ବାଲି ଚୋରା ଚାଲାଣ ନେଇ ମିଳିତ ଚଢାଉ, ଟ୍ରାକ୍ଟର ଜବତ
କୋଣାର୍କ – କୋଣାର୍କ ଏନଏସି ଓ କାକଟପୁର ତହସିଲ ଅଧିନସ୍ଥ ଚିତ୍ରେଶ୍ୱରୀ ରାଜ୍ୱସ ସର୍କଲ ଅନ୍ତର୍ଗତ ଅନେକ ମୌଜାରେ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ଖବର ପ୍ରକାଶ ପାଇବା ସହ ଅଭିଯୋଗ ମଧ୍ଯ ହୋଇଥିଲା। ଏହାକୁ ଗୁରୁତ୍ବ ଦେଇ ଶନିବାର ପୂର୍ବାହ୍ନରେ ପୂରୀ ଜିଲ୍ଲା ଖଣିଜ ଅଧିକାରୀ, କୋଣାର୍କ ପୋଲିସ୍ ଓ କାକଟପୁର ତହସିଲ ପ୍ରଶାସନ ମିଳିତ ଆନୁକୁଲ୍ୟରେ ଚିତ୍ରେଶ୍ୱରୀ ରାଜ୍ୱସ ସର୍କଲ ଅନ୍ତର୍ଗତ ଅନେକ ମୌଜାରେ ମିଳିତ ଚଢାଉ କରାଯାଇଥିଲା। ଚଢାଉ ବେଳେ କୁରୁଜଙ୍ଗ ଗ୍ରାମରେ ସରକାରୀ ଅନାବାଦୀ ଗୋଚର ଜମିରୁ ବେଆଇନ୍ ବାଲି ଚାଲାଣ କରୁଥିବା ବେଳେ ମିଳିତ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏକ ନମ୍ବର୍ ବିହୀନ ଟ୍ରାକ୍ଟରକୁ ଜବତ କରିଛନ୍ତି। କୋଣାର୍କ ପୋଲିସ୍ ପକ୍ଷରୁ ଟ୍ରାକ୍ଟରଟିକୁ ଥାନାରେ ଜିମା ରଖାଯାଇଛି। ଆଗାମୀ ଦିନରେ ଏହି ମିଳିତ ଚଢାଉ ଜାରି ରହିବ ବୋଲି ଖଣିଜ ଅଧିକାରୀ ସମୀର ମିଶ୍ର ସୁଚନା ଦେଇଛନ୍ତି। ଏହି ଚଢାଉ ବେଳେ କୋଣାର୍କ ଥାନା ସବ୍ ଇନ୍ସପେକ୍ଟର ସଂଘମିତ୍ରା ଚାନ୍ଦ, ଚିତ୍ରେଶ୍ୱରୀ ଆରଆଇ ସୁଭଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
