ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମ ଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମୀକ୍ଷା

ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମ ଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମୀକ୍ଷା l ପାଣିରେ ବୁଡ଼ି ମୃତ୍ୟୁ ହ୍ରାସ ପାଇଁ ଅଗ୍ନିଯୋଦ୍ଧାମାନେ ପ୍ରଭାବୀ ପଦକ୍ଷେପ ନିଅନ୍ତୁ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଅଗ୍ନିଶମ ସେବା କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଉଲ୍କେଖନୀୟ ପଦକ୍ଷେପ ସଂପର୍କରେ ଅଗ୍ନିଶମ ଡିଜିଙ୍କ ସୂଚନା ଭୁବନେଶ୍ୱର, ୧୨.୦୩.୨୦୨୬ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଗତକାଲି ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଅଗ୍ନିଶମ ସେବା) ଡଃ. ସୁଧାଂଶୁ ଷଡ଼ଙ୍ଗୀ ଓଡ଼ିଶା ଅଗ୍ନିଶମ ସେବା ସଂପର୍କିତ କାର୍ଯ୍ୟରେ କ୍ଷମତା ବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ରଣନୀତି ସଂପର୍କରେ ଉପସ୍ଥାପନ କରିଥିଲେ । ବୈଠକରେ ସୂଚନା ଦେଇ ଅଗ୍ନିଶମ ସେବା ଡିଜି ଡଃ. ଷଡ଼ଙ୍ଗୀ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁସାରେ ଓଡ଼ିଶା ଅଗ୍ନିଶମ ସେବା ଅଗ୍ନିକାଣ୍ଡ, ସଡ଼କ ଦୁର୍ଘଟଣା, ରେଳ ଦୁର୍ଘଟଣା, କୋଠା ଭୁଷୁଡ଼ିବା, ପାଣିରେ ବୁଡ଼ିଯିବା ଘଟଣା ଓ ଅନ୍ୟାନ୍ୟ ବିପଦ ସମୟରେ ପ୍ରଥମେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସଂପାଦନ କରୁଛନ୍ତି । ପ୍ରତିଦିନ ସାଧାରଣତଃ ୨୦୦ରୁ ଅଧିକ ଆପାତକାଳୀନ ଘଟଣାରେ ଅଗ୍ନିଶମ କର୍ମଚାରୀମାନେ ସେବା ଯୋଗାଇ ଦେଉଛନ୍ତି । ସେମାନେ ଜୀବନ-ଜୀବିକା ରକ୍ଷା ପାଇଁ ମନୁଷ୍ୟ ସହିତ ପ୍ରାଣୀମାନଙ୍କୁ ମଧ୍ୟ ଉଦ୍ଧାର କରି ସାମାଜିକ ସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ରାଜ୍ୟରେ ସହରାଂଚଳ ଓ ଗ୍ରାମାଂଚଳରେ ଥିବା ୩୪୬ ଟି ଦମକଳ କେନ୍ଦ୍ର ମାଧ୍ୟମରେ ଅବିଳମ୍ବେ ସେବା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି । ୨୦୨୫ ବର୍ଷରେ ଅଗ୍ନିଶମ ସେବା ତରଫରୁ ପ୍ରାୟ ୨୦,୯୯୧ଟି ଅଗ୍ନିକାଣ୍ଡ ଜନିତ କଲ୍‌ ଗ୍ରହଣ କରାଯାଇ ତୁରନ୍ତ ସହାୟତା ପ୍ରଦାନ ଫଳରେ ପ୍ରାୟ ୫୯୮ କୋଟି ଟଙ୍କାର ସମ୍ପତ୍ତି ଓ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇପାରିଛି । ତତ୍ ସହିତ ବିଭିନ୍ନ ଦୁର୍ଘଟଣାରେ ୯,୫୪୭ ଜଣ ବ୍ୟକ୍ତି ଏବଂ ୧୬,୩୯୯ ପଶୁଙ୍କୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି । ଅଗ୍ନିଶମ ଓ ଜରୁରୀକାଳୀନ ସେବାକୁ ଅଧିକ ଦକ୍ଷ ଓ ସୁଦୃଢ କରିବା ପାଇଁ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ’ ମଧ୍ୟରେ ଭୁବନେଶ୍ୱର ବରମୁଣ୍ଡାଠାରେ ଚବିଶ ଘଣ୍ଟିଆ କାର୍ଯ୍ୟକ୍ଷମ ‘ରାଜ୍ୟ କମାଣ୍ଡ ସେଣ୍ଟର’ ପ୍ରତିଷ୍ଠା କରାଯାଇଛି , ଯାହା ଫଳରେ ଆପାତକାଳୀନ ସ୍ଥିତିରେ ଖୁବ୍ କମ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଏବଂ ସମ୍ପୃକ୍ତ ସମସ୍ତଙ୍କ ସହ ସମନ୍ୱୟ ରଖି ତ୍ୱରିତ ମନିଟରିଂ କରାଯାଇପାରୁଛି । କୋଣାର୍କ ନିକଟସ୍ଥ ରାମଚଣ୍ଡୀ ଠାରେ ଜଳରୁ ଉଦ୍ଧାର ଏବଂ ପାଣି ତଳେ ସର୍ଚ୍ଚ ଅପରେସନ ପାଇଁ ଉତ୍ସର୍ଗୀକୃତ ପ୍ରଶିକ୍ଷଣ କେନ୍ଦ୍ରକୁ ଗତ ୨୦୨୫ ଡିସେମ୍ବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ‘କେ-୯’ ଡଗ୍ ସ୍କ୍ୱାଡ୍ ଗଠନ କରାଯାଇଛି, ଯେଉଁଥିରେ ୧୦ଟି ପ୍ରଶିକ୍ଷିତ କୁକୁର ରାଜ୍ୟର ବିଭିନ୍ନ ସହରରେ ନିଯୁକ୍ତ ହୋଇଛନ୍ତି । ଅଗ୍ନିଶମ ସେବାକୁ ଅଧିକ ସକ୍ରିୟ, ଅଗ୍ନି ସୁରକ୍ଷା ଲଇସେନ୍ସ ପ୍ରଦାନ ଏବଂ ପ୍ରତ୍ୟେକ କାର୍ଯ୍ୟ କଳାପକୁ ସହଜ, ସୁଗମ ଓ ତ୍ୱରିତ କରାଯିବା ନେଇ ଅଗ୍ନିଶମ ସେବା ପୋର୍ଟାଲ ୨.୦ କାର୍ଯ୍ୟକାରୀ ହୋଇଛି । ଲିଙ୍ଗଗତ ସମାନତା ରକ୍ଷା କରିବାକୁ ‘ଫାୟାରମ୍ୟାନ’ ପଦବୀକୁ ‘ଫାୟାର ଫାଇଟର’ ବା “ଅଗ୍ନିଯୋଦ୍ଧା” ଭାବେ ନାମିତ କରାଯାଇଛି । ଅଗ୍ନିଶମ ସେବା କର୍ମଚାରୀରୁ ସେମାନେ ଅଗ୍ନିଯୋଦ୍ଧା ଭଳି ସମ୍ମାନରେ ପଦବାଚ୍ୟ ହୋଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି । ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ବୋଲି ଅଗ୍ନିଶମ ସେବା ଡିଜି ଡଃ. ଷଡଙ୍ଗୀ ସୂଚନା ଦେଇଥିଲେ । ଜନ ସାଧାରଣଙ୍କ ସଚେତନତା ଓ ସୂଚନା ପାଇଁ ଅଗ୍ନିଶମ ସେବା ଶାଖା ପକ୍ଷରୁ ସାମାଜିକ ଗଣ ମାଧ୍ୟମ(ସୋସିଆଲ ମିଡିଆ) ବ୍ୟବହାର କରାଯାଉଛି । ୯୧୧ ଜଣ ନୂତନ ଅଗ୍ନିଯୋଦ୍ଧା ନିଯୁକ୍ତି ହୋଇ ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି । ଖାଲିପଡ଼ିଥିବା ସମସ୍ତ ପଦବୀ ଶୀଘ୍ର ପୂରଣ ପାଇଁ ପଦକ୍ଷେପ ନିଆଯାଇଛି । ନାଗରିକ ସୁରକ୍ଷା (ସିଭିଲ ଡିଫେନ୍ସ ) ସହାୟତାକୁ ଅଗ୍ନିଶମ ସେବା ସହ ସମନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ସହିତ ସମ୍ମିଳିତ ଭାବେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ଲାଇଫ୍ ଗାର୍ଡମାନଙ୍କୁ ପ୍ରଶିକ୍ଷଣ ଓ ସାର୍ଟିଫିକେଟ୍ ଦେବା ନିମନ୍ତେ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି, ଯାହା ଦେଶରେ ପ୍ରଥମ ଉଦ୍ୟମ ଭାବେ ବିବେଚିତ ହୋଇଛି । ବ୍ୟବସାୟ କରିବାର ସହଜତାକୁ ଗୁରୁତ୍ୱ ଦେଇ ଅଗ୍ନି ସୁରକ୍ଷା ଅଡିଟ୍, ସ୍ୱୟଂକ୍ରିୟ ନବୀକରଣ ଓ ତୃତୀୟ ପକ୍ଷ ଯାଞ୍ଚ ପ୍ରଣାଳୀକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ପ୍ରତ୍ୟେକ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ସମେତ ନିର୍ଦ୍ଦିଷ୍ଟ ଗୋଟିଏ ବିଷୟରେ ଯଥା ସ୍କୁବା ଡାଇଭର, ପ୍ରାଥମିକ ଚିକିତ୍ସା, ସର୍ଚ୍ଚ ଏବଂ ଉଦ୍ଧାର, ଫାୟାର ଫାଇଟର ଟ୍ରେନର, ଜଙ୍ଗଲ ନିଆଁ ଲିଭାଇବା, ଦୁର୍ଘଟଣା ପ୍ରତିକ୍ରିୟା, କେ-୯., କମାଣ୍ଡ ସେଣ୍ଟର ବିଶେଷଜ୍ଞ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ବିଶେଷଜ୍ଞ ବ୍ୟାଚ୍ ପ୍ରଦାନର ବ୍ୟବସ୍ଥା ଆରମ୍ଭ କରାଯାଇଛି, ଯାହାକି ଅଗ୍ନିସେବା ସଂପର୍କିତ କାର୍ଯ୍ୟରେ ଦକ୍ଷତା ଓ ଗୌରବ ବୃଦ୍ଧି କରିବ । ଅଗ୍ନିଶମ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ଆଘାତ ପରେ ପୁନର୍ବାସ ପାଇଁ ଇଞ୍ଜୁରି ମ୍ୟାନେଜମେଣ୍ଟ, ରିକଭରି ଓ ରିହାବିଲିଟେସନ୍ ସେଣ୍ଟର ସ୍ଥାପନ କରାଯାଇଛି । ଆଧୁନିକ ଇନସିଡେଣ୍ଟ କମାଣ୍ଡ ଭେହିକଲ୍‌ ମାଧ୍ୟମରେ ଘଟଣାସ୍ଥଳରେ ଖୁବ୍ କମ ସମୟ ମଧ୍ୟରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍ ସ୍ଥାପନ କରି ଶୀଘ୍ର ସମନ୍ୱୟ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି । ବଡ଼ ଜନସମାଗମ ଓ ଉତ୍ସବ ସମୟରେ ଲୋକଙ୍କ ସୁରକ୍ଷା ପାଇଁ ଅଗ୍ନିଶମ କର୍ମଚାରୀମାନଙ୍କୁ ଉନ୍ନତ ପ୍ରଥମିକ ଚିକିତ୍ସା ପ୍ରଶିକ୍ଷଣ ଦିଆଯାଉଛି । ଅଗ୍ନିଯୋଦ୍ଧାମାନେ ବଡ଼ ବଡ଼ ଅଟ୍ଟାଳିକାମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଉପରକୁ ଚଢିବା ପାଇଁ ଏବଂ ଓହ୍ଲାଇବା ପାଇଁ ବ୍ୟାଟେରି ଚାଳିତ ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତ ଦମକଳ କେନ୍ଦ୍ର ମାନଙ୍କରେ ଅଗ୍ନିଯୋଦ୍ଧାମାନଙ୍କ ପାଇଁ ପିପିଇ କିଟ୍‌ ଯୋଗାଇ ଦିଆଯାଇଛି । ଅଗ୍ନିଯୋଦ୍ଧାମାନେ ଶାରିରିକ ସୁସ୍ଥ ଓ ସଦାପ୍ରସ୍ତୁତ ରହିବା ପାଇଁ ନିୟମିତ ଶାରୀରିକ କାର୍ଯ୍ୟକଳାପ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ରାଜ୍ୟରେ ଅଗ୍ନିଶମ ସେବାକୁ ଆହୁରି ସୁଦୃଢ଼ କରିବା ଗୁରୁତ୍ୱ ଦେଇ କହିଛନ୍ତି ଯେ, ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ଗୁଣାତ୍ମକ ଶାସନ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ପରିପ୍ରେକ୍ଷୀରେ ସେ ବିଭିନ୍ନ ଦୁର୍ଘଟଣା ମୁକାବିଲା ସଂପର୍କରେ ଆଲୋଚନା କରିବା ସହ ପ୍ରତିବର୍ଷ ପାଣିରେ ବୁଡ଼ି ଘଟୁଥିବା ମୃତ୍ୟୁ ସଂଖ୍ୟାକୁ ବହୁ ସଂଖ୍ୟାରେ କମାଇବାରେ ଅଗ୍ନିଶମ ବିଭାଗ ପ୍ରଭାବୀ ଭୂମିକା ଗ୍ରହଣ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଏହାକୁ ଆହ୍ୱାନ ଭାବେ ନେଇ ଅଗ୍ନିଯୋଦ୍ଧାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଦୃଢ ଆଶା ପ୍ରକାଶ କରିଛନ୍ତି । ଅଗ୍ନିଶମ ସେବା ପକ୍ଷରୁ ‘‘ଆଜି ଶନିବାର ଚାଲଯିବା ଦମକଳ କେନ୍ଦ୍ର’’ ଭଳି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପରେ ଛାତ୍ରଛାତ୍ରୀ, ସ୍ଥାନୀୟ ନେତୃବୃନ୍ଦ, ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଏନସିସି କ୍ୟାଡେଟ ଆଦିମାନଙ୍କ ପାଇଁ ସ୍ଥାନୀୟ ଦମକଳ କେନ୍ଦ୍ର ପରିଦର୍ଶନ ବ୍ୟବସ୍ଥା କରାଯାଇଛି, ଯଦ୍ୱାରା ସେମାନେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂପର୍କରେ ସଚେତନ ହେବା ସହ ପ୍ରଶିକ୍ଷଣ ସୁଯୋଗ ପାଇପାରୁଛନ୍ତି । ଦମକଳ କେନ୍ଦ୍ରରେ ମଧ୍ୟ ଜଳବୁଡ଼ିରୁ ଉଦ୍ଧାର, ସାପ କାମୁଡ଼ା ଜନିତ ଆକସ୍ମିକ ଦୁର୍ଘଟଣାଜନିତ ପ୍ରତିକାରାତ୍ମକ ବ୍ୟବସ୍ଥା ସଂପର୍କିତ ପ୍ରଶିକ୍ଷଣ ଦେବାକୁ ମଧ୍ୟ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିଲେ । ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଯୋଗଦେଇ କହିଥିଲେ ଯେ, ଅଗ୍ନିଯୋଦ୍ଧାମାନେ ଅଗ୍ନି ନିରାପତ୍ତା କାର୍ଯ୍ୟ ସହିତ ଶିଳ୍ପ, ପର୍ଯ୍ୟଟନ ଓ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜରୁରୀ ସହାୟତା ପ୍ରଦାନ କରି ସମାଜକୁ ଗୁରୁତ୍ୱପୂର୍ଣ୍ଣ ସେବା ଦେଉଛନ୍ତି । ତେଣୁ ସେମାନଙ୍କର କାର୍ଯ୍ୟରେ ନିରନ୍ତରତା ବଜାୟ ରଖିବା ପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି ଓ ଆବଶ୍ୟକତା ଥିବା ସମସ୍ତ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ସେ ଉଲ୍ଲେଖ କରିଥିଲେ ।

Leave a Reply

Your email address will not be published. Required fields are marked *