ବିଶ୍ଵ ସ୍ତନ୍ୟପାନ ସପ୍ତାହ
ସ୍ତନ୍ୟପାନ ଦ୍ବାରା ମା ଓ ଶିଶୁ ଉଭୟ ନିରାପଦ।ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ।
ରଘୁନାଥପୁର:-୫/୮()ରଘୁନାଥପୁର ସ୍ଥିତ ବରିଷ୍ଠ ଶିଶୁ ବିଶେଷଜ୍ଞ ଡ଼ା ରାଜକିଶୋର ବରାଳଙ୍କ ତତ୍ତ୍ଵାବଧାନରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଆଶା,ସ୍ବାସ୍ଥ୍ୟକର୍ମୀ ଓ ମା ମାନଙ୍କୁ ନେଇ ତାଙ୍କ ବାସଭବନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଶିଶୁ ସ୍ତନ୍ୟପାନ ଉପରେ ସରକାରଙ୍କ ପକ୍ଷରୁ ଗତ ୧୯୯୨ ମସିହାରୁ ସଚେତନତା କରାଯାଉଥିଲେ ସୁଧା ଏହା ନିରାଶାଜନକ ଅଟେ।ବର୍ତ୍ତମାନ ସ୍ତନ୍ୟପାନ ହାର ୪୧.୮ ପ୍ରତିଶତ ଥିବା ଡ଼ା ବରାଳ ପ୍ରକାଶ କରିଥିଲେ।ଏଥିପାଇଁ ତୃଣମୂଳସ୍ତରରେ ଆଶା, ଅଙ୍ଗନୱାଡି କର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଗୁରୁଦାଇତ୍ୱ ରହିଛି।ମହିଳାମାନେ ଗର୍ଭାବସ୍ଥାରେ ଥିବାବେଳେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ସ୍ତନ୍ୟପାନ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ଆବଶ୍ୟକ।ଏହାଛଡା ମହିଳାଙ୍କ ସ୍ତନରେ କୌଣସି ସଂକ୍ରମଣ ରହିଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଉପଚାର କରିବା ଅତ୍ୟନ୍ତ ଜରୁରୀ ବୋଲି ଡ଼ା ବରାଳ ମତବ୍ୟକ୍ତ କରିଥିଲେ।ପ୍ରତ୍ୟେକ ମହିଳା ଅତ୍ୟନ୍ତ ପକ୍ଷେ ୬ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଦରକାର।ଯାଦ୍ୱାରା ଶିଶୁମାନେ ଡାଇରିଆ,ନିମୋନିଆ ଓ ଆଜମା ରୋଗ ଏବଂ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ,ଗର୍ଭାଶୟ କର୍କଟ ଓ ମଧୁମେହ ରୋଗର ଆଶଙ୍କା କମ ରହେ ବୋଲି ଡ଼ା ବରାଳ ସୂଚାଇ ଦେଇଥିଲେ।ସେହିପରି ରଘୁନାଥପୁର ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ ତୃପ୍ତିମୟୀ ମହାପାତ୍ର ଯୋଗଦେଇ ଗର୍ଭାବସ୍ଥାରୁ ମା ମାନଙ୍କୁ ସ୍ତନ୍ୟପାନ ସମ୍ପର୍କରେ ଉତ୍ସାହ ସୃଷ୍ଟି କରିବା ସହ ଜନ୍ମ ହେବାର ୧ ଘଣ୍ଟା ପରେ ଶିଶୁଙ୍କୁ କିପରି ସ୍ତନ୍ୟପାନ କରାଯିବ ସେଥିପ୍ରତି ଗୁରୁତ୍ଵ ଦେବାକୁ ଆହ୍ଵାନ କରିଥିଲେ। ଏହି ଅବସରରେ ୩ ଜଣ ସୁସ୍ଥ ମା ସହ ଶିଶୁ ଓ ଆଶା କର୍ମୀଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିରେ ସ୍ବାସ୍ଥ୍ୟକର୍ମୀ ସହ ମା ମାନେ ଯୋଗଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୭ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶିଶୁ ବିଶେଷଜ୍ଞ ଡ଼ା ବରାଳ ପ୍ରକାଶ କରିଛନ୍ତି।
