ସାରଙ୍ଗପୁରରେ ଟାଟା ଷ୍ଟିଲ ଫାଉଣ୍ଡେସନର ପାଞ୍ଚଦିନିଆ ଆଦିବାସୀ ସାଂସ୍କୃତିକ କର୍ମଶାଳା ଉଦ୍ଯାପିତ
ସାରଙ୍ଗପୁରରେ ଟାଟା ଷ୍ଟିଲ ଫାଉଣ୍ଡେସନର ପାଞ୍ଚଦିନିଆ ଆଦିବାସୀ ସାଂସ୍କୃତିକ କର୍ମଶାଳା ଉଦ୍ଯାପିତ
କଳିଙ୍ଗନଗର, ଅଗଷ୍ଟ ୧, ୨୦୨୬: ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ, ଜାମସେଦପୁରର ‘ଆଦିବାସୀ ରୋମୋଜ ଅଖଡ଼ା’ର ସହଯୋଗରେ, ନଡ଼ିଆଭଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାରଙ୍ଗପୁର ଗ୍ରାମରେ ଆୟୋଜିତ ପାଞ୍ଚଦିନିଆ ‘ଆଦିବାସୀ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ପ୍ରଶିକ୍ଷଣ କର୍ମଶାଳା’ ଶୁକ୍ରବାର ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ଜୁଲାଇ ୨୭ ରୁ ୩୧ ପର୍ଯ୍ୟନ୍ତ ଆୟୋଜିତ ଏହି ସାଂସ୍କୃତିକ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଜନଜାତି କଳା ସଂସ୍କୃତିର ପ୍ରଚାର, ପ୍ରସାର, ସଂରକ୍ଷଣ ଓ ଏହାର ପୁନରୁଦ୍ଧାର।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମର ଯୁବକ, ଯୁବତୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ମିଶାଇ ମୋଟ ୬୧ ଜଣ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, ଏବଂ ନିଜର ମୂଳ ସଂସ୍କୃତି ସହ ଯୋଡ଼ିହେବାର ସୁଯୋଗ ପାଇଥିଲେ। ଏହି ପାଞ୍ଚ ଦିନ ଧରି ଅଂଶଗ୍ରହଣକାରୀମାନଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟଶୈଳୀ ଏବଂ ବିଲୁପ୍ତପ୍ରାୟ ଦେଶୀୟ ବାଦ୍ୟଯନ୍ତ୍ର ବଜାଇବାର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ନୂତନ ପିଢ଼ିକୁ ଏହି ପ୍ରାଚୀନ କଳା ଓ କୌଶଳ ସିଧାସଳଖ ହସ୍ତାନ୍ତର କରିବା ଦ୍ୱାରା, ଏହି କର୍ମଶାଳା ଯୁବପିଢ଼ିମାନଙ୍କ ମଧ୍ୟରେ ସାଂସ୍କୃତିକ ସ୍ୱାଭିମାନ ଜାଗ୍ରତ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ସମୃଦ୍ଧ ଜନଜାତି ଐତିହ୍ୟକୁ ସୁରକ୍ଷିତ ରଖିବାରେ ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି ।
