176 ଏନସିସି କ୍ୟାଡେଟଙ୍କୁ ମିଳିଲା ‘ଜୁନିୟର ରକ୍ଷକ’ ମାନ୍ୟତା

176 ଏନସିସି କ୍ୟାଡେଟଙ୍କୁ ମିଳିଲା ‘ଜୁନିୟର ରକ୍ଷକ’ ମାନ୍ୟତା- ପୁରୀରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟନ କଲେ ପରିବହନ କମିସନର- ଦ୍ୱିତୀୟ ଦିନରେ 399 ଜଣଙ୍କୁ ଦିଆଯିବ ସଡ଼କ ସୁରକ୍ଷା ପ୍ରଶିକ୍ଷଣ- ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା ପାଇଁ ପରିବହନ ବିଭାଗ ଓ ଏନସିସିର ମିଳିତ ପ୍ରୟାସପୁରୀ, 18/05/2024: ଶ୍ରୀକ୍ଷେତ୍ର ପୁରୀରେ ଉଦଘାଟିତ ହୋଇଛି ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ ।

ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି । ଭୋଳାନାଥ ହାଇସ୍କୁଲ ପରିସରରେ ଏନସିସି ସିନିୟର ଓ୍ୱିଙ୍ଗ୍ ର 575 ଜଣ କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ 176 ଜଣ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଛନ୍ତି । ସେମାନଙ୍କୁ ପରିବହନ ବିଭାଗରୁ ‘ଜୁନିୟର ରକ୍ଷକ’ ମାନ୍ୟତା ପ୍ରଦାନ କରାଯାଇଛି । ଦ୍ୱିତୀୟ ଦିନରେ ଆଉ 399 ଜଣଙ୍କ ପ୍ରଶିକ୍ଷଣ ଦିଆଯାଇ ‘ଜୁନିୟର ରକ୍ଷକ’ ମାନ୍ୟତା ପ୍ରଦାନ କରାଯିବ । ଏହି ଶିବିରରେ ଏନିସିସି କ୍ୟାଡେଟ ମାନଙ୍କୁ ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ସଂପର୍କରେ ପ୍ରଶିକ୍ଷିତ କରାଯାଇଛି । ମାଷ୍ଟର ଟ୍ରେନର ସୁବାସ ଚନ୍ଦ୍ର ପ୍ରଧାନ ଓ ଶୁଭ୍ରଜିତ ନାୟକ ପ୍ରଶିକ୍ଷଣ ଦେଇଥିଲେ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲ୍ଡେନ ଆଓ୍ୱାର ବା ଦୁର୍ଘଟଣା ଘଟିବାର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ କିଭଳି ପ୍ରାଥମିକ ଚିକିତ୍ସା ପ୍ରଦାନ କରିହେବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇପାରିବ ସେ ଦିଗରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାସହ ଜୁନିୟର ରକ୍ଷକମାନେ ସଡ଼କ ସୁରକ୍ଷାର ବ୍ରାଣ୍ଡ୍ ଆମ୍ବାସଡର ଭଳି ଦାୟିତ୍ୱ ନିର୍ବାହ କରିବେ । ସେମାନେ ନିଜେ ସମସ୍ତ ନିୟମ ମାନିବା ସହ ନିଜ ପରିବାର, ଆଖପାଖ ଲୋକେ, ସାହିପଡ଼ିଶାରେ ମଧ୍ୟ ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିବେ ।ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଦିଗରେ ଏନସିସି ସହଭାଗିତାରେ ପରିବହନ ବିଭାଗର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ । ପୂର୍ବରୁ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେଥିରେ ସଫଳତା ମିଳିବା ପରେ ଏହି ପ୍ରୟାସକୁ ବ୍ୟାପକ କରିବାକୁ ‘ଜୁନିୟର ରକ୍ଷକ’ କାର୍ଯ୍ୟକ୍ରମ କରାଯାଉଛି । ଗତ ମାର୍ଚ୍ଚ 6ରେ ଏ ସଂକ୍ରାନ୍ତରେ ଲୋକସେବା ଭବନରେ ପରିବହନ ବିଭାଗ ଓ ଏନସିସି ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ସାରା ରାଜ୍ୟରେ 32 ହଜାର ଏନସିସି କ୍ୟାଡେଟଙ୍କୁ ଜୁନିୟର ରକ୍ଷକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି । ଆଜିର କାର୍ଯ୍ୟକ୍ରମରେ ପରିବହନ କମିସନର କହିଥିଲେ, ଜଗତର ରକ୍ଷକ ଶ୍ରୀଜଗନ୍ନାଥଙ୍କ ପବିତ୍ର ପୁରୀ ଧାମରେ ଜୁନିୟର ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । ସଡ଼କ ଦୁର୍ଘଟଣା ଓ ଏସଂପର୍କିତ ମୃତ୍ୟୁ ସଂଖ୍ୟା ହ୍ରାସ ଆମ ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ୍ । ଅନେକ ଲୋକଙ୍କ ଭିତରେ ଧାରଣା ରହିଛି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ପରେ ହଇରାଣ ହେବାକୁ ହୁଏ । ତେବେ ଏହା ସଂପୂର୍ଣ୍ଣ ଭୁଲ୍ କଥା । ସାହାଯ୍ୟ ବଦଳରେ ହଇରାଣ ହେବାକୁ ହେବନି ବରଂ ଆପଣମାନଙ୍କୁ ସମ୍ମାନ ମିଳିବ । ଯଦି ଆପଣ କୌଣସି ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରି ହସ୍ପିଟାଲ ନେଉଛନ୍ତି, ଆପଣଙ୍କୁ ବିଭାଗ ତରଫରୁ ଗୁଡ ସମ୍ମରିଟାନ୍ ସମ୍ମାନ ସହ ଦୁଇ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପରିବହନ କମିସନର ପ୍ରଶାସନ ଇନ୍ଦ୍ରମଣି ନାୟକ,ଅତିରିକ୍ତ ପରିବହନ କମିସନର (ଏନଫୋର୍ସମେଣ୍ଟ) ଲାଲମୋହନ ସେଠୀ, ଯୁଗ୍ମ ପରିବହନ କମିସନର(ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି,ଦିପ୍ତୀରଞ୍ଜନ ପଟ୍ଟନାୟକ,ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ଉପସ୍ଥିତ ଥିଲେ । ଏହାସହ ଏନସିସି କମାଣ୍ଡିଂ ଅଫିସର ସୁଦୀପ ସିହ୍ନା ଯୋଗ ଦେଇ ୩୪ ଟି ଇନଷ୍ଟିଚ୍ୟୁଟ ରୁ ଆସିଥିବା ଏହି ୫୭୫ କ୍ୟାଡେଟ ୫୭୫ ଟି ପରିବାର କୁ ଓ ୫୭୫ ପରିବାର ସମଗ୍ର ସମାଜ କୁ ସଡକ ସୁରକ୍ଷା ସଚେତନ କରାଇ ପାରିବେ ବୋଲି କହିଥିଲେ । ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ 3ଟି ସେସନରେ ପ୍ରଶିକ୍ଷଣ ଦିଆଯାଉଛି । ଏହାସହ ସଡ଼କ ସୁରକ୍ଷା ସଚେତନତା ସଂପର୍କରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ଓ କୁଇଜ ପ୍ରତିଯୋଗିତା କରାଯାଇଛି ।

Leave a Reply

Your email address will not be published. Required fields are marked *