ମୁଖ୍ୟ ଶାସନ ସଚିବଙ୍କ ସହିତ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନଙ୍କ ଆଲୋଚନା

ଭୁବନେଶ୍ୱର,୧୨.୦୩. ୨୦୨୬ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ରାଜ୍ୟର ସାମ୍ବାଦିକମାନଙ୍କର ସମସ୍ୟା ଓ ଦାବୀ ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁରବୀର ସିଂ ଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସାମ୍ବାଦିକମାନଙ୍କ ପକ୍ଷରୁ “ଆଇୟୁଡବ୍ଲୁଜେ” ସଂଘର ସର୍ବଭାରତୀୟ ସଭାପତି ଶ୍ରୀ ପୀତବାସ ମିଶ୍ର, ଏହି ସଂଘର ଓଡ଼ିଶା ରାଜ୍ୟ ସଭାପତି ଶ୍ରୀ ଭାଗବତ ପ୍ରସାଦ ତ୍ରିପାଠୀ, ସଂଘର ଭୁବନେଶ୍ୱର କାର୍ଯ୍ୟାଳୟ ସଭାପତି ଶ୍ରୀ ହୃଷିକେଶ ମହାନ୍ତି ଏବଂ ‘ଓୟୁଡବ୍ଲ୍ୟୁଜେ”ର ଉପସଭାପତି ଶ୍ରୀ ରବି ରାୟ ପ୍ରମୁଖ ଯୋଗ ଦେଇ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ସାମ୍ବାଦିକମାନଙ୍କର ସାମୁହିକ ସମସ୍ୟା ଓ କଲ୍ୟାଣ ସଂପର୍କରେ ବିଭିନ୍ନ ପ୍ରସ୍ତାବ ଓ ଦାବୀ ରହିଥିବା ଉପସ୍ଥାପନ କରିଥିଲେ । ସାମ୍ବାଦିକମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ପେନସନ୍ ଯୋଜନା ଲାଗୁ କରିବା , ସାମ୍ବାଦିକମାନଙ୍କୁ ସରକାରୀ ସ୍ୱୀକୃତି ମାନ୍ୟତା ପାଇଁ ରାଜ୍ୟ ଆକ୍ରିଡିଟେସନ କମିଟି ପୁନର୍ଗଠନ କରାଯିବା, ସରକାରୀ ବିଜ୍ଞାପନ ଆବଣ୍ଚନରେ ଅଧିକ ସୁବିଧା କରାଯିବା, ସାମ୍ବାଦିକମାନଙ୍କୁ ପରିଚୟପତ୍ର ପ୍ରଦାନ ପ୍ରସଙ୍ଗରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ପ୍ରସଙ୍ଗକୁ ଭଲଭାବେ ଅନୁଧ୍ୟାନ କରି ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *