ସରକାରୀ ଆଇ.ଟି.ଆଇ, ଫୁଲବାଣୀରେ ନୂତନ ଅଧ୍ୟକ୍ଷ ଭାବେ ଶ୍ରୀପ୍ରଦୀପ କୁମାର ସାହୁଙ୍କ ଯୋଗଦାନ
ଫୁଲବାଣୀ ,କନ୍ଧମାଳ,୧୯/୦୨/୨୦୨୬ ପ୍ରଦୀପ କୁମାର ସାହୁ ଙ୍କୁ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବା ସହିତ ଫୁଲବାଣୀରେ କୌଶଳ ଶିକ୍ଷା କ୍ଷେତ୍ରରେ ଏକ ନୂତନ ସୁବର୍ଣ୍ଣ ଅଧ୍ୟାୟର ଆରମ୍ଭ ହୋଇଛି। ସେ ପୂର୍ବରୁ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ, ଭବାନୀପାଟଣା ରୁ ବଦଳି ହୋଇ ଫୁଲବାଣୀରେ ଯୋଗଦାନ କରିଛନ୍ତି। ଭବାନୀପାଟଣା ଆଇ.ଟି.ଆଇ ରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ପ୍ରଶାସନିକ କ୍ଷେତ୍ରରେ ଦୃଢ଼ ଏବଂ ସାହସିକ ପଦକ୍ଷେପ ଗ୍ରହଣ କରି ସଂସ୍ଥାର ସମଗ୍ର ପରିବେଶକୁ ପରିବର୍ତ୍ତନ କରିଦେଇଥିଲେ। ପ୍ରାଙ୍ଗଣର ସୌନ୍ଦର୍ୟୀକରଣ, ଶୃଙ୍ଖଳାବଦ୍ଧ ପରିଚାଳନା, ହୋଷ୍ଟେଲରେ ଉଚ୍ଚମାନ ସୁବିଧା ସୁନିଶ୍ଚିତକରଣ ଓ ପ୍ରଶିକ୍ଷୁମାନଙ୍କ ପାଇଁ ସୁସଜ୍ଜିତ ପରିବେଶ ତିଆରି କରି ସେ ସମସ୍ତଙ୍କର ଆଦର ଓ ସମ୍ମାନ ଅର୍ଜନ କରିଥିଲେ।ଶ୍ରୀ ସାହୁ ଗଣ ମାଧ୍ୟମକୁ କହିଥିଲେ ଯେ, “କୌଶଳ ବିକାଶ ହେଉଛି ଦେଶର ଶିଳ୍ପ ଓ ଶିଳ୍ପାୟନର ମୂଳ ଭିତ୍ତି। ଆଇ.ଟି.ଆଇ ପ୍ରଶିକ୍ଷୁମାନେ ହେଉଛନ୍ତି ‘ମେକ୍ ଇନ୍ ଇଣ୍ଡିଆ’ର ପ୍ରକୃତ ନିର୍ମାତା।” ତାଙ୍କ ଭବିଷ୍ୟତ ଲକ୍ଷ୍ୟ ହେଉଛି ଫୁଲବାଣୀ ଆଇ.ଟି.ଆଇର ପ୍ରଶିକ୍ଷୁମାନେ କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ନିଜ କୌଶଳର ଛାପ ରଖିବେ। “ ସ୍କିଲ୍ଡ ଇନ୍ ଓଡ଼ିଶା ଗୋ ଗ୍ଲୋବାଲ୍ ” – ଏହାକୁ ସାକାର କରିବା ତାଙ୍କର ମୂଖ୍ୟ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।ସେ କହିଛନ୍ତି ଯେ କନ୍ଧମାଳ ଜିଲ୍ଲାରେ ଅନେକ ଦୁର୍ବଳ ଓ ଅର୍ଥନୈତିକ ଭାବେ ପଛୁଆ ପରିବାର ରହିଛନ୍ତି, ଯେଉଁମାନେ ନିଜ ସନ୍ତାନଙ୍କୁ ଉଚ୍ଚ ଶିକ୍ଷା ଦେବାରେ ଅସମର୍ଥ। ଏପରି ପରିସ୍ଥିତିରେ ମାଟ୍ରିକ୍ ପରେ ଆଇ.ଟି.ଆଇ ପ୍ରଶିକ୍ଷଣ ହେଉଛି ସବୁଠାରୁ ଭଲ ବୃତ୍ତିମୂଳକ ଶିକ୍ଷା, ଯାହା ଯୁବପିଢ଼ୀଙ୍କୁ ଶିଘ୍ର ଆର୍ଜନ କରିବାର ସୁଯୋଗ ଦେଇପାରିବ।ପୂର୍ବରୁ ସେ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ, ଦାରିଙ୍ଗିବାଡ଼ି ଓ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ କୋତୋଗଡ ରେ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବାବେଳେ ନୂତନ ଓ ନବଚିନ୍ତନମୂଳକ ପଦକ୍ଷେପ ଗ୍ରହଣ କରି ଦୁଇଟି ସଂସ୍ଥାକୁ ସଫଳତାର ଶିଖରକୁ ନେଇଯାଇଥିଲେ। ତାଙ୍କର ଦୃଢ଼ ପ୍ରଶାସନିକ କୌଶଳ ଓ ଦୂରଦୃଷ୍ଟି ଚିନ୍ତାଧାରା ସଦା ତାଙ୍କୁ ଅନ୍ୟମାନଙ୍କୁ ଠାରୁ ଅଲଗା କରିଥାଏ।ଫୁଲବାଣୀ ଆଇ.ଟି.ଆଇରେ ତାଙ୍କ ନିଯୁକ୍ତିକୁ ନେଇ ଛାତ୍ରଛାତ୍ରୀ, କର୍ମଚାରୀ ଓ ସମଗ୍ର କନ୍ଧମାଳ ଜିଲ୍ଲାବାସୀ ମଧ୍ୟରେ ଅପାର ଆନନ୍ଦ ଓ ଆଶାର ଲହରୀ ଦେଖିବାକୁ ମିଳିଛି। ସମସ୍ତଙ୍କର ଆଶା— ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଗଭର୍ଣ୍ମେଣ୍ଟ ଆଇ.ଟି.ଆଇ, ଫୁଲବାଣୀ ନୂତନ ଉଚ୍ଚତାକୁ ସ୍ପର୍ଶ କରିବ ଓ କୌଶଳ ଶିକ୍ଷା କ୍ଷେତ୍ରରେ ଜିଲ୍ଲାକୁ ଗୌରବାନ୍ୱିତ କରିବ।
