ଆଧୁନିକ ଯୁଗରେ ମ୍ୟାଟ୍ରିକ ପରୀକ୍ଷାରେ କପି ପ୍ରବୃତ୍ତି :

ଆଧୁନିକ ଯୁଗରେ ମ୍ୟାଟ୍ରିକ ପରୀକ୍ଷାରେ କପି ପ୍ରବୃତ୍ତି : ଶିକ୍ଷକଙ୍କୁ ଅପମାନ ଓ ଅଭିଭାବକଙ୍କ ଚାପ**ଡ. ପ୍ରେମାନନ୍ଦ ବେହେରା*ଆଧୁନିକ ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ । ଶିକ୍ଷାର ମାନ ଉନ୍ନତି ପାଇଁ ସରକାର ଓ ସମାଜ ବହୁ ପ୍ରୟାସ କରୁଛନ୍ତିଭ। କିନ୍ତୁ ଏହି ଉନ୍ନତିର ମଝିରେ ମ୍ୟାଟ୍ରିକ ପରୀକ୍ଷାରେ “କପି” ପ୍ରବୃତ୍ତି ଏକ ଗଭୀର ସମସ୍ୟା ରୂପେ ଦେଖା ଦେଇଛି। ବିଶେଷକରି ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପରି ସଂସ୍ଥାମାନେ ପରୀକ୍ଷାର ପବିତ୍ରତା ରକ୍ଷା ପାଇଁ ନିୟମ କଠୋର କରୁଥିଲେ ମଧ୍ୟ, କେତେକ ସ୍ଥାନରେ କପି ପ୍ରବୃତ୍ତି ଦେଖାଯାଏ। ମ୍ୟାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଜୀବନରେ ଏକ ମୂଳ ମୋଡ଼ । ଏହି ପରୀକ୍ଷାର ଫଳାଫଳ ତାଙ୍କ ଭବିଷ୍ୟତ ଶିକ୍ଷା ଓ କାର୍ଯ୍ୟଜୀବନର ଭିତ୍ତି ତିଆରି କରେ । କିନ୍ତୁ କେତେକ ଛାତ୍ରଛାତ୍ରୀ ପଢ଼ାରେ ଅବହେଳା କରି, ସଫଳତା ପାଇଁ ଅନୈତିକ ଉପାୟ ଅବଲମ୍ବନ କରୁଛନ୍ତି । ସେମାନେ ଜାଣନ୍ତି ନାହିଁ ଯେ କପିକରି ମିଳୁଥିବା ନମ୍ବର ସ୍ଥାୟୀ ସଫଳତା ନୁହେଁ, ଏହା ଚରିତ୍ର ଓ ଆତ୍ମବିଶ୍ୱାସକୁ କ୍ଷୀଣ କରେ।ଏହାଠାରୁ ଅଧିକ ଦୁଃଖଦ ଦୃଶ୍ୟ ହେଉଛି, କେତେକ ସ୍ଥାନରେ ଶିକ୍ଷକମାନେ କପି ବିରୋଧରେ କଠୋର ହେଲେ ତାଙ୍କୁ ଅପମାନ ସହିବାକୁ ପଡ଼ୁଛି । ଶିକ୍ଷକ ହେଉଛନ୍ତି ସମାଜର ଦୀପଶିଖା । ସେମାନଙ୍କର କର୍ତ୍ତବ୍ୟ ହେଉଛି ନୀତି ଓ ଶିଷ୍ଟାଚାର ରକ୍ଷା କରିବା । କିନ୍ତୁ ଯେତେବେଳେ ଶିକ୍ଷକଙ୍କୁ ଅପମାନ କରାଯାଏ, ପରୀକ୍ଷା କେନ୍ଦ୍ର ବାହାରେ କୁଭାଷା ପ୍ରୟୋଗ କରାଯାଏ, ଗାଳି ଦିଆଯାଏ, ଧମକ ଚମକ ଦିଆଯାଏ ସେତେବେଳେ ଶିକ୍ଷା ବ୍ୟବସ୍ଥାର ମୂଳଭିତ୍ତି ଦୋହଲିଯାଏ । ଏହା ନୂତନ ପିଢ଼ୀ ପାଇଁ ଖରାପ ସନ୍ଦେଶ ପ୍ରସାର କରେ ।କେତେକ ଅଭିଭାବକ ମଧ୍ୟ ନିଜ ସନ୍ତାନଙ୍କ ଉଚ୍ଚ ନମ୍ବର ପାଇଁ ଅନୈତିକ ଚାପ ସୃଷ୍ଟି କରୁଛନ୍ତି । ପରୀକ୍ଷା କେନ୍ଦ୍ରରେ କପି ଦେବାକୁ ଜୋର୍ ଧରିବା କିମ୍ବା ଶିକ୍ଷକଙ୍କୁ ଚାପ ଦେବା ଅତ୍ୟନ୍ତ ନିନ୍ଦନୀୟ । ଅଭିଭାବକଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ସନ୍ତାନଙ୍କୁ ସତ୍ୟ ଓ ପରିଶ୍ରମର ପଥ ଦେଖାଇବା । ନିଜ ପୁଅ ବା ଝିଅକୁ ଅନୈତିକ ସହାୟତା ଦେବା ଅର୍ଥ ତାର ଭବିଷ୍ୟତକୁ ଅନ୍ଧାର ମୁହଁକୁ ଠେଲିଦେବା ।କପି ପ୍ରବୃତ୍ତିର ମୂଳ କାରଣ ହେଉଛି ଅତ୍ୟଧିକ ପ୍ରତିଯୋଗିତା, ମାର୍କକୁ ଅତ୍ୟଧିକ ମୂଲ୍ୟ ଦେବା, ଓ ସମାଜରେ ନୀତିଶିକ୍ଷାର ଅଭାବ । ଯଦି ଛାତ୍ରଛାତ୍ରୀଙ୍କୁ ଛୋଟବେଳୁ ନୈତିକ ଶିକ୍ଷା ଦିଆଯିବ ଓ ଶିକ୍ଷାକୁ ଜ୍ଞାନାର୍ଜନ ରୂପେ ବୁଝାଯିବ, ତେବେ ଏହି ସମସ୍ୟା କମିପାରେ ।ସମାଧାନ ପାଇଁ ଶିକ୍ଷକ, ଅଭିଭାବକ, ଶିକ୍ଷା ପ୍ରଶାସନ ଓ ଛାତ୍ରଛାତ୍ରୀ – ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ । ପରୀକ୍ଷା କେନ୍ଦ୍ରରେ କଠୋର ନିରୀକ୍ଷଣ, ନୀତିମୂଳକ ଶିକ୍ଷାର ପ୍ରଚାର ଓ ଅଭିଭାବକଙ୍କ ସଚେତନତା ଏହି ଅସୁସ୍ଥ ପ୍ରବୃତ୍ତିକୁ ଦମନ କରିପାରିବ।ସମସ୍ତେ ଜାଣିବା ଆବଶ୍ୟକ ଯେ କପି କରି ମିଳୁଥିବା ସଫଳତା ଅସ୍ଥାୟୀ, କିନ୍ତୁ ସତ୍ୟ ଓ ପରିଶ୍ରମରେ ମିଳୁଥିବା ସଫଳତା ଜୀବନ ସାରା ଗୌରବ ଆଣିଦିଏ । ଆମେ ଯଦି ଶିକ୍ଷାର ପବିତ୍ରତାକୁ ରକ୍ଷା କରିପାରିବା, ତେବେ ଆମ ସମାଜ ଓ ଦେଶ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଆଗେଇଯିବ ।

Leave a Reply

Your email address will not be published. Required fields are marked *