ପ୍ରବାସୀମାନଙ୍କ କଲ୍ୟାଣ ସଂପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର ଠାରେ ଆଂଚଳିକ ବିବିଧତାଭିତ୍ତିରେ ଓଡ଼ିଶାରେ ଦେଖାଦେଉଥିବା ପ୍ରବାସ ଏବଂ ପ୍ରବାସୀମାନଙ୍କ କଲ୍ୟାଣ ସଂପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତଭୁବନେଶ୍ୱର ତା- ୨୦.୧୨.୨୦୨୫ ନବକୃଷ୍ଣ ଚୌଧୁରୀ ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର (ଏନସିଡିଏସ), ଭୁବନେଶ୍ୱର ଠାରେ “ଓଡ଼ିଶାରେ ପ୍ରବାସ ପ୍ରକ୍ରିୟାରେ ଆଂଚଳିକ ବୈଷମ୍ୟ, ଏଥି ସଂପର୍କିତ ଅନୁକୂଳ ଆଚରଣ ଏବଂ ସୁସ୍ଥତା” ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଏକଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ବରିଷ୍ଠ ସରକାରୀ ପଦାଧିକାରୀ, ପ୍ରମୁଖ ବିଶେଷଜ୍ଞ ଏବଂ ଗବେଷକମାନେ ଯୋଗଦେଇ ସମାବେଶୀ ପ୍ରବାସ ନୀତିଗୁଡ଼ିକ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କର୍ମଶାଳା ରାଜ୍ୟ ଉନ୍ନୟନ କମିଶନର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏନସିଡିଏସର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶ୍ରମ ଆୟୁକ୍ତ, ଓଡ଼ିଶା ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଆନ୍ତର୍ଜାତୀୟ ପ୍ରବାସ ଏବଂ ବିକାଶ ସଂସ୍ଥା ଏବଂ କେରଳ ରାଜ୍ୟ ବିକାଶ ଅଧ୍ୟୟନ କେନ୍ଦ୍ରର ପୂର୍ବତନ ପ୍ରଫେସର ଶ୍ରୀ ଇରୁଦୟ ରାଜନ, ଆନ୍ତର୍ଜାତୀୟ ଲୋକସଂଖ୍ୟା ବିଜ୍ଞାନ ସଂସ୍ଥା, ମୁମ୍ବାଇର ପ୍ରଫେସର ଉଦୟ ଶଙ୍କର ମିଶ୍ର ଭଳି ପ୍ରମୁଖ ଅତିଥି ତଥା ବକ୍ତାମାନେ ଯୋଗଦେଇ ବିଭୟଭିତ୍ତିକ ଆଲୋଚନା କରି ଓଡ଼ିଶାରେ ବିଭିନ୍ନ କାରଣରୁ ଜିଲ୍ଲାରୁ ଅନ୍ୟ ଜିଲ୍ଲା, ରାଜ୍ୟରୁ ଅନ୍ୟ ରାଜ୍ୟ ବା ଦେଶ ବିଦେଶକୁ ପ୍ରବାସ ସଂପର୍କିତ କାରଣ, ଏ କ୍ଷେତ୍ରରେ ସମାଧାନ ଏବଂ କଣ କଲେ ପ୍ରବାସୀମାନଙ୍କର ସୁବିଧା ହୋଇପାରିବ, ସେ ସଂପର୍କରେ ସେମାନଙ୍କର ମୂଲ୍ୟବାନ ଦୃଷ୍ଟିକୋଣ ଏବଂ ନୀତି-ଆଧାରିତ ମତ ପ୍ରଦାନ କରିଥିଲେ । ଏନସିଡିଏସ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ପ୍ରମାଣ ଆଧାରିତ ଗବେଷଣା ଓ ପ୍ରବାସୀମାନଙ୍କ ପାଇଁ ଆଗାମୀ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । ୬୫୦ ରୁ ଅଧିକ ପରିବାରର ଏକ ସର୍ବେକ୍ଷଣ ଉପରେ ଆଧାର କରି, ସେ ଏହି ଅଧ୍ୟୟନରେ ପ୍ରବାସୀମାନଙ୍କର ସ୍ଥାନାନ୍ତରଣ ଢାଞ୍ଚା, ଅନୁକୂଳ ଆଚରଣ ଏବଂ ସେମାନଙ୍କ ସୁସ୍ଥତା ସଂପର୍କରେ ଫଳାଫଳରେ ଆଞ୍ଚଳିକ ଭିନ୍ନତା ଉପରେ ଆଲୋକପାତ କରିଥିଲେ । ଶ୍ରୀ ମହାନ୍ତି କହିଥିଲେ ଯେ, ସ୍ଥାନାନ୍ତରଣ ସମସ୍ୟାକୁ ସମାଧାନ କରିବାରେ ନୁହେଁ, ଏହା ଜୀବନରେ ଉନ୍ନତି ଆଣିବା, ସାମାଜିକ ସୁରକ୍ଷା ବୃଦ୍ଧି ଏବଂ ପରିବାରକୁ ସଶକ୍ତ କରିବାର ଏକ ସୁଯୋଗ । ବୟସ୍କ ବ୍ୟକ୍ତି ଏବଂ ପଛରେ ରହିଯାଇଥିବା ପିଲାମାନେ ସମ୍ମୁଖୀନ ହେଉଥିବା ନୀରବ ଆହ୍ୱାନ ଏବଂ ବାଧ୍ୟତାମୂଳକ ସ୍ଥାନାନ୍ତରଣର ଢାଞ୍ଚାଗତ ପ୍ରକୃତି ଉପରେ ସେ ଆଲୋକପାତ କରିଥିଲେ । ମାନବ-କୈନ୍ଦ୍ରିକ ଏବଂ ଅଞ୍ଚଳ ନିର୍ଦ୍ଦିଷ୍ଟ ନୀତି ଉପରେ ସେ ଆଲୋକପାତ କରିଥିଲେ । ଆଲେଚନା ଚକ୍ରରେ ଏନସିଡିଏସର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆସୋସିଏଟ୍ ପ୍ରଫେସର ଡ. ସନ୍ଧ୍ୟା ରାଣୀ ମହାପାତ୍ର ସେ କରିଥିବା ତୃଣମୂଳସ୍ତରରୁ ପ୍ରବାସୀମାନଙ୍କ ସଂପର୍କିତ ଅନୁସନ୍ଧାନଭିତ୍ତିକ ଗବେଷଣା ଉପସ୍ଥାପନ କରିଥିଲେ । ଆର୍ଥିକ ଅବସ୍ଥା ସୁଧୁରିବା, ସାମାଜିକ, ମାନସିକ ଓ ସ୍ୱାସ୍ଥ୍ୟଗତ କାରଣ ଆଦି ବିଭିନ୍ନ ଦୃଷ୍ଟିରୁ ସ୍ଥାନାନ୍ତରଣକୁ ଏକ ବହୁମୁଖୀ ଆବଶ୍ୟକତା ପ୍ରସଙ୍ଗ ଭାବରେ ସେ ଉପସ୍ଥାପନ କରିଥିଲେ । ଡ. ମହାପାତ୍ର ବିଭିନ୍ନ କ୍ଷେତ୍ରର ପ୍ରମାଣ ଆଧାରରେ ପ୍ରବାସୀ ଶ୍ରମିକ ଏବଂ ସେମାନଙ୍କ ପରିବାର କିଭଳି ସକ୍ରିୟ ଭାବେ ଆହ୍ୱାନର ମୁକାବିଲା କରୁଛନ୍ତି ସେ ସଂପର୍କରେ ଦର୍ଶାଇଥିଲେ । ସେମାନେ ଅସୁରକ୍ଷିତ ଥିବା ଓ ଯଥେଷ୍ଟ ସଂସ୍ଥାଗତ ସହାୟତା ଆବଶ୍ୟକତା କରୁଥିବା ସେ ପ୍ରକାଶ କରିଥିଲେ । ସାମାଜିକ ସୁରକ୍ଷା, ଗୃହ, ସ୍ୱାସ୍ଥ୍ୟ ଏବଂ ଜୀବିକାକୁ ଲକ୍ଷ୍ୟ ରଖି ସରକାରୀ ହସ୍ତକ୍ଷେପ ଉଭୟ ପ୍ରବାସୀ ଏବଂ ସଂପୃକ୍ତ ସମ୍ପ୍ରଦାୟ ପାଇଁ ପରିବର୍ତ୍ତନଶୀଳ ଫଳାଫଳ ସୃଷ୍ଟି କରିପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ ସ୍ଥାନୀୟ ବାସ୍ତବତାକୁ ଆଧାର କରି ପ୍ରବାସ ନୀତି ପ୍ରସ୍ତୁତ କରିବା ଓ ତାଙ୍କର ଗବେଷଣାରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସରକାରଙ୍କୁ ଦାଖଲ କରିବେ, ଯାହା ଆଗାମୀ ଦିନରେ ପ୍ରବାସୀମାନଙ୍କ ପାଇଁ ନୀତି ନିର୍ଦ୍ଧାରଣ ଓ ସେମାନଙ୍କର ଜୀବନଜୀବିକା ବ୍ୟବସ୍ଥାକୁ ସୁଦୃଢ କରିବ ବୋଲି ପ୍ରକାଶ କରିଥିଲେ । ରାଜ୍ୟ ଶ୍ରମ କମିଶନର ଶ୍ରୀ ତ୍ରିପାଠୀ ଯୋଗଦେଇ ପ୍ରବାସୀମାନଙ୍କ ପାଇଁ ଓଡ଼ିଶାର ସକ୍ରିୟ ପଦକ୍ଷେପଗୁଡ଼ିକ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଲେ ଯେ, ଆମେ ପ୍ରବାସକୁ ସୁରକ୍ଷିତ ଏବଂ ଅଧିକ ଫଳପ୍ରଦ କରିବା ପାଇଁ କାମ କରୁଛୁ । ଏଥି ପାଇଁ ଏକ ସହାୟତା ନମ୍ବର ୧୮୦୦୩୪୫୬୭୦୩ ଜାରି କରାଯାଇଛି । ପ୍ରବାସୀମାନେ ଯେଉଁ ଗନ୍ତବ୍ୟ ରାଜ୍ୟକୁ ଯାଉଛନ୍ତି ସେଠାରେ ସହାୟତା କେନ୍ଦ୍ର (ହେଲ୍ପ ଡେକ୍ସ) ବ୍ୟବସ୍ଥା କରାଯାଉଛି । ଉଦ୍ଦିଷ୍ଟ କଲ୍ୟାଣମୂଳକ ଯୋଜନାଗୁଡ଼ିକର ସେମାନେ ଯେପରି ସୁବିଧାରେ ପାଇପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି । ପ୍ରବାସୀମାନଙ୍କ ପାଇଁ ଏକ ବିସ୍ତୃତ ଡାଟାବେସ୍ ପ୍ରସ୍ତୁତ କରାଯାଉଛି । ସେ ଏହା ମଧ୍ୟ ଉଲ୍ଲେଖ କଲେ ଯେ, ଏହି ପଦକ୍ଷେପଗୁଡ଼ିକ ଓଡ଼ିଶାରୁ ପ୍ରବାସକୁ କାର୍ଯ୍ୟ ପାଇଁ ଯାଉଥିବା ଲୋକମାନଙ୍କୁ ସମୟୋପଯୋଗୀ କ୍ଷତିପୂରଣ, ସେମାନଙ୍କର ଅଭିଯୋଗ ସମାଧାନ ଏବଂ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ଆନ୍ତର୍ଜାତୀୟ ପ୍ରବାସ ଏବଂ ବିକାଶ ସଂସ୍ଥାରର ଅଧ୍ୟକ୍ଷ ପ୍ରବାସୀ ମାନଙ୍କ କଲ୍ୟାଣ ପାଇଁ ନୀତି ନିର୍ଦ୍ଧାରଣ ପାଇଁ ବ୍ୟାପକ ତଥ୍ୟର ଆବଶ୍ୟକତା ସଂପର୍କରେ ଗୁରୁତ୍ୱଦେଇ ଥିଲେ । କେରଳର ପ୍ରବାସ ସର୍ଭେ କାର୍ଯ୍ୟ ଏବଂ ଓଡ଼ିଶାରେ ୧୫୦୦୦ ପରିବାରଙ୍କ ଠାରୁ ସଂଗୃହିତ ଅଧ୍ୟୟନକୁ ଉର୍ଦ୍ଧୃତ କରି ସେ ତଥ୍ୟ ଆଧାରିତ ନିଷ୍ପତ୍ତି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ । ପ୍ରଫେସ ଶ୍ରୀ ମିଶ୍ର ଯୋଗଦେଇ କହିଲେ ଯେ, ପ୍ରବାସ, ଉଭୟ ପ୍ରବାସୀମାନେ ଯାଉଥିବା ସ୍ଥାନ ଓ ଗନ୍ତବ୍ୟ ସ୍ଥାନର ବିକାଶକୁ ସଂଯୋଜିତ କରିଥାଏ । ସେଥିପାଇଁ ସେମାନଙ୍କ ପାଇଁ ଲାଭଦାୟକ ହେଉଥିବା ନୀତିର ଆବଶ୍ୟକତା ଓ କାର୍ଯ୍ୟକାରିତା ସଂପର୍କରେ ସେ ଆଲୋକପାତ କରିଥିଲେ । ଅପରାହ୍ଣର ବୈଷୟିକ ଅଧିବେଶନରେ ଡକ୍ଟର ଗ୍ରେସ୍ ବାହାଲେନ୍ ମୁଣ୍ଡୁ, ଡକ୍ଟର ବୈଶାଳୀ ଗୋସ୍ୱାମୀ, ଡକ୍ଟର ମଧୁସୂଦନ ନାଗ ଏବଂ ପ୍ରଫେସର ତାରା ନାୟାର ପ୍ରମୁଖ ଯୋଗଦେଇ ପ୍ରବାସ ଆଦିବାସୀ ସମ୍ପ୍ରଦାୟମାନେ ପ୍ରବାସ ପାଇଁ ବିପଦପୂର୍ଣ୍ଣ ଭାବେ ସ୍ଥାନାନ୍ତରଣ କରୁଥିବା, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରବାସ, ଭୌଗୋଳିକ –ନିର୍ଦ୍ଦିଷ୍ଟ ଅସମାନତା ଆଦି ବିଭିନ୍ନ କାରଣ ସଂପର୍କରେ ଆଲୋଚନା କରିଥିଲେ । ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ଅଧିକାରୀମାନେ ପ୍ରବାସୀ କଲ୍ୟାଣ କାର୍ଯ୍ୟକ୍ରମ, ପଞ୍ଜୀକରଣ ଏବଂ ଆନ୍ତଃରାଜ୍ୟ ସମନ୍ୱୟ ଉପରେ ସଦ୍ୟତମ ସୂଚନା ପ୍ରଦାନ କରିଥିଲେ । ଆଲୋଚନାଚକ୍ର ଏକ ଦୂରଦୃଷ୍ଟି ସମ୍ପନ୍ନ ଦୃଷ୍ଟିକୋଣ ସହିତ ଶେଷ ହୋଇଥିଲା । ପ୍ରବାସକୁ ଏକ ସମାବେଶୀ ଅଭିବୃଦ୍ଧି, ଦୃଢ ଏବଂ ସାମାଜିକ କଲ୍ୟାଣ ପାଇଁ ଏକ ବାହକ ଭାବ ପରିଣତ କରିବାରେ ଓଡ଼ିଶାରେ ଏକ ସୁଯୋଗ ସୃଷ୍ଟି ହୋଇଛି । ଡକ୍ଟର ସନ୍ଧ୍ୟା ମହାପାତ୍ରଙ୍କ ଗବେଷଣା, ବିଶେଷ ଭାବରେ ବ୍ୟବହାରିକ ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି, ଯାହା ତଥ୍ୟ-ଆଧାରିତ, ମାନବ-କୈନ୍ଦ୍ରିକ ନୀତି ସହିତ ସ୍ଥାନାନ୍ତରଣ ଜୀବିକା ବୃଦ୍ଧି କରିପାରିବ, ଗୋଷ୍ଠୀକୁ ମଜବୁତ କରିପାରିବ ଏବଂ ନିଶ୍ଚିତ କରିବ ଯେ ସମାବେଶୀ ବିକାଶରେ କେହି ପଛରେ ରହିବେ ନାହିଁ । ଓଡ଼ିଶା ପ୍ରବାସକୁ ଏକ ଆହ୍ୱାନରୁ ଏକ ସୁଯୋଗରେ ପରିଣତ କରିବାକୁ ପ୍ରସ୍ତୁତ ଅଛି, ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ ସୃଷ୍ଟି କରିବ ଏବଂ ପ୍ରମାଣଭିତ୍ତିକ, ଜନକୈନ୍ଦ୍ରିକ ବିକାଶର ଏକ ନୂତନ ଯୁଗର ସଙ୍କେତ ଦେବ ବୋଲି ଆଲୋଚନା ପ୍ରକାଶ ପାଇଥିଲା ।
