ଯାଜପୁରରେ ମହାସମାରୋହରେ ପାଳିତ ହେଲା ବୌଦ୍ଧିକ ଆଲୋଚନାଚକ୍ର “ଯେ- ଲୋର ୨୦୨୬”
ଯାଜପୁର, ୦୬/୦୩/୨୬: ଜିଲ୍ଲା ମହୋତ୍ସବ “ଯଯାତି-୨୦୨୬”ର ପୂର୍ବାଭାସ ସ୍ୱରୂପ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର ଆନୁକୂଲ୍ୟରେ ଏକ ଉଚ୍ଚକୋଟୀର ସାହିତ୍ୟିକ ତଥା ବୌଦ୍ଧିକ ଆଲୋଚନାଚକ୍ର “J-LORE 2026” (ଯାଜପୁର ସାହିତ୍ୟ ଓ ବିମର୍ଶ – ଅତୀତର ଗାଥା, ଭବିଷ୍ୟତର ପଥ) ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅପରାହ୍ନ ୩.୩୦ ମିନିଟ୍ ସମୟରେ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଯାଜପୁରର ସମୃଦ୍ଧ ଐତିହ୍ୟ, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଯୁବପିଢ଼ିଙ୍କୁ ନିଜ ମାଟିର ଗୌରବ ସହ ଯୋଡ଼ିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ଅମ୍ବର କୁମାର କର ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ ସ୍ଵାଗତ ଭାଷଣରେ କହିଥିଲେ ଯେ କଳା ସଂସ୍କୃତିରେ ଥିବା ଆବେଗର ସ୍ଥାନ ଏଆଇ ନେଇ ପାରିବ ନାହିଁ। ଏହି ଅବସରରେ ରାଜ୍ୟର ବିଶିଷ୍ଟ ଲେଖକ, ଗବେଷକ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ନିଜର ସୁଚିନ୍ତିତ ଓ ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଯାଜପୁରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା କାଇଁଚ ହସ୍ତଶିଳ୍ପର ବିକାଶ ଉପରେ ଏକ ବୃତ୍ତଚିତ୍ର ଉନ୍ମୋଚିତ ହୋଇଥିଲା। ଆମେ ଯାଜପୁରିଆ ଥିମ୍ ସଙ୍ଗୀତ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଦ୍ଵାରା ଏବଂ ଗୋପାଳପୁର ହସ୍ତତନ୍ତ ବୃତ୍ତଚିତ୍ର ଏସପି ଶ୍ରୀ ୟଶ ପ୍ରତାପ ଶ୍ରୀମଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ବିଶିଷ୍ଟ ବକ୍ତା ଶ୍ରୀ ବୈଷ୍ଣବ ସାମଲ ‘ଯାଜପୁରରେ ମାତୃକା ପରମ୍ପରା’ ବିଷୟରେ ତଥ୍ୟଭିତ୍ତିକ ଆଲୋଚନା କରି ଯାଜପୁରର ଶକ୍ତି ଉପାସନାର ଇତିହାସ ବର୍ଣ୍ଣନା କରିଥିଲେ। ଐତିହାସିକ ତଥା ଗବେଷକ ଶ୍ରୀ ଅନିଲ୍ ଧୀର ‘ଯାଜପୁର ଏବଂ ପ୍ରାଚୀନ ଓଡ଼ିଶାର ସାମୁଦ୍ରିକ ଏବଂ ନଦୀ ବାଣିଜ୍ୟ’ ଉପରେ ଆଲୋକପାତ କରି ବୈତରଣୀ ନଦୀ କୂଳରେ ଗଢିଉଠିଥିବା ସମୃଦ୍ଧ ବାଣିଜ୍ୟିକ ପେଣ୍ଠସ୍ଥଳୀର ସ୍ମୃତିଚାରଣ କରିଥିଲେ। ପ୍ରସିଦ୍ଧ ବ୍ୟକ୍ତିତ୍ୱ ତଥା ବାଗ୍ମୀ ଶ୍ରୀ କୁନା ତ୍ରିପାଠୀ ‘ସାହିତ୍ୟ ପ୍ରତି ଯୁବପିଢ଼ି ବା ଜେନ-ଯେଙ୍କ କମୁଥିବା ଆଗ୍ରହ’ ପ୍ରସଙ୍ଗରେ ନିଜର ମାର୍ମିକ ବକ୍ତବ୍ୟ ରଖି ଯୁବସମାଜକୁ ପୁସ୍ତକ ସହ ଯୋଡ଼ିବାର ଆବଶ୍ୟକତା ଦର୍ଶାଇଥିଲେ।

ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଶ୍ରୀ ଦାସ ବେନହୁର ‘କୃତ୍ରିମ ବୁଦ୍ଧି ବନାମ ସୃଜନଶୀଳତା’ ଭଳି ଆଧୁନିକ ପ୍ରସଙ୍ଗ ଉପରେ ଗଭୀର ବିଶ୍ଳେଷଣ କରି ଉପସ୍ଥିତ ଶ୍ରୋତାମାନଙ୍କୁ ଚିନ୍ତନର ନୂଆ ଖୋରାକ ଯୋଗାଇଥିଲେ। ଏହି ଜ୍ଞାନଗର୍ଭକ ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ, ସାରସ୍ବତ ସାଧକ, ପ୍ରଶାସନିକ ଅଧିକାରୀ ତଥା ସାଧାରଣ ଜନତା ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୋନାଲି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି ଓ ଶ୍ରୋତାମାନଙ୍କ ମଧ୍ୟରେ ଏକ ସୁନ୍ଦର ଭାବ ବିନିମୟ ପର୍ବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନର ଏହି ଅଭିନବ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।
