ବିଦାୟ ୨୦୨୫ – ସ୍ବାଗତ ୨୦୨୬
ବିଦାୟ ୨୦୨୫ – ସ୍ବାଗତ ୨୦୨୬
ଡ. ପ୍ରେମାନନ୍ଦ ବେହେରା
ସମୟର ନୀଳ ଆକାଶ ତଳେ,
ଶେଷ ଘଣ୍ଟାର ଘଣ୍ଟାଧ୍ୱନି ନିରବି ଯାଉଛି,
ବିଦାୟର ଲେଖା ଏକ ପତ୍ର
ହୃଦୟର ଅଭ୍ୟନ୍ତରରେ ଧୀରେ ଧୀରେ ଖୋଲୁଛି …..
ହେ ୨୦୨୫,
ତୁମେ ଥିଲ ଶିକ୍ଷକ,
ତୁମେ ଥିଲ ପରୀକ୍ଷା,
ତୁମେ ଥିଲ ଅଗ୍ନିପଥର ନୀରବ ସାକ୍ଷୀ ।।
ତୁମ ଦିନଗୁଡ଼ିକ ମଧ୍ୟରେ
କେତେ ଅଶ୍ରୁ ବହିଗଲା ସ୍ୱପ୍ନରେ,
କେତେ ହସ ଲୁଚିଗଲା ଅଜାଣତରେ
ଦାୟିତ୍ୱର ଧୂସର ଆବରଣ ତଳେ
ଭଙ୍ଗା ଆଶାର ଶିଳାପଟେ
ଲେଖାହେଲା ଧୈର୍ଯ୍ୟର ନୂଆ ଶ୍ଲୋକ,
ବିଫଳତା ମଧ୍ୟରୁ
ଜନ୍ମ ନେଲା ସଂଯମର ସୂର୍ଯ୍ୟାଲୋକ ।।
ଅନେକ ରାତି ଜାଗିଥିଲା ମନ,
ଚିନ୍ତାର ଅଗାଧ ସମୁଦ୍ରେ ଡୁବି,
ତଥାପି ପ୍ରତ୍ୟେକ ପ୍ରଭାତ
ନେଇଆସିଥିଲା ଆଶାର ନବ କିରଣ
ସମୟ ଶିଖାଇଦେଲା
ହାର୍ ମାନେ ଶେଷ ନୁହେଁ,
ହାର୍ ମାନେ ?
ପୁନଃଜନ୍ମର ଏକ ନିରବ ପ୍ରସ୍ତାବ ।।
ବିଦାୟ ୨୦୨୫,
ତୁମେ ଛାଡ଼ିଗଲ, କେବଳ ସ୍ମୃତି ନୁହେଁ,
ଛାଡ଼ିଗଲ, ଆତ୍ମପରୀକ୍ଷାର ଆଇନା,
ଯେଉଁଠି ଦେଖିଲୁ ….
ଆମେ କେତେ ଦୂର ସତ୍ୟ,
ଆଉ କେତେ ଦୂର ଅଭିନୟରେ ଧୁରନ୍ଧର ।।
ଏବେ ଦ୍ୱାର ଖୋଲୁଛି …..
ସ୍ବାଗତ ୨୦୨୬,
ନୂଆ ପ୍ରଭାତର ନୀଳ ଶିଶିରେ
ତୁମେ ଆସୁଛ ଶାନ୍ତ ପଦଚାରଣରେ
ତୁମ ହାତରେ ଅଛି
ନୂଆ ଆକାଶ,
ନୂଆ ସ୍ୱପ୍ନର ରଙ୍ଗ,
ନୂଆ ଜୀବନର ଅକ୍ଷରମାଳା ।।
ହେ ନୂତନ ବର୍ଷ,
ତୁମେ କେବଳ ନ ଆଣି ସଫଳତାର ଗୀତ,
ଆଣ ମନୁଷ୍ୟତାର ନିର୍ମଳ ଧ୍ୱନି,
ଯେଉଁଠି ପ୍ରେମ ହେଉ ଧର୍ମ,
ସହାନୁଭୂତି ହେଉ ନୀତି,
ସତ୍ୟ ହେଉ ଜୀବନର ଶେଷ ସଂଜ୍ଞା ।।
ଯୁଦ୍ଧ ନୁହେଁ …. ଶାନ୍ତି ଲେଖ,
ଘୃଣା ନୁହେଁ …. ସମ୍ବେଦନା ବୁଣ,
ଭେଦଭାବର କାନ୍ଥକୁ ଭାଙ୍ଗିଦେଇ
ଗଢ଼ ଭରସାର ଦୀର୍ଘ ସେତୁ
ପ୍ରତ୍ୟେକ ହାରିଥିବା ମୁହଁରେ
ଫେରାଇ ଦିଅ
ଆଶାର ଏକ ଛୋଟ ଦୀପ ।।
ସ୍ବାଗତ ୨୦୨୬,
ତୁମ ପଥ ହେଉ ଆଲୋକମୟ,
ତୁମ ସମୟ ହେଉ ମାନବୀୟ
ବିଦାୟ ୨୦୨୫…..କୃତଜ୍ଞତା ସହ,
ତୁମେ ଯାଉଛ, ଶିଖାଇ ଦେଇଗଲ
ଜୀବନ ମାନେ
ନିରନ୍ତର ପରିବର୍ତ୍ତନର ଏକ ପବିତ୍ର ଯାତ୍ରା ।।
ପ୍ରଧାନ ଶିକ୍ଷକ
ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହା
ପଦ୍ମପୁର, ବରଗଡ଼
9438292313
