କଳାକାରମାନେ ସମାଜ ସଂସ୍କାରକ ହେତୁ ସେମାନଙ୍କ ଉନ୍ନତି ଏକାନ୍ତ କାମ୍ୟ : କଳାକାର ମହାସଂଘ

ପୁରୀ, ତା. ୧୨/୦୩ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ଏକ ରାଜ୍ୟସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନ ଆଠ ଘଟିକା ସମୟେ ଶ୍ରୀମନ୍ଦିର ସିଂହଦ୍ୱାର ସନ୍ନିକଟରୁ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରା ବାହାରି ଐତିହାସିକ ରଙ୍ଗମଞ୍ଚ ‘ଅନ୍ନପୂର୍ଣ୍ଣା ଥିଏଟର’ ପ୍ରେକ୍ଷାଳାୟକୁ ଯାତ୍ରା କରିଥିଲେ। କଳାପ୍ରାଣ କୈଳାସ ପାଣିଗ୍ରାହୀ କାର୍ଯ୍ୟକ୍ରମର ଶୁଭେଚ୍ଛା ଉଦଘାଟନ କରିଥିଲେ। ପ୍ରେକ୍ଷାଳୟ ଠାରେ ଗଞ୍ଜାମ ଜିଲ୍ଲା ଦୁଆନପଲ୍ଲୀ ସ୍ଥିତ ମା’ ମଙ୍ଗଳା ଓ କଳାପାଟ ନାଟ୍ୟ ସଂଘ ପ୍ରଯୋଜିତ ଲୋକ ନାଟକ ‘ଲକ୍ଷ୍ମୀ ପୁରାଣ’ ମଞ୍ଚସ୍ଥ ହୋଇଥିଲା। ଗୁରୁ ବନଜ କୁମାର ସାହୁ ନିର୍ଦ୍ଦେଶିତ ତଥା ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଦ୍ୱାରା ପରିଚାଳିତ ନାଟକଟି ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମର ଶୁଭେଚ୍ଛା ଉଦ୍ଘାଟନ କରିଥିବା ବେଳେ ଗୁରୁଗୌରବ ପ୍ରମୋଦ କୁମାର ଦଶ ମୂଖ୍ୟ ଅତିଥି, ଲୋକ ନାଟକ ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ବିଶିଷ୍ଟ ଅତିଥି, ଆଇ. ଆଇ.ସି. ଏ. ଟି. ସାଂସ୍କୃତିକ ସଂପାନ ଅଧ୍ୟକ୍ଷ ନାଟ୍ୟକାର ଉପେନ୍ଦ୍ର କୁମାର ଶର୍ମା ମୂଖ୍ୟ ବକ୍ତା ଏବଂ ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ମୋ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ନାଟ୍ୟକାର ଅଭୟ କୁମାର ଦାସ, ଓଡ଼ିଶା ନାଟକ ସମାରୋହ ସମିତି ସଭାପତି ଅନିଲ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କଳାକାରମାନେ ମହାର୍ହ ସଂସ୍କାରକ କାର୍ଯ୍ୟ କରୁଥିବା ହେତୁ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ନିମନ୍ତେ ଉଭୟ ସମାଜ ଓ ସରକାର ନିଷ୍ଠା ଓ ସମ୍ମାନର ସହ ପ୍ରଚେଷ୍ଟା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାର କଳାକାର ଭତ୍ତା ବୃଦ୍ଧି ସାଙ୍ଗକୁ ଫେମିଲି ପେନସନ ମାନ୍ୟତା ଏବଂ କେନ୍ଦ୍ର କଳାକାର ଭତ୍ତା ବୃଦ୍ଧି ନିମନ୍ତେ ଉଭୟ ସରକାରଙ୍କ ନିକଟରେ ଦାବି କରାଯାଇଛି।

ମହାସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ବିଛିନ୍ନାଞ୍ଚଳରୁ ଆଗତ ଅନ୍ୟୁନ ଚାଳିଶ ଜଣ ପ୍ରତିଭାଦୀପ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମହେନ୍ଦ୍ର କୁମାର ସାହୁ, ପ୍ରଦୀପ କୁମାର ସାହୁ ଏବଂ ସୂର୍ଯ୍ୟ ନାରାୟଣ ପାତ୍ର ସହଯୋଗ କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠନ କରାଯାଇଥିଲା। ସର୍ବଶ୍ରୀ ଅବନୀ କୁମାର ଦାସ, ବୃନ୍ଦାବନ ନାୟକ, ବିଭୁତି ଭୂଷଣ ମହାନ୍ତି, ଚୈତନ୍ୟ ମହାପାତ୍ର, ମଙ୍ଗଳା ପ୍ରଧାନ, ସତ୍ୟପ୍ରିୟ ପ୍ରଧାନ ପ୍ରମୁଖ କର୍ମକର୍ତ୍ତା ଭାବରେ ଚୟିତ ହୋଇଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଚନ୍ଦ୍ରଭାନୁ ନାୟକ, ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ବାଇଁ, ବିଜୟ ସାହୁ, ସୁମତି ସାହୁ, ରଶ୍ମିତା ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ମାନସ ରଂଜନ ଦାସ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *