୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬

ଭୁବନେଶ୍ୱର-ତା.୦୭.୧୧.୨୦୨୬ଓଡ଼ିଶା ସଚିବାଳୟ କ୍ରିକେଟ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ଆଜି ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬ର ଶୁଭାରମ୍ଭ ହୋଇଯାଇଛି । ହାଇ-ଟେକ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ପ୍ରତିଯୋଗିତାରେ ସୋଆ ବିଶ୍ୱବିଦ୍ୟାଳୟ ଦଳ ୨୫ ରନରେ ଜ୍ୟୋତି ଗ୍ରୁପ୍‌କୁ ହରାଇଛି । ଜ୍ୟୋତି ଗ୍ରୁପ୍‌ ଟସ୍‌ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସୋଆ ବିଶ୍ୱବିଦ୍ୟାଳୟ ପ୍ରଥମ ବ୍ୟାଟିଂ କରି ୭ ୱକେଟ୍‌ରେ ୧୪୫ ରନ୍‌ ସଂଗ୍ରହ କରିଥିବାବେଳେ ଦେବୀ ପ୍ରସାଦ ସାହୁ ୪୯ ରନ୍‌ ଏବଂ ଆଶୁତୋଷ ବେହେରା ୪୭ ରନ୍‌ କରିଥିଲେ । ଜ୍ୟୋତି ଗ୍ରୁପ୍‌ ପକ୍ଷରୁ ରାଜେଶ ମହାନ୍ତି ୯ ରନ୍‌ ଦେଇ ଦୁଇଟି ୱିକେଟ୍‌ ପାଇଥିବାବେଳେ ନିଲୁ ପ୍ରଧାନ ୧୭ ରନ୍‌ ଦେଇ ଦୁଇଟି ୱିକେଟ୍‌ ଅକ୍ତିୟାର୍‌ କରିଥିଲେ । ପରେ ୧୪୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଜ୍ୟୋତି ଗ୍ରୁପ୍‌ ୧୭ ଓଭର୍‌ରେ ୧୨୦ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲେ । ଜ୍ୟୋତି ଗ୍ରୁପ୍‌ ପକ୍ଷରୁ ଜି. ସାମନ୍ତସିଂହାର ୩୩ ରନ୍‌ କରିଥିବାବେଳେ ଦିବ୍ୟ ପଣ୍ଡା ୨୫ ରନ୍‌ କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାସ୍ୱତ ମହାନ୍ତି ୧୧ ରନ୍‌ ଦେଇ ୩ଟି ୱିକେଟ୍‌ ହାସଲ କରିଥିବାବେଳେ ସମ୍ବିତ୍‌ ଦୁଇ ୱିକେଟ୍‌ ବିନିମୟରେ ୧୫ ରନ୍‌ ଦେଇଥିଲେ । ଦେବୀ ପ୍ରସାଦ ସାହୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ସେହିପରି ଓଏଏସ୍‌ଏମ୍‌ଇ ଦ୍ୱିତୀୟ ମ୍ୟାଚ୍‌ରେ କୋଟାକ୍‌ ମହିନ୍ଦ୍ରାକୁ ହରାଇ ବିଜୟୀ ହୋଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଓଏଏସ୍‌ଏମ୍‌ଇ ୧୬ ଓଭରରେ ୧୫୧ ରନ୍‌ କରିଥିଲା । ଦଳ ପକ୍ଷରୁ ଭକ୍ତି ସାମଲ ୭୩ ରନ୍‌, ସୁବାସ ସିଂହ ୪୩ ରନ୍‌ ଏବଂ ମନିଷ ୧୯ ରନ୍‌ ସଂଗ୍ରହ କରିଥିଲେ । କୋଟାକ୍‌ ମହିନ୍ଦ୍ରାର ସୌମ୍ୟ ରଞ୍ଜନ ବିଶ୍ୱାଳ ୨୫ ରନ୍‌ ଦେଇ ଦୁଇଟି ୱିକେଟ୍‌ ପାଇଥିଲେ । ବିଜୟ ପାଇଁ ୧୫୨ ରନ୍‌ ଆବଶ୍ୟକ ଥିବାବେଳେ କୋଟାକ୍‌ ମହିନ୍ଦ୍ରା ୧୩ ଓଭରରେ ୮୪ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲେ । ଦଳ ପକ୍ଷରୁ ଶ୍ରୀକାନ୍ତ ସାହୁ ୩୭ ରନ୍‌ କରିଥିବାବେଳେ ଓଏଏସ୍‌ଏମ୍‌ଇର ମନିଷ ୧୬ ରନ୍‌ ଦେଇ ୫ଟି ୱିକେଟ୍‌ ହାସଲ କରିଥିଲେ । ମନିଷଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା । ରାଜେଶ ପାତ୍ର ଓ ରାଜେନ୍ଦ୍ର ନାୟକ ଉଭୟ ମ୍ୟାଚ୍‌ରେ ଅମ୍ପାୟରିଂ କରିଥିବା ବେଳେ ସ୍କୋରର ଭାବେ ଶିବାଶିଷ ବେହେରା ଦାୟିତ୍ୱ ତୁଲାଇଥିଲେ । ପୋଷ୍ଟାଲ ଟିମର ପୂର୍ବତନ ଅଧିନାୟକ ଶ୍ରୀ ଲିଙ୍ଗରାଜ ସାହୁ ପୁରସ୍କାର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *