୧୯ରେ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ
କୋଣାର୍କ,୬।୨- କୋଣାର୍କ ଅର୍କବିହାର ଅବସ୍ଥିତ ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ୧୯ ତାରିଖରେ ହେବାକୁ ଥିବା ୪୦ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ନାଟ୍ୟ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ନାଟ୍ୟ ମଣ୍ଡପର ଉପଦେଷ୍ଟା ସଂଗଠକ ଉମେଶ ଚନ୍ଦ୍ର ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ, ଗୁରୁ ଜୟକୃଷ୍ଣ ନାୟକ, ବିଷ୍ନୁଚରଣ ସାସମଲ ପ୍ରମୁଖ ଯୋଗଦେଇଥିଲେ।

ଆସନ୍ତା ୧୯ତାରିଖ ସଂଧ୍ୟାରେ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଆଜ୍ଞାମାଳ ମଞ୍ଚରେ ବିଜେ ହେବା ପରେ ନାଟ୍ୟ ମଣ୍ଡପ ଓ ନୃତ୍ୟାଳୟା ଡାନ୍ସ ଏକାଡେମୀର ୫୦ଜଣ କଳାକାରମାନେ ଅପୂର୍ବ ନୃତ୍ୟ ଶୈଳୀରେ ପରିବେଷଣ କରିବେ ପଞ୍ଜଦେବସ୍ତୁତି। ପରେ ଘଣ୍ଟ ମର୍ଦ୍ଦଳ, ଗୁରୁବନ୍ଦନା, ଓଡିଶୀ ନୃତ୍ୟ, ଗୀତାର ବାଦନ, କୁଚିପୁଡ଼ି ଓ ଭାରତନାଟ୍ୟମ ଆଦି ନୃତ୍ୟ ପରିବେଷଣ ହେବ। ଏହି ଅବସରରେ ପୂର୍ବାହ୍ନରେ ୩୦ତମ କୋଣାର୍କ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ। ବିଭିନ୍ନ ସ୍ଥାନରୁ ସାହିତ୍ୟିକ, କବି ଓ କବୟିତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁଲୋଚନା ପ୍ରଧାନ, ବାମଦେବ ଆଳୁକ, ସୁଦେଶ୍ନା ସାସମଲ ପ୍ରଧାନ ପ୍ରମୁଖ ନାଟ୍ୟମଣ୍ଡପର କର୍ମକର୍ତ୍ତା ଉପସ୍ଥିତ ଥିଲେ।
