞ୍ଜିକରଣ ସତ୍ତ୍ବେ ମଣ୍ଡିରେ ଧାନ ନ ବିକି ବାହାର ରାଜ୍ୟର ବେପାରୀକୁ ଶାଗ ମାଛ ଦରରେ ବିକ୍ରି କରି ଦେଉଥିଲେ । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଥିଲା । ହେଲେ ଚଳିତବର୍ଷ ଧାନ ଦରରେ ବୃଦ୍ଧି ଘଟିଥିବାରୁ ଅଧିକ ଚାଷୀ ମଣ୍ଡିରେ ଧାନ ବିକିବା ନେଇ ମନସ୍ଥ କରିଛନ୍ତି । ଏହା ପୂର୍ଵରୁ ମଣ୍ଡିରେ ସୁପରିଚାଳନା ପାଇଁ ସରକାରୀ ସ୍ତରରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ବିଶେଷକରି ଧାନର ମାନ ଯାଞ୍ଚ ପାଇଁ ଆରଏମ୍ସି ପେଡି କ୍ଲିନର ମେସିନ ଆଣିଛି। ଭଞ୍ଜନଗର ଆରଏମସିକୁ ୪ ଟି ପେଡ଼ି କ୍ଲିନର ମେସିନ ଆବଶ୍ୟକ ଥିବା ବେଳେ ଗୋଟିଏ ମେସିନ୍ ଆସି ସାରିଛି । ଆଉ ୩ ଟି ଖୁବ୍ ଶିଘ୍ର ଆସିବ ବୋଲି ବିଭାଗ ସୁତ୍ରରୁ ଜଣାପଡିଛି । ଗୋଟିଏ ପେଡି କ୍ଲିନର ମେସିନର ମୁଲ୍ୟ ୨୭ ଲକ୍ଷ ଟଙ୍କା ଥିବା ବେଳେ ଏଥିପାଇଁ ଆରଏମ୍ସି ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରିଛି । ଧାନର ମାନକୁ ନେଇ କୌଣସି ସନ୍ଦେହ ଉପୁଜିଲେ ମଣ୍ଡିରେ ପେଡି କ୍ଲିନର ମେସିନ ଦ୍ବାରା ଧାନର ମାନ ଯାଞ୍ଚ କରାଯିବ। ଧାନର ମାନକୁ ବିଭିନ୍ନ ସମୟରେ ଉଠୁଥିବା ବିବାଦର ମଧ୍ୟ ସମାଧାନ ହୋଇପାରିବ । ହେଲେ ଏହି ଯାଞ୍ଚର ପରିମାଣ ସ୍ଵଳ୍ପ ରହିଥିବାରୁ ଉପଖଣ୍ଡର ବିଭିନ୍ନ ମଣ୍ଡିକୁ ଦୈନିକ ଶହ ଶହଟନ୍ ଧାନ ଆସିଲେ ମାତ୍ର ୪ଟି ମେସିନ କିଭଳି ଭାବେ ଚାଷୀଙ୍କୁ ସହାୟତା ପ୍ରଦ ପ୍ରଦାନ କରିବ ସେନେଇ ପ୍ରଶ୍ନ ଉଠିଛି ।
