ପ୍ରେମ ଏକ ଅମଉଳା ଫୁଲ
ପ୍ରେମ ଏକ ଅମଉଳା ଫୁଲ
🖊️କବିରତ୍ନ ନୂତନ କୁମାର ବେହେରା
ଭବ ସଂସାର କାନନେ ମଣିଷ ଜୀବନେ
ପ୍ରେମ ଏକ ଅମଉଳା ଫୁଲ
ଅନୁଭବେ ଲାଗେ ତା’ ସଦ୍ୟ ପ୍ରସ୍ଫୁଟିତ,
ସତେଜ ସୁନ୍ଦର ଡ଼ଉଲଡ଼ାଉଲ
ମହକ ତାର ମନେ ଭରିଦିଏ ଅନୁରାଗ
ଆକର୍ଷି ନେଇ ନଜରକୁ କରେ ଉଲ୍ଲସିତ।
ଚେତନା ଶକ୍ତିକୁ ଦିଏ ପ୍ରେରଣା
ପ୍ରତିଟି ମୁହୂର୍ତ୍ତ ଲାଗେ ଅଭିନବ ଅଭିନବ
ପ୍ରେମ ଫୁଲ ସ୍ଵଚ୍ଛ ସୁନ୍ଦର କୋମଳ,
ହସ ଦେଇ ମୁଖେ କରିଥାଏ ମୁଗ୍ଧ
ଲାଗୁଥାଏ ତା’ ପବିତ୍ର ନିଷ୍ପାପ ନିର୍ମଳ।
ଝରାଉ ଥାଏ ଅନ୍ତରରୁ ଅମିୟ ଝର
ହୁଏ ତା’ ଜୀବନ ନଦୀର ସ୍ରୋତ
ଏ ପ୍ରେମ ଫୁଲକୁ ସଭିଏଁ ପାଆନ୍ତି ଭଲ,
ପ୍ରେମ ଯେ ସତ୍ୟ ଶାଶ୍ଵତ ଚିରନ୍ତନ
ପ୍ରତିଟି ପ୍ରାଣର ଅମୂଲ ମୂଲ ନାହିଁ ତା’ ତୁଲ
ପ୍ରେମ ଏକ ଅମଉଳା ଫୁଲ।
ଏ ଫୁଲର ସୁବାସେ ବନ୍ଧା ପାର୍ଥିବ ସଂପର୍କ
ସାରା ଜଗତକୁ କରି ରଖେ ମଧୁମୟ
ଜୀବନଧାରାର ହୁଏ ପ୍ରବାହିତ ସୁଅ,
ଶାନ୍ତି ତୃପ୍ତି ସନ୍ତୋଷରେ ରଖେ ନିରାମୟ
ପ୍ରକୃତ ପ୍ରେମର ସଂଜ୍ଞା ଚିର ଜାଜ୍ୱଲ୍ୟମାନ
ମନ ହୃଦୟକୁ ବାନ୍ଧି ରଖେ ତାର ଖିଅ।
ସାତ୍ତ୍ୱିକ ପ୍ରେମର ସ୍ଵରୂପକୁ ବୁଝି
ମଣିଷ କରେ ତା’ ଜୀବନକୁ ବିକଶିତ
ମା’ର ମମତା ପ୍ରେମରେ ସନ୍ତାନ ହୁଏ ଯୋଗ୍ୟ,
ପ୍ରେମ ଆଣିଦିଏ ଜୀବନେ ସାର୍ଥକତା
ଭାବ ଭକ୍ତିର ପ୍ରେମରେ ଭକ୍ତ ପାଏ ପରମଙ୍କୁ
ବିଧାତା ଲେଖି ଦିଅନ୍ତି ତାର ଭାଗ୍ୟ।
ଦୁନିଆଁର ଶ୍ରେଷ୍ଠ ବିଭବ ଏ ପ୍ରେମ ଫୁଲ
ଯା’ର ପ୍ରାପ୍ତିରେ ମାନବ ଜନ୍ମ ହୁଏ ସଫଳ
କାଟି ପାରେ ସଂସାରର ମାୟାଜାଲ,
ମନକୁ ରଖେ ନିଷ୍ପାପ ହୃଦୟକୁ କରେ ସ୍ଵଚ୍ଛ
ସାଧନାରେ ସିଦ୍ଧି ଦେଇ ଆଣେ ସମୃଦ୍ଧି
ପ୍ରେମ ଏକ ଅମଉଳା ଫୁଲ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
