ପୁରୀ ଜିଲ୍ଲା ବୀରନରସିଂହପୁର ଗ୍ରାମରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିରର ଆୟୋଜନ
ପୁରୀ ତା ୨୫.୦୮.୨୦୨୫ : ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ପୁରୀ ଜିଲ୍ଲା ବୀରନରସିଂହପୁର ଗ୍ରାମର ଗ୍ରାମବାସୀମାନଙ୍କର ମିଳନୋତ୍ସବ କମିଟି ପକ୍ଷରୁ ଗତ ମାସଠାରୁ ଗ୍ରାମରେ ନିଶୁଲ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଆସୁଅଛି | ଗତ ମାସରେ ଏହା ୨୭ ତାରିଖରେ ଓ ଚଳିତ ମାସରେ ଏହା ଗତ ରବିବାର ୨୪ ତାରିଖରେ ଗ୍ରାମର ଲାଇବ୍ରେରୀ ହଲରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ଗ୍ରାମର ଡାକ୍ତର ସନ୍ତୋଷ କୁମାର ମିଶ୍ର , ଡାକ୍ତର ବନଲତା ମିଶ୍ର ଓ ଡାକ୍ତର ବିରଜା ଶଙ୍କର ରଥ ଯୋଗଦେଇଥିଲେ | ଏହି ନିଶୁଲ୍କ ସ୍ୱାସ୍ଥ୍ୟ ଶିବିର ସକାଳ ୯ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିଲା | ଏଥିରେ ବୀରନରସିଂହପୁର ତଥା ଆଖପାଖ ଗ୍ରାମମାନଙ୍କରୁ ଗତ ମାସର ପ୍ରଥମ ଶିବିରରେ ୭୮ ଜଣ ଓ ଗତ ରବିବାରରେ ଅନୁଷ୍ଠିତ ଦ୍ଵିତୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ୧୧୭ ଜଣ ରୋଗୀ ଯୋଗଦେଇଥିଲେ | ଏହି ଶିବିରରେ ଡାକ୍ତରଙ୍କ ତତ୍ୱାବଧାନରେ ରକ୍ତଚାପ , ମଧୁମେହ ଓ ରକ୍ତରେ ହିମୋଗ୍ଲୋବିନ ମାତ୍ରାର ପରୀକ୍ଷା କରାଯିବା ସହ ବୋନ ମିନେରାଲ ଡେନସିଟି ପରୀକ୍ଷଣ ମଧ୍ୟ ନିଃଶୁଳ୍କ କରାଯାଇ ରୋଗୀମାନଙ୍କୁ ବିନାମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା।

ଏହା ବ୍ୟତୀତ ଶାରୀରିକ ଅସୁସ୍ଥତା ଯୋଗୁ ଶିବିରରେ ଯୋଗ ଦେଇପାରିନଥିବା ନଅ ଜଣ ବୟସ୍କ ବ୍ୟକ୍ତିଙ୍କ ଘରକୁ ଡାକ୍ତର ଯାଇ ରୋଗୀମାନଙ୍କ ସଂଗେ କଥା ହୋଇ ଆବଶ୍ୟକୀୟ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ | ଏପରି ଅଭିନବ ପଦକ୍ଷେପ ରୋଗୀମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକେଇଥିଲା | ଗ୍ରାମବାସୀଙ୍କ ସହଯୋଗ, ସ୍ବେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ପରିଶ୍ରମ , ସର୍ବୋପରି ଡାକ୍ତର ମାନଙ୍କର ଉତ୍ସର୍ଗୀକୃତ ସେବା ମନୋବୃତ୍ତି ଫଳରେ ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ସଂପନ୍ନ ହୋଇଥିଲା | ଏହାର ସଫଳତା ପାଇଁ ଗ୍ରାମର ଜନପ୍ରିୟ ରାଜନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ସମେତ କମିଟିର ମୁଖ୍ୟ ଉପେଦେଷ୍ଟା, ଉପଦେଷ୍ଟା ତଥା ସମସ୍ତ ଗ୍ରାମବାସୀମାନେ ଡାକ୍ତରବଂଧୁ ଓ କର୍ମକର୍ତ୍ତା ମାନଙ୍କର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି ।
