କେଜିବିଭି ରୁ ମେଡିକାଲ୍ କଲେଜକୁ ଯାତ୍ରାନିଟ୍ ପରୀକ୍ଷାରେ ସଫଳ କେଜିବିଭି ଛାତ୍ରୀ, ସୁନ୍ଦରଗଡ ସରକାରୀ ମେଡିକାଲ୍ କଲେଜରେ ପଢ଼ିବେ ଡାକ୍ତରୀ

ଭୁବନେଶ୍ବର, ୨୦ ଅଗଷ୍ଟ ୨୦୨୫ ରାଜ୍ୟ ପାଇଁ ଗୌରବ ଆଣିଲେ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ (କେଜିବିଭି)ରେ ରହି ପାଠପଢୁଥିବା ଛାତ୍ରୀ । ସମ୍ବଲପୁର ଜିଲ୍ଲା ବାମରାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (ଟାଇପ୍- IV) ହଷ୍ଟେଲରେ ରହି ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ପୂର୍ବତନ ଛାତ୍ରୀ ତଥା ଆଇକନିକ୍ ଆଚିଭର୍ ଲିଜା ମାଝୀ ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-୨୦୨୫ (NEET-2025)ରେ କୃତକାର୍ଯ୍ୟ ହୋଇଛନ୍ତି ଏବଂ ସୁନ୍ଦରଗଡ଼ସ୍ଥିତ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପଢିବେ ଡାକ୍ତରୀ । ବାମରା ବ୍ଲକର ଉଚ୍ଚକାପାଟ ଗ୍ରାମର କ୍ଷୁଦ୍ର ଚାଷୀ ଶ୍ରୀ ଲଳିତ ମୋହନ ମାଝୀ ଏବଂ ଗୃହିଣୀ ଶ୍ରୀମତୀ ପଦ୍ମିନୀ ମାଝୀଙ୍କ ଝିଅ ଲୀଜା ମାଝୀ ସଫଳତାର ସହ ନିଟ୍ – ୨୦୨୫ ଉତ୍ତୀର୍ଣ୍ଣ ହୋଇଛନ୍ତି । କିଷାନ (ଅନୁସୂଚିତ ଜନଜାତି) ସମ୍ପ୍ରଦାୟର ଲିଜା ୨୦୨୧ ମସିହାରେ କେଜିବିଭି, ବାମରା-IV ରେ ଯୋଗ ଦେଇଥିଲେ । ନବମ-ଦଶମ ଶ୍ରେଣୀ ପଢିଲା ବେଳେ ସେ ସେଠାରେ ରହିଛନ୍ତି । ଲିଜାଙ୍କ ପ୍ରତିଭା ବିଦ୍ୟାଳୟରୁ ହିଁ ସ୍ପଷ୍ଟ ବାରି ହୋଇପଡୁଥିଲା । ସେ ବାମରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ି ମାଟ୍ରିକରେ ୮୨ ପ୍ରତିଶତ ଏବଂ ଓଏଭି (ଆଇକନିକ୍), ଭୁବନେଶ୍ବରଠାରେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଥିଲେ ଏବଂ ସେ ସେଥିରେ ୮୧.୬ ପ୍ରତିଶତ ରଖିଥିଲେ । ମଧ୍ୟବିତ୍ତ ପରିବାରରୁ ଆସି ଲିଜା ଦୃଢ଼ତାର ସହ ସାମାଜିକ ଓ ଆର୍ଥିକ ପ୍ରତିବନ୍ଧକକୁ ଅତିକ୍ରମ କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହେଉଛି ଅବହେଳିତ ଓ ବିଦ୍ୟାଳୟ ବାହାରେ ଥିବା କିଶୋରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ । ଏହି ମିଶନରେ ଓଡ଼ିଶା ସର୍ବଦା ଆଗୁଆ ରହିଆସିଛି ଏବଂ କେଜିବିଭି ଏଭଳି ନିରନ୍ତର ପ୍ରେରଣାଦାୟକ ସଫଳତା ସୃଷ୍ଟି କରିଆସିଛି । ଅନେକ ପ୍ରାକ୍ତନ ଛାତ୍ରୀ ଶିକ୍ଷା, ବୃତ୍ତିଗତ କ୍ଷେତ୍ର ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍କର୍ଷ ହାସଲ କରିଛନ୍ତି, ଯାହା ଶିକ୍ଷା ଏବଂ ସଶକ୍ତିକରଣର ପରିବର୍ତ୍ତନଶୀଳ ପ୍ରଭାବକୁ ପ୍ରତିଫଳିତ କରିଥାଏ ।ଲିଜାଙ୍କ ସଫଳତାକୁ ନେଇ କେଜିବିଭି ବିଦ୍ୟାଳୟର କର୍ତ୍ତୃପକ୍ଷ ଗୌରବ ପ୍ରକାଶ କରି କହିଛନ୍ତି, ତାଙ୍କ କାହାଣୀ କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ ବରଂ ଗ୍ରାମୀଣ ଓଡ଼ିଶାର ଅଗଣିତ ବାଳିକାଙ୍କ ପାଇଁ ଏକ ଆଶାର ପ୍ରତୀକ । କେଜିବିଭିର ଶ୍ରେଣୀଗୃହରୁ ମେଡିକାଲ କଲେଜର କରିଡର ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରମାଣ କରେ ଯେ ଶିକ୍ଷା ହେଉଛି ସଶକ୍ତିକରଣର ସବୁଠାରୁ ଶକ୍ତିଶାଳୀ ହତିଆର୍ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ରୋଜାଲିନ୍ ସାହୁଲୋକସମ୍ପର୍କ ଅଧିକାରୀବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ l

Leave a Reply

Your email address will not be published. Required fields are marked *