କେବେ ଖୋଲିବ ବାହାରପୁର ଦୁଇ ନମ୍ବର ଅଙ୍ଗନବାଡି କେନ୍ଦ୍ର ରେ ତାଲା
ଧରାକୋଟ (12/8/25)ନୂତନ ଭାବରେ ଦୁଇ ବର୍ଷ ପୂର୍ବରୁ ନିର୍ମାଣ ହୋଇଛି ଅଙ୍ଗନବାଡ଼ି କେନ୍ଦ୍ର। ସମସ୍ତ କାମ ସରିବାପରେ ମଧ୍ୟ ଏହା ବ୍ୟବହାର ରେ ଆସୁନାହିଁ । ଖବର ସଂଗ୍ରହ ବେଳେ ଜଣାଯାଇଛି ନିର୍ମାଣ କାମ କରିଥିବା ଠିକାଦାର ଜଣକ ବିଲ ପାଇନଥିବାରୁ ଏଥିରେ ତାଲା ଠୁକିଛନ୍ତି। ଏଣୁ କୋମଳମତି ପିଲାଏ ଅନ୍ୟ ଏକ କେନ୍ଦ୍ରର ପିଲାଙ୍କ ସହ ମିସି ଅଣନିଶ୍ବାସୀ ଭାବରେ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ଭିତରେ ଥିବା ଏକ ସଂକୀର୍ଣ୍ଣ କୋଠରୀରେ ବସୁଛନ୍ତି। ଏଣୁ ପିଲାଙ୍କ ପାଇଁ ରହିଥିବା କେନ୍ଦ୍ରର ନିତୀ ନିୟମ ଏଠି ଚୁଲିକୁ ଗଲାଣି। ଆଶ୍ଚର୍ଯ୍ୟର କଥା ଏଥିପ୍ରତି ବ୍ଲକ ପ୍ରଶାସନର ତିଳେ ହେଲେ ନିଘା ନାହିଁ।ଧରାକୋଟ ବ୍ଲକ ର ବାହାର ପୁର ପଞ୍ଚାୟତ ର କନିଷ୍ଠଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲେ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଏହି ଗୃହ ନିର୍ମାଣ ପାଇଁ ଦାୟିତ୍ବ ଦେଇଥିଲେ । ହେଲେ ନିର୍ମାଣ ସରିଛି କିନ୍ତୁ ଅଙ୍ଗନବାଡି କେନ୍ଦ୍ର ର ବିଲ ସଂପୃକ୍ତ ବ୍ୟକ୍ତିଙ୍କୁ ମିଳିନଥିବା ଯୋଗୁଁ ସେ ଏଥିରେ ତାଲା ପକାଇ ରଖିଛନ୍ତି , ଏଣୁ ଶିଶୁଙ୍କ କାମରେ ଆସୁନି ଏହି ଅଙ୍ଗନବାଡି କେନ୍ଦ୍ର l ଏହା ଦେଖିବାକୁ ମିଳୁଛି ଧରାକୋଟ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ମାଣିକପୁର ସେକ୍ଟର ଅନ୍ତର୍ଗତ ବାହାରପୁର ପଂଚାୟତ ସଦରମହକୁମା ର ଅଙ୍ଗନବାଡି ଦୁଇ ନମ୍ବର କେନ୍ଦ୍ରରେ l ରାଜ୍ୟ ସରକାରଙ୍କ ପକ୍ଷରୁ କୋମଳ ମତି ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ଏବଂ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ, ପୋଷଣ, ଟୀକାକରଣ, ମମତା ଦିବସ କିଶୋରୀ ବାଳିକା ଏବଂ ପ୍ରାକ ବିଦ୍ୟାଳୟ ରେ ୦୩ ବର୍ଷ ରୁ ୦୬ ବର୍ଷ ର ଶିଶୁ ମାନଙ୍କ ଅଧୟନ ଏବଂ ପୋଷଣ ଯୁକ୍ତ ଆହାର ପ୍ରଦାନ ନିମନ୍ତେ ଏକ ଅଙ୍ଗନବାଡି କେନ୍ଦ୍ର ନୂତନ ଭାବେ ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ପ୍ରଦାନ କରିଥାନ୍ତି ସରକାର l ସରକାର ଙ୍କ ପକ୍ଷରୁ ବ୍ଲକ ପ୍ରଶାସନ ଏହାର ତଦାରଖ କରନ୍ତି l ବ୍ଲକ ର ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହି କାମ ସମ୍ପୂର୍ଣ୍ଣ ହେବା ପରେ ଏହି କୋଠା ଟି ସିଡିପିଓ ଙ୍କୁ ହସ୍ତାନ୍ତର କରାଯିବା ନିୟମ ରହିଛି l ସିଡିପିଓ ସରକାର ଙ୍କ ନିର୍ଦ୍ଦେଶନାମା ର ନିୟମ ଅନୁସାରେ ରୋଷେଇ ଘର, ମମତା ଗୃହ, ଷ୍ଟୋର ରୁମ, ପିଲାମାନଙ୍କ ପାଇଁ ପ୍ରାକ ବିଦ୍ୟାଳୟ କୋଠରୀ, ଘର ର ରଙ୍ଗ, ବିଦ୍ୟୁତ, ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା, ଦିବ୍ୟାଙ୍ଗ ପାଇଁ ଖସଡ଼ା,ଇତ୍ୟାଦି ର କାମ ସମ୍ପୂର୍ଣ ହେଲା ବୋଲି ନିରୀକ୍ଷଣ ପରେ ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ କେନ୍ଦ୍ର ପରିଚାଳନା ନିମନ୍ତେ ଅନୁମତି ଦିଅନ୍ତି l ହେଲେ ବାହାର ପୁର ଦୁଇ ନମ୍ବର କେନ୍ଦ୍ର କୋଠା ଦୀର୍ଘ ବର୍ଷ ହେଲା ଏହି ତିଆରି ହୋଇଥିଲେ ମଧ୍ୟ ପିଲା ଙ୍କ କାମ ରେ ଆସୁନି l ଖବର ନେବାରେ ଜଣାଯାଇଛି ବାହାର ପୁର ରେ ରହିଛି ତିନୋଟି ଅଙ୍ଗନୱାଡ଼ି କେନ୍ଦ୍ର। ଏକ ନମ୍ବର କେନ୍ଦ୍ରରେ 24 ଜଣ ଶିଶୁ,ଦୁଇ ନମ୍ବର ରେ 21 ଜଣ ଶିଶୁ ଓ ତିନି ନମ୍ବର ରେ 20 ଜଣ ଶିଶୁ ରହିଛନ୍ତି । ଏକ ନମ୍ବର ଓ ତିନି ନମ୍ବର କେନ୍ଦ୍ରର ନିଜସ୍ଵ କୋଠା ରହିଥିବା ବେଳେ ଦୁଇ ନମ୍ବର କେନ୍ଦ୍ର ପାଇଁ ଦୁଇବର୍ଷ ପୂର୍ବେ ବସଷ୍ଟାଣ୍ଡ ନିକଟରେ ତିଆରି ହୋଇଛି ନୂତନ କୋଠା । ହେଲେ ଧର୍ମକୁ ଅଖି ଠାର ଭଳି ପ୍ରାପ୍ୟ ପାଇନଥିବାରୁ ବ୍ୟକ୍ତି ଜଣକ ଏହାକୁ ଜୋରଜବରଦସ୍ତି ଏଥିରେ ତାଲା ପକାଇ ରଖିଛନ୍ତି । ସେପଟେ ବାହାର ପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ତିନି ନମ୍ବର କେନ୍ଦ୍ର