ନିଷ୍କାସିତ ହୋଇନପାରି ଗାଁ ଦାଣ୍ଡରେ ଜମି ରହୁଛି ବର୍ଷାପାଣି
ନିଷ୍କାସିତ ହୋଇନପାରି ଗାଁ ଦାଣ୍ଡରେ ଜମି ରହୁଛି ବର୍ଷାପାଣି।ଡ୍ରେନେଜ ପାଇଁ ଦାବୀ।ଗୋକୁଳପୁର ଆଖଣ୍ଡଳମଣି ମନ୍ଦିର ଠାରୁ ତାଳଦଣ୍ଡା କେନାଲ ପର୍ଯ୍ୟନ୍ତ ୨ଶହ ମିଟର ରାସ୍ତା।
ରଘୁନାଥପୁର:-୨୧/୮:- ରଘୁନାଥପୁର ବ୍ଲକ ତାରପୁର ପଞ୍ଚାୟତ ଗୋକୁଳପୁର ଗ୍ରାମର ଆଖଣ୍ଡଳମଣି ମନ୍ଦିର ଠାରୁ ତାଳଦଣ୍ଡା କେନାଲ ପର୍ଯ୍ୟନ୍ତ ୨ ଶହ ମିଟର ରାସ୍ତାରେ ଜମି ରହୁଛି ୧ ଫୁଟ ଉଚ୍ଚର ବର୍ଷାପାଣି।ରାସ୍ତାଟି ନିମ୍ନରେ ଥିବା ଏବଂ ଉଭୟ ପାର୍ଶ୍ଵରେ ଥିବା ବେସରକାରୀ ଜମି ଉଚ୍ଚରେ ରହୁଥିବାରୁ ବର୍ଷାପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ହିଁ ଜମି ରହୁଛି।ଏହାଛଡା ଗ୍ରାମର ଅର୍ଦ୍ଧାଧିକ ଅଞ୍ଚଳର ପାଣି ଏହି ପାର୍ଶ୍ଵକୁ ଗଡି ଆସୁଥିବାରୁ ପରିସ୍ଥିତିକୁ ଆହୁରି ସଙ୍ଗୀନ କରୁଛି।ଫଳରେ ଏହି ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ୧୦ ପରିବାର ଓ ନିକଟରେ ଥିବା ଅନୁସୂଚିତ ସାହିର ଲୋକେ ପାଣିରେ ପଶି ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି।ଅଙ୍ଗନୱାଡି ଓ ସ୍କୁଲକୁ ଯାଉଥିବା ପିଲା ତଥା ନିକଟରେ ଥିବା ଆଖଣ୍ଡଳମଣି ଓ ମା ମଲିକେଶ୍ଵରୀ ମନ୍ଦିରକୁ ଆସୁଥିବା ଲୋକେ ଜମି ରହିଥିବା କର୍ଦମାକ୍ତ ପାଣିରେ ପଶି ଯିବାକୁ ପଡୁଛି।ଜମି ରହିଥିବା ଉକ୍ତ ବର୍ଷାପାଣି ନିଷ୍କାସିତ ପାଇଁ ଆଖଣ୍ଡଳମଣି ମନ୍ଦିର ଠାରୁ ତାଳଦଣ୍ଡା କେନାଲ ପାର୍ଶ୍ଵ ଦେଇ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପାଖରେ ଥିବା ମାଇନର କେନାଲ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ଚନ୍ଦ୍ରଶେଖର ସିଂହ, ରବୀନ୍ଦ୍ର କୁମାର ସାହୁ, ଧିରେନ କୁମାର ସିଂହ,ଅକ୍ଷୟ କୁମାର ମଲ୍ଲିକ,ନିରାକାର ସିଂହ, ସୁରେଶ କୁମାର ବାରିକ,ବନମାଳୀ ଭୋଇଙ୍କ ସହ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ତେବେ ଏ ନେଇ ଅଭିଯୋଗ ଆସିନଥିବାର ବିଡିଓ ବିରଞ୍ଚି ନାରାୟଣ ବେହେରା ପ୍ରକାଶ କରିଛନ୍ତି।ଅନ୍ୟପକ୍ଷେ ସରପଞ୍ଚଙ୍କ ସହ କ୍ଷେତ୍ର ପରିଦର୍ଶନ କରି ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ ବେହେରା କହିଛନ୍ତି।
