ଆସନ୍ତା ରଥଯାତ୍ରା ୨୦୨୬ ପାଇଁ ଏସ୍ପି ପୁରୀଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ
ପ୍ରେସ୍ ବିଜ୍ଞପ୍ତି
ଆସନ୍ତା ରଥଯାତ୍ରା ୨୦୨୬ ପାଇଁ ଏସ୍ପି ପୁରୀଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ।
ଆସନ୍ତା ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ୨୦୨୬ ଉପଲକ୍ଷେ ସମଗ୍ର ପୁରୀ ଜିଲ୍ଲାରେ ସୁରକ୍ଷା, ଯାତାୟାତ ବ୍ୟବସ୍ଥାପନା ଓ ଶୃଙ୍ଖଳା ରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷିରେ ଆଜି ପୁରୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟ, ପୁରୀ ଠାରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା, ଯାତାୟାତ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଆପତ୍କାଳୀନ ସହାୟତା ବ୍ୟବସ୍ଥା ଓ ବିଭିନ୍ନ ବିଭାଗ ସହ ସମନ୍ୱୟ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦେଇ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ପାଇଁ ନିଦେଶ ଦେଇଥିଲେ। ସେହିପରି ସମସ୍ତ ପୋଲିସ ଅଧିକାରୀଙ୍କୁ ପୂର୍ବ ପ୍ରସ୍ତୁତି ସମ୍ବନ୍ଧୀୟ କାର୍ଯ୍ୟକୁ ଅଧିକ ସୁଦୃଢ କରିବା, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ସିସିଟିଭି ନିରୀକ୍ଷଣ ଓ ଆବଶ୍ୟକ ସ୍ଥାନରେ ନାକା ଚେକିଂ ବ୍ୟବସ୍ଥାକୁ ଜୋରଦାର କରିବାକୁ କହିଥିଲେ। ଏହି ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ବାଟାଲିୟନ ର କୁଳପତି ଶ୍ରୀ ତପସ ଦାସ, ଡିସି ଶ୍ରୀ କୌଶିକ ନାୟକ, ଶ୍ରୀ ଦୀପକ ଗଡନାୟକ, ଅତିରିକ୍ତ ଏସ୍ପି ଶ୍ରୀ ସୁଶିଲ ମିଶ୍ର, ଶ୍ରୀ ଦେବ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ, ସିଟି ଡିଏସପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର ଏବଂ ସିଟି ସବ୍ ଡିଭିଜନ ଅଧୀନରେ ଥିବା ସମସ୍ତ ଥାନାର ଆଇଆଇସିମାନେ ଉପସ୍ଥିତ ଥିଲେ। ବୈଠକରେ ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁରକ୍ଷା, ଯାତାୟାତର ସୁଚାରୁ ବ୍ୟବସ୍ଥାପନା ଓ ସାର୍ବଜନୀନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ନିଆଯାଉଥିବା ପ୍ରସ୍ତୁତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ସହ ରଥଯାତ୍ରା ସମୟରେ ଆସୁଥିବା ଭକ୍ତମାନଙ୍କୁ ସୁବିଧା ଯୋଗାଇବା, ଭିଡ଼ ନିୟନ୍ତ୍ରଣ କରିବା ଓ କୌଣସି ଅପ୍ରିୟ ଘଟଣାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଯଥାଯଥ ବ୍ୟବସ୍ଥା ଗ୍ରହଣ କରାଯିବ।
