ପୁରୀ ପୋଲିସ ପ୍ରଶାସନର ନୂଆ ବର୍ଷ ପାଇଁ ବ୍ୟାପକ ପ୍ରସ୍ତୁତି

Dt-30,12,25 ଆସନ୍ତାକାଲି ବର୍ଷର ଶେଷଦିନ ଅର୍ଥାତ ଡିସେମ୍ବର ୩୧ ତାରିଖ ଓ ନୂଆବର୍ଷକୁ ନେଇ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି। ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁବିଧାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ପୁରୀ ଏସପି ପ୍ରତୀକ୍ ସିଂ ମୁତୟନ ହେଉଥିବା ପୋଲିସ ଅଧିକାରୀ ମାନଙ୍କୁ ସେମାନଙ୍କ ଡ୍ୟୁଟି ବିଷୟରେ ଆଜି ବିସ୍ତୃତ ଭାବେ ବୁଝାଇଛନ୍ତି।ସମୁଦାୟ ୭୦ ପ୍ଲାଟୁନ ପୋଲିସ ଫୋର୍ସ ଶ୍ରୀମନ୍ଦିର ବାହାରେ,ଭିତରେ,ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀରେ ନିୟୋଜିତ ହୋଇଛନ୍ତି। ସିସିଟିଭି ବଳୟ ମଧ୍ୟରେ ରହିବ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଭିତରେ ୧୫୨ ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି ସ୍ଥାପନ କରାଯାଇଛି। ତେବେ ଶ୍ରୀମନ୍ଦିର ସିଂହଦ୍ଵାର ବାଟେ ଭକ୍ତମାନେ ପ୍ରବେଶ କରି ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତରେ ହେଉ କି ପୁରୀ ବେଳାଭୂମିରେ ହେଉ ଭକ୍ତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ପ୍ରାଥମିକ ଚିକିତ୍ସା ସହ ଆମ୍ବୁଲାନ୍ସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୁରୀ ଏସପି କହିଛନ୍ତି। ସେପଟେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ଲାଇଫଗାର୍ଡଙ୍କ ସହ ସମନ୍ୱୟ ରଖାଯାଇଥିବା ଏସପି କହିଛନ୍ତି। ପୁରୀର ସମସ୍ତ ପ୍ରବେଶପଥରେ କଡାକଡି ଯାଞ୍ଚ ସହ ପାର୍କିଂ ଉପରେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇଛି।

Leave a Reply

Your email address will not be published. Required fields are marked *