ପୁରୀ ପୋଲିସକୁ ବଡ଼ ସଫଳତା
ପୁରୀ ପୋଲିସକୁ ବଡ଼ ସଫଳତା। ଦୁଇ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ। ତାଳବଣିଆ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇଜଣ ଅଭିଯୁକ୍ତ ହେଉଛନ୍ତି ବିହାର ଅଞ୍ଚଳର ମୋନୁ ସିଂ ଏବଂ ଦୀପକ କୁମାର ସିଂ। ତେବେ ଗତକାଲି ପୁରୀ ମାଟିଆପଡା ଛକରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଏହି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଖବର ପାଇ ତୁରନ୍ତ ତାଳବଣିଆ ଥାନା ପୋଲିସ ସ୍ପଟ୍ ଉପରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ମାନେ କେଟିଏମ୍ ବାଇକ୍ ରେ ଯିବା ସମୟରେ ପିପିଲି ନିକଟରେ ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନେ ଯେଉଁ ବାଇକ୍ ଦ୍ବାରା ଲୁଟ୍ ଏବଂ ଛିନତାଇ କରୁଥିଲେ ତାହା ମଧ୍ୟ ଚୋରା ବାଇକ୍ ହୋଇପାରେ ବୋଲି ସନ୍ଦେହ କରୁଛି ପୋଲିସ। ତେବେ ପୋଲିସ ଅଭିଯୁକ୍ତଙ୍କ ଠାରୁ ଗୋଟିଏ କେଟିଏମ୍ ବାଇକ୍, ଦୁଇଟି ସୁନା ଚେନ୍, ଗୋଟିଏ ଏୟାର ବ୍ୟାଗ, ଦୁଇଟି ନମ୍ବର ପ୍ଲେଟ ଏବଂ ଦୁଇଟି ବାଇକ୍ ଚାବି ଜବତ କରିଛି। ଅଭିଯୁକ୍ତଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