ରେ ଉଭୟ ଦୁଇ ଓ ତିନି କେନ୍ଦ୍ରର ମୋଟ 41 ଜଣ ଶିଶୁ ପାଠ ପଢୁଛନ୍ତି । ଦୁଇ ନମ୍ବର କେନ୍ଦ୍ର ରେ ଛଅ ମାସରୁ ତିନି ବର୍ଷ ପର୍ଯ୍ୟନ୍ତ ଟି ହେଚ ଆର ର 27 ଜଣଙ୍କୁ ପୁଷ୍ଟିକର ଖାଦ୍ୟ ଅଣ୍ଡା,ଛତୁଆ ଓ ହାଲୁଆ ପ୍ରଦାନ କରାଯାଉଛି । ବଳକା 21 ଜଣଙ୍କୁ ରନ୍ଧା ଖାଦ୍ୟ ଭାତ, ଡାଲମା ଓ ଅଣ୍ଡା ତରକାରି ଦିଆଯାଉଛି। ଉଭୟ କେନ୍ଦ୍ର ସହାୟିକା ଗୋଟିଏ ସ୍ଥାନରେ ରୋଷେଇ କରୁଥିବାରୁ ପିଲାଏ ଅଣନିଶ୍ବାସୀ ହୋଇପଡୁଛନ୍ତି । ଏଣୁ କୋମଳମତି ଶିଶୁ ମାନଙ୍କର ବୌଦ୍ଧିକ ଓ ଶାରୀରିକ ବିକାଶ କିପରି ହେଉଥିବ ଏଥିରୁ ସ୍ପଷ୍ଟ ଅନୁମେୟ । ଘଟଣା ସମ୍ପର୍କରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଙ୍କ ସହ ଯୋଗାଯୋଗ ବେଳେ କାଗଜ ପତ୍ର ରେ ଏହି କୋଠା ତାଙ୍କୁ ବ୍ଲକ ତରଫରୁ ବି ଡି ଓ ହସ୍ତାନ୍ତର କରିଛନ୍ତି କିନ୍ତୁ ଚାବି ହସ୍ତାନ୍ତର କରିନାହାନ୍ତି । ଏଣୁ ଏହି ନୂତନ କୋଠାରେ କେନ୍ଦ୍ର ଆରମ୍ଭ ହୋଇନାହିଁ । ଏହି ଘଟଣା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ବି ଡି ଓ ଙ୍କ ଦୃଷ୍ଟିଙ୍କୁ ଆଣିଛନ୍ତି । ଏଣୁ ସ୍ଥିତାବସ୍ଥା ଦୃଷ୍ଟିରୁ ତୁରନ୍ତ ବି ଡି ଓ ଙ୍କୁ ତାଲା ପଡ଼ିଥିବା ସମ୍ପର୍କରେ ଚିଠି ଲେଖି ଜଣାଇବେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଅଙ୍ଗନବାଡି କେନ୍ଦ୍ର ବିଷୟରେ ସମୀକ୍ଷା କଲାବେଳେ ଧରାକୋଟ ବ୍ଲକ ର ବାହାରପୁର ଦୁଇ ନମ୍ବର ଅଙ୍ଗନବାଡି କେନ୍ଦ୍ର ର ଏହି ସମସ୍ୟା ବିଷୟରେ କେହି ଜଣାଇ ନଥିବାରୁ ଏହି ସମସ୍ୟା ସମାଧାନ ହୋଇପାରିନାହିଁ l ଯନ୍ତ୍ରୀ ଓ ଠିକାଦାର ଙ୍କ ଦାୟିତ୍ଵ ହୀନତା ଯୋଗୁଁ ଛୋଟ ଛୋଟ ପିଲାଏ ତାର ଫଳ ଭୋଗୁଛନ୍ତି। ଏଣୁ ଗଞ୍ଜାମ ଜିଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଏଥି ପ୍ରତି ଦୃଷ୍ଟି ଦେଇ ନୂତନ କେନ୍ଦ୍ରର ତାଲା ଖୋଲିବା ସହ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବୀ ହେଉଛି l
