ମାଗୁଛି ଏତିକି ହେ ଜଗତ ପତି

         ମାଗୁଛି ଏତିକି ହେ ଜଗତ ପତି
         ( ରାଗ — କଳହଂସ କେଦାର )

  🔹କବିରତ୍ନ ନୂତନ କୁମାର ବେହେରା

ମାଗୁଛି ଏତିକି ହେ’ ଜଗତ ପତି’
            ହୋଇବ ଦୟାବାନ’ କରେ ମିନତି’ ଯେ,
ତୁମ ଇଙ୍ଗିତେ ଚାଲେ’ ସାରା ନିୟତି’
      ତୁମ କୃପାରେ ରହେ ‘ ଜୀବର ସ୍ଥିତି’ ଯେ’/୧/

ତୁମରି ବ୍ୟାପ୍ତି ଖ୍ୟାତି ବିଶ୍ବ ବ୍ରହ୍ମାଣ୍ଡେ
         ତୁମେ ହିଁ ତ ଚେତନା ଜୀବର ଭାଣ୍ଡେ ଯେ,
ପାଇଅଛି ଯେତିକି ତୁମରି ଦାନ
     ତାହାରି ବିନିଯୋଗେ ଜୀଏଁ ଜୀବନ ଯେ/୨/

ହୃଦୟର ଭାବରେ ଚାଲଇ ମନ,
         ଅନୁଭବ କରେ ଯା’ ହୁଏ ତା’ ଜ୍ଞାନ ଯେ,
ଇଚ୍ଛାରେ କରି ଶ୍ରମ ଅରଜେ ଧନ,
       ସମାଜେ କରି ହିତ ପାଏ ସମ୍ମାନ ସେ/୩/

ହୃଦୟକୁ ପବିତ୍ର କର ହେ ନାଥ,
           ଚାଲିବାକୁ ଦେଖାଅ ସତ୍ୟର ପଥ ଯେ,
ମନ ନ ହେଉ କେବେ ଇନ୍ଦ୍ରିୟେ ବଶ
   ଲୋଭ ମୋହ ମାୟାର କର ବିନାଶ ଯେ/୪/

ଏ ମନରେ ନ ରହୁ ଛନ୍ଦ କପଟ
      ବୁଦ୍ଧି ବିଦ୍ୟା ଜ୍ଞାନରେ ହେଉ ସଚ୍ଚୋଟ ସେ,
ସବୁରି ହିତେ ରହୁ ତୁମକୁ ଧ୍ୟାୟି
    ତୁମ ଚରଣ ତଳେ ହୋଇ ଆଶ୍ରୟୀ ଯେ/୫/

ଛଳନା ପ୍ରତାରଣା ନ ଦେଉ ଧୋକା
             ସ୍ଵଚ୍ଛ ଚିନ୍ତନେ ମନ ପାଉ ମଉକା ଯେ,
ଶ୍ରମ ସାଧନ କରି ପାଳୁ ଜୀବିକା
      ପାଖରେ ରୁହ ସଦା ନ କର ଏକା ଯେ/୬/

ତୁମେ ହିଁ ତ କରତା କରାଅ କର୍ମ
           ତୁମରି ଇଛା ହେଉ ପରମ ଧର୍ମ ଯେ,
ତୁମେ ମୋ ଗତି ସ୍ଥିତି ମୁଁ ମୂଢ଼ମତି
       ନମ୍ର ବିନୟେ କରେ ତୁମକୁ ସ୍ତୁତି ଯେ/୭/

     ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *