ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଉଦ୍ଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା
Date-02/02/26 ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଛି ସୁଭଦ୍ରା ଶକ୍ତି ମେଳା । ଜିଲ୍ଲାପାଳ ଜେ ସୋନାଲ ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା ର ମେଳା ସୁଭଦ୍ରା ଶକ୍ତି ମେଳା ଉଦଘାଟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ପାଇଁ ନୂତନ ବଜାର ଓ ବ୍ୟବସାୟ ସୃଷ୍ଟି କରି ଅର୍ଥନୀତିକୁ ନୂତନ ଗତି ଦେବା ଲକ୍ଷ୍ୟରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ ୩୦ ଜିଲ୍ଲାର ପ୍ରତିନିଧିତ୍ବ ରହିଛି। ଆମେ ସମସ୍ତେ ସ୍ଵଦେଶୀ ଦ୍ରବ୍ଯ ବ୍ୟବହାର କରିବା ପାଇଁ ସେ ଗୁରୁତ୍ବ ଦେଇଥିଲେ ଯାହାଦ୍ବାରା ଦେଶ ଆତ୍ମ ନିର୍ଭର ହେବା ସହ ଆମ ଅର୍ଥନୀତି ସୁଦୃଢ ହୋଇ ପାରିବ। ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଗ୍ରାମୀଣ ଉତ୍ପାଦର ବିପଣନକୁ ଉତ୍ସାହିତ କରିବା ପାଇଁ ଆୟୋଜିତ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦ ପାଇଁ ନୂତନ ବଜାର ଏବଂ ବ୍ୟବସାୟିକ ସୁଯୋଗ ପ୍ରଦାନ କରିବା, ସ୍ଥାନୀୟ ଉତ୍ପାଦର ବିକ୍ରୟ ବୃଦ୍ଧି କରିବା, ମହିଳା ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ନେତୃତ୍ୱ ଗୁଣର ବିକାଶ, ବାଜରା ଏବଂ ପୁଷ୍ଟିକର ଖାଦ୍ୟ ପ୍ରତି ଜନସଚେତନତା, ଗ୍ରାମୀଣ ଅର୍ଥନୀତିକୁ ନୂତନ ଦିଗ ଏବଂ ମହିଳାଙ୍କ ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ସାମାଜିକ ସ୍ୱୀକୃତି ପ୍ରଦାନ କରିବା। ଲକ୍ଷପତି ଦିଦି ସୃଷ୍ଟି ରେ ଜିଲ୍ଲା ସମଗ୍ର ରାଜ୍ୟ ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ମାତ୍ର ବାଣୀ କ୍ଷେତ୍ର ସର୍ବଦା ପ୍ରଥମ ସ୍ଥାନ ରେ ରହିଥାଏ ତେଣୁ ସେହି ସ୍ଥାନ ରେ ପହଞ୍ଚିବାକୁ ସର୍ବଦା ଚେଷ୍ଟା ଜାରୀ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପ୍ରମୁଖ ଯୋଗଦେଇ ମହିଳା ମାନେ ଆତ୍ମନିର୍ଭର ହୋଇପାରିଲେ ବିକଶିତ ଓଡ଼ିଶା ଗଠନ ହୋଇପାରିବ ।
