ପୁରୀର ଐତିହ୍ୟ କୋର୍ଟକୁ ସ୍ଥାନାନ୍ତର ବିରୋଧରେ ପୁରୀ ଓକିଲ ସଂଘ ପକ୍ଷରୁ ରାସ୍ତା ରୋକ

ରାସ୍ତାରୋକ କଲେ ଆଇନଜୀବୀ ଆଉ ହନ୍ତସନ୍ତ ହେଲେ ସାଧାରଣ ଜନତା। ପୁରୀର ଐତିହ୍ୟ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟକୁ ସ୍ଥାନାନ୍ତର ପ୍ରତିବାଦରେ ପ୍ରାୟ 5 ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କଲେ ଜିଲ୍ଲା ଓକିଲ ସଂଘ। ଆଜି ସକାଳ 10ଟାରୁ ଜିଲ୍ଲା ଓକିଲ ସଂଘର ଆଇନଜୀବୀ ମାନେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ମାଳତୀପାଟପୁର ବସଷ୍ଟାଣ୍ଡର ରାସ୍ତାର ଉଭୟପାର୍ଶ୍ୱରେ ଧାରଣାରେ ବସି ରହି କୋର୍ଟ ସ୍ଥାନାନ୍ତରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ହଜାରହଜାର ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ ଅନେକ ଲୋକ ହାତଯୋଡି ସେମାନଙ୍କୁ ପୁରୀ ଆଡକୁ ଛାଡିବାକୁ ନେହୁରା ହୋଇଥିଲେ। ଡାକ୍ତରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ,,, ଦିବ୍ୟାଙ୍ଗ ବ୍ୟକ୍ତି ମାନେ ମଧ୍ୟ ନାହିଁନଥିବା ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା। ଆଇନଜୀବୀ ମାନଙ୍କ ଦାବିକୁ ସରକାର ତୁରନ୍ତ ପୂରଣ ନକଲେ ଆସନ୍ତା 27 ତାରିଖରେ ପୁରୀବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁରୀ ଆଇନଜୀବୀ ସଂଘ। ଆଇନଜୀବୀ ସଂଘ ପକ୍ଷରୁ କୋର୍ଟ ସ୍ଥାନାନ୍ତରକୁ ବିରୋଧ କରି ସତ୍ୟାଗ୍ରହ 360 ଦିନରେ ପହଞ୍ଚିଥିବା ବେଳେ ଆସନ୍ତା 27 ତାରିଖରେ ପୁରୀବନ୍ଦ ଡାକରା ଦେଇଛନ୍ତି ଆଇନଜୀବୀ ସଂଘ। ସେପଟେ କେବଳ ଜରୁରୀକାଳୀନ ସେବାକୁ ଛାଡି ଅନ୍ଯ କାହାକୁ ମଧ୍ୟ ଛଡାଯାଇନଥିବା ବେଳେ ଖୋଦ୍ ପୁରୀ ଏସପି ପ୍ରତୀକ୍ ସିଂ ବିକ୍ଷୋଭସ୍ଥଳକୁ ଆସି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ତେବେ କୋର୍ଟ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିବା ପ୍ରସ୍ଥାବିତ ଜାଗାଟି ମଧୁରଜଳ ସଂରକ୍ଷଣ ଅଞ୍ଚଳରେ ଆସୁଥିବା ବେଳେ ଏହା ମଧ୍ୟ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ଆସୁଛି ଓ CRZ ଆଇନର ମଧ୍ୟ ଉଲଙ୍ଘନ କରୁଛି। ତେଣୁ ସରକାର ନିଷ୍ପତ୍ତିର ପୁର୍ନବିଚାର କରି ଐତିହ୍ୟ କୋର୍ଟକୁ ସ୍ଥାନାନ୍ତର ନ କରିବାକୁ ଆଇନଜୀବୀ ସଂଘ ତରଫରୁ ନିବେଦନ କରାଯାଇଛି । ପୂର୍ବରୁ କୋର୍ଟ ସ୍ଥାନାନ୍ତରକୁ ବିରୋଧ କରି ଆଇନଜୀବୀ ସଂଘ ପକ୍ଷରୁ ପୁରୀର ପ୍ରବେଶପଥ ଅଠରନଳାରେ ମଧ୍ୟ ରାସ୍ତାରୋକ କରାଯାଇଥିଲା। ତେଣୁ ଐତିହ୍ୟ କୋର୍ଟ ଯେଉଁ ଜାଗାର ଅଛି ସେହି ଜାଗାରେ ରଖିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲା ଓକିଲ ସଂଘ।

Leave a Reply

Your email address will not be published. Required fields are marked *