ତାଲିକାଭୁକ୍ତ ହସ୍ପିଟାଲମାନଙ୍କ ପାଇଁ ଅନୁପ୍ରେରଣା ଓ ତାଲିମ ଶିବିର ଅନୁଷ୍ଠିତ
ଭୁବନେଶ୍ୱର, ୧.୮.୨୬ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍ଜେଏୱାଇ-ଜିଜେଏୱାଇ), ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡଧାରୀ ଏବଂ ପିଏମ୍-ରାହତ ଯୋଜନା ଅଧୀନରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ଚିକିତ୍ସା ଅଧିକ ସହଜଲବ୍ଧ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାରଙ୍କ ଦ୍ଵାରା ରାଜ୍ୟ ସ୍ୱାସ୍ଥ୍ୟ ଭରଷା ସମିତି (ସାସ୍) ମାଧ୍ୟମରେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କ ପାଇଁ ଏକ ସଘନ ଅନୁପ୍ରେରଣା ଓ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ଉଦଯାପିତ ସପ୍ତାହବ୍ୟାପୀ ଶିବିରରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ପ୍ରାୟ ୭୭୯ଟି ତାଲିକାଭୁକ୍ତ ଘରୋଇ ହସ୍ପିଟାଲକୁ ବିଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଇ ଏହି ଯୋଜନାଗୁଡ଼ିକର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା। ଶିବିରର ଉଦ୍ଘାଟନୀ ଦିବସରେ ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ରାଜ୍ୟ ସ୍ୱାସ୍ଥ୍ୟ ଭରଷା ସମିତି (ସାସ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବୃନ୍ଦା ଡି. ଏବିପିଏମ୍ଜେଏୱାଇ-ଜିଜେଏୱାଇ ଏବଂ ଏଭିଭିୱାଇ କାର୍ଡଧାରୀ ରୋଗୀମାନଙ୍କର ଦେୟମୁକ୍ତ ଚିକିତ୍ସାକୁ ଅଧିକ ସରଳ ଓ ସହଜଲବ୍ଧ କରିବାକୁ ଆହ୍ୱାନ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ସମସ୍ତ ହସ୍ପିଟାଲକୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଧାନମନ୍ତ୍ରୀ- ରାହତ ଯୋଜନାରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କର ତୁରନ୍ତ ଆଡ୍ମିସନ ଓ ଉଚ୍ଚ ମାନର ନିଃଶୁଳ୍କ ଚିକିତ୍ସା ନିଶ୍ଚିତ କରିବା ନିମନ୍ତେ ହସ୍ପିଟାଲମାନେ ସର୍ବଦା ଯତ୍ନବାନ ହେବା ଆବଶ୍ୟକ । ଡା. ବୃନ୍ଦା କହିଥିଲେ ଯେ, ଏହି ଯୋଜନାଗୁଡ଼ିକ ବିଷୟରେ ଜନସାଧାରଣଙ୍କ ସନ୍ତୋଷ ହସ୍ପିଟାଲସ୍ତରରେ ସେମାନଙ୍କୁ ମିଳୁଥିବା ବ୍ୟବହାର ଏବଂ ଚିକିତ୍ସାର ଗୁଣବତ୍ତା ସହ ସିଧାସଳଖ ଭାବେ ଜଡ଼ିତ। ରୋଗୀମାନେ କଷ୍ଟରୁ ଉପଶମ ଓ ଆରୋଗ୍ୟ ଲାଭର ଆଶା ନେଇ ଜରୁରୀ ଅବସ୍ଥାରେ ହସ୍ପିଟାଲକୁ ଆସିଥାନ୍ତି। ସେମାନଙ୍କୁ ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ନୀତିଗତ ଏବଂ ଆର୍ଥିକ ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ତେଣୁ, ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକ ରୋଗୀମାନଙ୍କୁ ତତ୍ପରତାର ସହ ଗ୍ରହଣ କରିବା, ଭର୍ତ୍ତି କରିବା ଏବଂ ଗୁଣାତ୍ମକ ଚିକିତ୍ସା ସେବା ପ୍ରଦାନ କରିବା ଦିଗରେ ସର୍ବଦା ସତର୍କ ଓ ସଜାଗ ରହିବା ଉଚିତ। ଚିକିତ୍ସା ସେବା ପ୍ରଦାନରେ କୌଣସି ଅବହେଳା, ଦୁର୍ନୀତିମୂଳକ କାର୍ଯ୍ୟ କିମ୍ବା ଅନାବଶ୍ୟକ ବିଳମ୍ବକୁ ସରକାର ଗୁରୁତର ଭାବେ ଗ୍ରହଣ କରିବେ ବୋଲି ହସ୍ପିଟାଲଗୁଡ଼ିକୁ ସତର୍କ କରାଯାଇଥିଲା। ପ୍ରାକ୍ ଓ ପରବର୍ତ୍ତୀ ହସ୍ପିଟାଲାଇଜେସନ୍ ଖର୍ଚ୍ଚର ପରିସର( ଯଥା—ରୋଗ ନିରୂପଣ ପରୀକ୍ଷା, ଅନ୍ୟାନ୍ୟ ଆବଶ୍ୟକ ଯାଞ୍ଚ ଏବଂ ହସ୍ପିଟାଲରୁ ଡିସ୍ଚାର୍ଜ ପରେ ସ୍ୱାସ୍ଥ୍ୟ ପରୀକ୍ଷା), ରୋଗୀ ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ସମୟସୀମା (ଟର୍ଣ୍ଣ-ଆରାଉଣ୍ଡ ଟାଇମ୍–ଟିଏଟି), ପ୍ରି-ଅଥରାଇଜେସନ୍, ଅନ୍ଲାଇନ୍ ପୋର୍ଟାଲ ମାଧ୍ୟମରେ ଅଭିଯୋଗର ସମାଧାନ ଏବଂ ଚିକିତ୍ସା ବିଲ ଯାଞ୍ଚ ଓ ନିଷ୍ପତ୍ତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ନିର୍ଦ୍ଦିଷ୍ଟ ପ୍ୟାକେଜ୍ ଅଧୀନରେ ଆସୁଥିବା ସମସ୍ତ ପ୍ରି-ଅଥରାଇଜେସନ୍ ଅନୁରୋଧକୁ ଯଦି ସଠିକ୍ ଭାବେ ପୋର୍ଟାଲରେ ଉପସ୍ଥାପନ କରାଯାଏ, ତେବେ ତାହା କିଛି ମିନିଟ୍ କିମ୍ବା ଘଣ୍ଟା ମଧ୍ୟରେ ଅନୁମୋଦନ ହେବ ବୋଲି ହସ୍ପିଟାଲ ପ୍ରତିନିଧିମାନଙ୍କୁ ସ୍ପଷ୍ଟ କରାଯାଇଥିଲା। ଏଭଳି ଅନୁରୋଧର ସର୍ବାଧିକ ଟର୍ଣ୍ଣ-ଆରାଉଣ୍ଡ ଟାଇମ୍ (ଟିଏଟି) ୬ ଘଣ୍ଟା ନିର୍ଦ୍ଧାରିତ ରହିଛି। ଏହି ସମୟସୀମା ମଧ୍ୟରେ ଅନୁରୋଧର ଅନୁମୋଦନ ନହେଲେ, ତାହା ସ୍ୱୟଂଚାଳିତ ଭାବେ ଅନୁମୋଦିତ ହୋଇଛି ବୋଲି ବିବେଚନା କରାଯିବ। ପ୍ରି-ଅଥରାଇଜେସନ୍ ଅନୁରୋଧ ସମ୍ପର୍କିତ ପ୍ରଶ୍ନ କିମ୍ବା ସ୍ପଷ୍ଟୀକରଣର ଉତ୍ତର ଦେବା ପାଇଁ ନିର୍ଦ୍ଧାରିତ ସମୟସୀମା ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା। ପ୍ରି-ଅଥରାଇଜେସନ୍ ଆବେଦନ ଦାଖଲ ଏବଂ ଦାବି ଉପସ୍ଥାପନ ପ୍ରକ୍ରିୟାରେ ମେଡ୍କୋମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସଠିକ୍ ଭାବେ ଦାବି ଉପସ୍ଥାପନ, ରୋଗୀମାନଙ୍କ ମର୍ଯ୍ୟାଦା ଓ ଗୋପନୀୟତା ବଜାୟ ରଖିବା ଭଳି ବିଷୟଗୁଡ଼ିକୁ ପ୍ରଶିକ୍ଷକମାନେ ସ୍ପଷ୍ଟ ଭାବେ ବୁଝାଇଥିଲେ। ବିସ୍ତୃତ ଆଲୋଚନା ମାଧ୍ୟମରେ ଉପସ୍ଥିତ ପ୍ରତିନିଧିମାନଙ୍କ ବିଭିନ୍ନ ସନ୍ଦେହ ଓ ପ୍ରଶ୍ନର ସମାଧାନ କରାଯାଇଥିଲା। ପିଏମ୍-ରାହତ ଯୋଜନା ଅଧୀନରେ ରହିଥିବା ନିର୍ଦ୍ଦେଶାବଳୀ ଏବଂ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ହସ୍ପିଟାଲକୁ ଅଣାଯାଇଥିବା ସମସ୍ତ ମୋଟରଯାନ ଦୁର୍ଘଟଣା ପୀଡ଼ିତଙ୍କୁ ପ୍ରତ୍ୟେକ ହସ୍ପିଟାଲ ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇଦେବା ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରାଯାଇଥିଲା। ପ୍ରତ୍ୟେକ ଦୁର୍ଘଟଣା ପୀଡ଼ିତ ଦୁର୍ଘଟଣା ତାରିଖଠାରୁ ସର୍ବାଧିକ ସାତ ଦିନ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଃଶୁଳ୍କ ଚିକିତ୍ସା ସୁବିଧା ପାଇବାକୁ ହକ୍ଦାର। ପିଏମ୍-ରାହତ ଯୋଜନା ଅଧୀନରେ ଦାବି ଉପସ୍ଥାପନ ପ୍ରକ୍ରିୟା ଏବଂ ଯୋଜନା ସମ୍ପର୍କିତ ବ୍ୟାନର ଓ ପୋଷ୍ଟର ହସ୍ପିଟାଲ ପରିସରରେ ପ୍ରଦର୍ଶନ କରିବା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ନିରବଚ୍ଛିନ୍ନ ଡିଜିଟାଲ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ହସ୍ପିଟାଲଗୁଡ଼ିକୁ ସେମାନଙ୍କର ହସ୍ପିଟାଲ ପରିଚାଳନା ପ୍ରଣାଳୀକୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ (ଏବିଡିଏମ୍) ପ୍ଲାଟଫର୍ମ ସହିତ ସମନ୍ୱିତ କରିବାକୁ କୁହାଯାଇଥିଲା। ଏହି ସମନ୍ୱୟ ଦ୍ୱାରା ରୋଗୀ ସେବାର ମାନ ଉନ୍ନତ ହେବା ସହିତ ଭୌତିକ ରେକର୍ଡ ସଂରକ୍ଷଣର ଭାର ହ୍ରାସ ପାଇବ। ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ରେଫର୍ କରାଯିବା ସମୟରେ ହସ୍ପିଟାଲଗୁଡ଼ିକ ମଧ୍ୟରେ ସୂଚନାର ସହଜ ଓ ଦ୍ରୁତ ଆଦାନପ୍ରଦାନ ସମ୍ଭବ ହେବ। ଏହା ଚିକିତ୍ସା ବିଲ ପ୍ରକ୍ରିୟାକରଣକୁ ଅଧିକ ଦକ୍ଷ ଓ ସୁବ୍ୟବସ୍ଥିତ କରିବା ସହ ଡିଜିଟାଲ ସ୍ୱାସ୍ଥ୍ୟସେବାର ଭବିଷ୍ୟତ ଆବଶ୍ୟକତା ପାଇଁ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ କରିବ। ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତିର ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଡା. ବିଷ୍ଣୁ ପ୍ରସାଦ ମହାପାତ୍ର, ଡା. ରଶ୍ମି ରଞ୍ଜନ ଶତପଥୀ, ଡା. ଶୁଭ୍ରଜିତ ରାଓ ଏବଂ ଡା. ଅରୁଣ ମହାପାତ୍ର ପ୍ରମୁଖ ରିସୋର୍ସ ପର୍ସନ ଭାବେ ତାଲିମ ପ୍ରଦାନ କରିଥିଲେ ।
