ଭଦ୍ରକରେ ଉନ୍ନୟନ ଓ ଯୋଜନାମୂଳକ କାର୍ଯ୍ୟକ୍ରମର ସମୀକ୍ଷା
ଭଦ୍ରକ, ୦୮/୦୫- ଭଦ୍ରକ ଜିଲ୍ଲାର ଉନ୍ନୟନମୂଳକ ଓ ଯୋଜନାଭିତ୍ତିକ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ (ACDC ସଭା) ଏବଂ ଜିଲ୍ଲା ଯୋଜନା ସମିତି ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଭଦ୍ରକର ନୂତନ ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ , ଭଦ୍ରକ ତଥା ଜିଲ୍ଲା ଯୋଜନା ସମିତିର ଅଧ୍ୟକ୍ଷ ଶ୍ରୀ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।ସଭାରେ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମାକି ହବିବ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ପ୍ରହ୍ଲାଦ ରଣା, ଜିଲ୍ଲା ଯୋଜନା ଓ ପ୍ରଯ୍ୟାଲୋଚନା କାର୍ଯ୍ୟାଳୟ ,ଭଦ୍ରକର ଅର୍ଥନୀତି ବିଶେଷଜ୍ଞ ଡଃ ଭଗବାନ ବାରିକ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମଳୟ ଜେନା ଏବଂ ଅତିରିକ୍ତ ଏସ୍.ପି. ଶ୍ରୀ ବିଶ୍ୱପତି ପଣ୍ତା ,ଭଦ୍ରକ ଉପସ୍ଥିତ ଥିଲେ ।

ସଭାରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଚାଲୁଥିବା ସରକାରୀ ଯୋଜନାର ଅଗ୍ରଗତି, ସାଧାରଣ ଲୋକଙ୍କ ସୁବିଧା ସହ ପ୍ରଶାସନିକ ସମନ୍ୱୟ ଉପରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା କରାଯାଇଥିଲା । ଉନ୍ନୟନମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହ ଲୋକମୁଖୀ ଯୋଜନାର ସଫଳ କାର୍ଯ୍ୟନ୍ବୟନ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ମାନ୍ଯବର ବିଧାୟକ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯଥା ସିଡିଏମ୍ଓ, ଏନ୍ଏଚ୍ଏଆଇ ବିଭାଗ, ଆର୍ ଆଣ୍ଡ ବି ବିଭାଗ, ଆର୍ଡି ବିଭାଗ, ପୋଲିସ ବିଭାଗ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନଙ୍କୁ ନେଇ ଜିଲ୍ଲାର ବିକାଶମୂଳକ ଯୋଜନା ଓ ବାକି ରହିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ । ବିଶେଷକରି ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ରହିଥିବା କାର୍ଯ୍ୟଗୁଡ଼ିକୁ ନେଇ ସେ ଗଭୀର ଚିନ୍ତା ପ୍ରକାଶ କରିବା ସହ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମାପ୍ତ କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଯୋଜନା ଓ ପ୍ରଯ୍ୟାଲୋଚନା କାର୍ଯ୍ୟାଳୟ ଭଦ୍ରକର ଅଧିକାରୀ ଶ୍ରୀ ଭୋଳାନାଥ ରାଉଳ, ଶ୍ରୀ ହରିହର ଗୁଇନ ଓ ଶ୍ରୀମତୀ ସୁଭ୍ରାଙ୍ଗିନୀ ବେହେରା ସଭା ପରିଚାଳନାରେ ସହଯୋଗ କରିଥିଲେ ।
