ଘାତକ ହେଉଛି ସାଇବର ଅପରାଧର ଚକ୍ରବ୍ୟୁହ |
ଘାତକ ହେଉଛି ସାଇବର ଅପରାଧର ଚକ୍ରବ୍ୟୁହ | ଅପରାଧୀ ମାନେ ସୋସିଆଲ ମିଡ଼ିଆକୁ ଅସ୍ତ୍ର କରି ଆଖି ପିଛୁଳାକେ ବ୍ୟାଙ୍କ ଆକାଉଣ୍ଟ ସଫା କରିଦେଉଛନ୍ତି | ସାଇବର ଅପରାଧ, ଅନଲାଇନ୍ ଠକେଇ, ନକଲି ସୋସିଆଲ୍ ମିଡିଆ ଆକାଉଣ୍ଟ, ନକଲି ୱେବସାଇଟ୍ ସହ ଭୁଲ୍ ମୋବାଇଲ୍ ନମ୍ବର ମାଧ୍ୟମରେ ଅପରାଧ ଘଟୁଛି। ତେବେ ଗତ ୨୦୨୫ ରେ ପୁରୀ ସାଇବର ଥାନାରେ ସମୁଦାୟ ୩୧ ଟି ସାଇବର ସଂପର୍କିତ ମାମଲା ରୁଜୁ ହୋଇଥିବା ବେଳେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୫୮ କୋଟି ୪୦ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି। ସମୁଦାୟ ଅପରାଧ ମଧ୍ୟରୁ ପୋଲିସ 25 ପରସେଣ୍ଟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି | ନକଲି ସୋସିଆଲ୍ ମିଡିଆ, ୱେବସାଇଟ୍ ଓ ମୋବାଇଲ୍ ନମ୍ବର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ସାଇବର ଅପରାଧୀମାନଙ୍କ ନେଟୱର୍କକୁ ଭାଙ୍ଗିବା ଉଦ୍ଦେଶ୍ୟରେ ପୁରୀ ସାଇବର ଥାନା ଦ୍ୱାରା ୨୩୦ ଟି ନକଲି, ଅପରାଧିକ ସୋସିଆଲ୍ ମିଡିଆ ଆକାଉଣ୍ଟ ବ୍ଲକ୍ କରାଯାଇଛି | ସେଥି ମଧ୍ୟରୁ ୭୦ ଟି ନକଲି ୱେବସାଇଟ୍ ବ୍ଲକ୍ ଓ ୬୪ ଟି ନକଲି ମୋବାଇଲ୍ ନମ୍ବର ବ୍ଲକ୍ କରାଯାଇଛି। ସାଇବର ଅପରାଧ ଘଟିଲେ ତୁରନ୍ତ ଅଭିଯୋଗ କଲେ ଟଙ୍କା ରିକଭରିର ସମ୍ଭାବନା ରହିଥାଏ । ଲୋକମାନେ ସଚେତନ ରୁହନ୍ତୁ ଓ ସନ୍ଦିଗ୍ଧ ଲିଙ୍କ୍, କଲ୍ ଓ OTP ଠାରୁ ଦୂରେଇ ରୁହନ୍ତୁ ବୋଲି ପୁରୀ ଏସପି ନିବେଦନ କରିଛନ୍ତି। ସାଇବର ଅପରାଧ ଘଟିଲେ ତୁରନ୍ତ ହେଲ୍ପଲାଇନ୍ ନମ୍ବର 82804 91300 ରେ ସମ୍ପର୍କ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି।
