ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ମହିଳା ଦିବସ ପାଳିତ
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ମହିଳା ଦିବସ ପାଳିତ: ୪୫ ଜଣ ‘ପରିବର୍ତ୍ତନର ସାରଥି’ ସମ୍ମାନିତ
- ସ୍ଥାନୀୟ ଗ୍ରାମର ୩୦୦ରୁ ଅଧିକ ମହିଳାଙ୍କ ଅଂଶଗ୍ରହଣ
- ଲିଙ୍ଗଗତ ସମାନତା ଏବଂ ଗୋଷ୍ଠୀ ସଶକ୍ତିକରଣ ଉପରେ ଗୁରୁତ୍ୱ
କଳିଙ୍ଗନଗର, ମାର୍ଚ୍ଚ ୧୧, ୨୦୨୬: ଆନ୍ତର୍ଜାତିକ ମହିଳା ଦିବସର ସ୍ମୃତିକୁ ଉଜ୍ଜୀବିତ ରଖି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ବୁଧବାର ଦିନ ଦାନଗଦୀ ସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟରଠାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଲିଙ୍ଗଗତ ସମାନତା ଏବଂ ସାମାଜିକ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟିଏସଏଫ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଞ୍ଚଳିକ ବିକାଶ କ୍ଷେତ୍ରରେ ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସଫଳତାକୁ ସମ୍ମାନ ଜଣାଯାଇଥିଲା। ଦାନଗଦୀ ଏବଂ ସୁକିନ୍ଦା ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ୩୦୦ରୁ ଅଧିକ ମହିଳା ଏହି ଉତ୍ସବରେ ଉତ୍ସାହର ସହ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜେଣ୍ଡର ଷ୍ଟଡିଜ୍ ବିଭାଗର ଅବସରପ୍ରାପ୍ତ ପ୍ରଫେସର ନବନୀତା ରଥ, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ ଏବଂ ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ସମେତ ତ୍ରିଜଙ୍ଗା ପଞ୍ଚାୟତର ସରପଞ୍ଚ କାଗଜି ପାତ୍ର ଏବଂ ନଡ଼ିଆ ଭଙ୍ଗା ପଞ୍ଚାୟତର ସରପଞ୍ଚ ରଶ୍ମିତା ସାହୁ, ବିସ୍ଥାପନ ଓ ପୁନର୍ବାସ କଲୋନୀର ସଦସ୍ୟ ଏବଂ ରାଜ୍ୟ ସ୍ତରୀୟ ସମ୍ପଦ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଟିଏସଏଫର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ନୂତନ ପ୍ରୟାସ ଏବଂ ସେମାନଙ୍କ ସଫଳତା ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ୪୫ ଜଣ ମହିଳାଙ୍କୁ ସମ୍ବର୍ଦ୍ଧନା। ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମାଜରେ ପରିବର୍ତ୍ତନ ଆଣିଥିବାରୁ ସେମାନଙ୍କୁ ‘କାଟାଲିଷ୍ଟ ଫର ଚେଞ୍ଜ’ ବା ‘ପରିବର୍ତ୍ତନର ସାରଥି’ ଭାବେ ସମ୍ମାନିତ କରାଯାଇଥିଲା। ଏହା ସହିତ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ପୂର୍ବରୁ ଦାନଗଦୀ ଏବଂ ସୁକିନ୍ଦା ବ୍ଲକର ୨୪ଟି ପଞ୍ଚାୟତ ସମେତ ଗୋବରଘାଟି, ସନସାଇଲୋ ଏବଂ ତ୍ରିଜଙ୍ଗା ପୁନର୍ବାସ କଲୋନୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ତୃଣମୂଳ ସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକ ମହିଳାମାନଙ୍କୁ ନିଜର ଅଭିଜ୍ଞତା ଆଦାନ ପ୍ରଦାନ, ଦକ୍ଷତା ପ୍ରଦର୍ଶନ କରିବା ଏବଂ ନେତୃତ୍ୱ ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ପ୍ରଶସ୍ତ ମଞ୍ଚ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପ୍ରାୟ ୧,୪୫୦ରୁ ଅଧିକ ମହିଳା ଏହି ପ୍ରୟାସରେ ସାମିଲ ହୋଇଥିଲେ, ଯାହା ଅଞ୍ଚଳରେ ବଢୁଥିବା ମହିଳା ସଶକ୍ତିକରଣ ଏବଂ ଉତ୍ସାହ କୁ ପ୍ରଦର୍ଶିତ କରୁଛି ।
