ତୁମ ହାତର କପେ ଚା’

ତୁମ ହାତର କପେ ଚା’
ଡ. ପ୍ରେମାନନ୍ଦ ବେହେରା

ତୁମ ହାତର କପେ ଚା’
ଧୁଆଁର ହାଲୁକା ମେଘ
କପ ଉପରେ ଘୁରୁଥିବାବେଳେ
ଲାଗୁଥିଲା ଯେମିତି
ସକାଳର ସମସ୍ତ କ୍ଲାନ୍ତି
ଧୀରେ ଧୀରେ ଦୂରେଇ ଯାଉଛି ।

ଚା’ର ସୁଗନ୍ଧ ଆଜି
ଅଲଗା ଲାଗୁଥିଲା
ମନେ ହେଉଛି ଏହାରି ମଧ୍ୟରେ
କିଛି ରହସ୍ୟ
କିଛି ନିଆରା ଅନୁଭବ,
କିଛି ଶାନ୍ତ ହସ, ସ୍ନେହ
ଲୁଚିଥିଲା ଯେମିତି ।

ତୁମ ହାତରେ ତିଆରି
ସେ ଛୋଟ କପେ ଚା’
ଆଜି ମୋ ଦିନର
ସବୁଠାରୁ ବଡ଼ ସାନ୍ତ୍ୱନା
ପିଇବା ମାତ୍ରେ
ଭିତରର ଅସ୍ଥିରତା
ଅଜାଣତରେ କୁଆଡେ
ଉଭେଇଗଲା ।

କେବେ କେବେ
ଏମିତି ଛୋଟ କାମ
ଦିନକୁ ବଦଳାଇଦେଇପାରେ
ଏକ କପ୍ ଚା’
ତୁମ ହାତର ସ୍ନେହ
ନରମ ନରମ କଥା,
ମନଖୋଲା ଛୋଟ ହସ ।

ଆଜି ସେଇ ଚା ପିଇ
ମନେ ହେଲା
ଜୀବନଟା ବହୁତ ଜଟିଳ ନୁହେଁ
ସହଜ ସମୟ,
ନରମ ମୁହୂର୍ତ୍ତ,
ଏବଂ ତୁମ ହାତର କପେ ଚା’
ଆଜିର ସେଇ ଚା’
ହଁ—
ମୋ ମନରେ ଚିରଦିନ
ସ୍ମୃତି ହୋଇ ରହିଯିବ ।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *