ବ୍ରହ୍ମପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ
ବ୍ରହ୍ମପୁର୬/୩( )ଗଞ୍ଜାମ ଜିଲ୍ଲା ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଆସନ୍ତା ୮ ତାରିଖ ରବିବାର ଦିନ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ବିଶାଳ ହିନ୍ଦୁ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଘଟିବା ଆଶା କରାଯାଉଛି। ବିଭିନ୍ନ ମଠ ମନ୍ଦିରର ପୂଜ୍ୟ ସାଧୁ ସନ୍ଥ, ମଠାଧୀଶମାନେ ଯୋଗଦେଇ ଏହି ଭବ୍ୟ କାର୍ଯ୍ୟକ୍ରମରେ ମାର୍ଗଦର୍ଶନ କରିବେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ଧାର୍ମିକ ଓ ଆଧ୍ୟାତ୍ମିକ ସଙ୍ଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ ସମ୍ପନ୍ନ କରାଯିବ। ଶୁକ୍ରବାର ପୂର୍ବାହ୍ନରେ ଉତ୍କଳ ଆଶ୍ରମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ଭୋର ୬ଟାରୁ ଘୃତ ଯଜ୍ଞ ଆରମ୍ଭ ହେବ। ସକାଳ ୮ଟାରୁ ହନୁମାନ ଚାଳିଶା ଆରମ୍ଭ ହେବ। ପୂର୍ବାହ୍ଣ ୯ଟାରେ ସହରର ୪ ଦିଗରୁ ୪ଟି ପଟୁଆର ବାହାରି ବିଶାଳ ହିନ୍ଦୁ ସମ୍ମିଳନୀ ସ୍ଥଳରେ ପହଞ୍ଚିବେ। ଏଥିରେ ବାଇକ୍ ରାଲି, ସଂକୀର୍ତ୍ତନ ମଣ୍ଡଳୀ, ହିନ୍ଦୁ ଶ୍ରଦ୍ଧାଳୁ ସାମିଲ ହେବେ। ପୂର୍ବାହ୍ଣ ୧୧ଟାରୁ ଜ୍ଞାନ ଯଜ୍ଞ ବା ପ୍ରବଚନ କାର୍ଯ୍ୟକ୍ରମ ହେବ। ଶେଷରେ ଅନ୍ନ ଯଜ୍ଞ ଆୟୋଜିତ ହେବ। ହିନ୍ଦୁ ଜାଗ୍ରତ ହେଲେ ବିଶ୍ବ ସଜାଗ ହେବ। ଏବେବି ଆମ ରାଜ୍ୟ, ଦେଶ ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କ ମଧ୍ୟରେ ଏକତାର ଅଭାବ ପରିଲକ୍ଷିତ ହେଉଛି। ବିଭିନ୍ନ କ୍ଷେତ୍ରରେ ସନାତନୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଉପରେ କୁଠାରଘାତ ହେଉଛି। ଏଣୁ ଆମ ସଂସ୍କୃତି ଓ ଐତିହ୍ୟର ପୁନଃ ଜାଗ୍ରତ ହିଁ ଏହି ବିଶାଳ ହିନ୍ଦୁ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ବିଶ୍ବ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ତଥା ସମ୍ମିଳନୀ ସଭାପତି ଅଜିତ କୁମାର ମହାପାତ୍ର, ସମ୍ମିଳନୀର କାର୍ଯ୍ୟକ୍ରମ ପ୍ରମୁଖ ତଥା ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଶୈକ୍ଷିକ ପ୍ରଶାସକ ଉମାଧବ ମହାନ୍ତି, ସମ୍ମିଳନୀର ପ୍ରମୁଖ କର୍ମକର୍ତ୍ତା ତଥା ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା ସମିତି ସଭାପତି ଡଃ ଜୀବାନନ୍ଦ ତ୍ରିପାଠୀ ଓ ସମ୍ପାଦକ ନାରାୟଣ ପଣ୍ଡା ମଞ୍ଚାସୀନ ଥିଲେ। ପ୍ରହଲ୍ଲାଦ ପାଣିଗ୍ରାହୀ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମପୁର ସାଂସଦ ପ୍ରତିନିଧି ତଥା ବିଜେପି ନେତା ବାଳକୃଷ୍ଣ ସାମନ୍ତରାୟ ଉପସ୍ଥିତ ଥିଲେ।
