ଖଜୁରୀପଲ୍ଲୀରେ ଲୋକ ଅଧିକାର ଯାତ୍ରାର ଅଭିଯାତ୍ରୀ ଦଳଙ୍କୁ ସମ୍ବର୍ଦ୍ଧନା
ସୋରଡା :୧୩/୦୩/୨୬ ;ରାଜ୍ୟରେ ବର୍ତମାନର ଡବଲ ଇଞ୍ଜିନ ସରକାର ଦ୍ଵାରା ବିକାଶ ନାଁରେ ଦେଶୀ ବିଦେଶୀ କର୍ପୋରେଟ୍ କମ୍ପାନୀମାନଙ୍କ ସ୍ଵାର୍ଥରେ ସରକାରଙ୍କ ପକ୍ଷରୁ ଭାବେ ଲୋକଙ୍କ ଜମି, ଜଙ୍ଗଲ, ନଦୀ ଓ ପ୍ରାକୃତିକ ସମ୍ପଦ ଉପରେ ଆକ୍ରମଣ ଚାଲିଛି । ଅନ୍ୟପଟେ ଉପରୋକ୍ତ ଆକ୍ରମଣ ଫଳରେ କ୍ଷତିଗ୍ରସ୍ତ ସାଧାରଣ ମଣିଷମାନେ ନିଜର ଜୀବନ ଜୀବିକା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଲଢେଇ କରୁଥିବା ସେମାନଙ୍କ ଉପରେ ମିଛ କେଶ ଓ ଗିରଫଦାରୀ କରି ସ୍ଥାନୀୟ ପୋଲିସ ଭୟଙ୍କର ଦମନ କରିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସରକାରଙ୍କ କର୍ପୋରେଟ୍ କମ୍ପାନୀ ସପକ୍ଷବାଦୀ ଜନ ବିରୋଧୀ ବିକାଶ ନୀତି ସମ୍ପର୍କର ରାଜ୍ୟବାସୀଙ୍କ ମଧ୍ୟରେ ସଚେତନତା ସୣଷ୍ଟି କରିବାକୁ ତଥା ବଳପୂର୍ବକ ଜମି ଅଧିଗ୍ରହଣ ତଥା ଦମନ ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଲୋକ ଶକ୍ତି ଅଭିଯାନ, ଏନଏପିଏମ୍ ଓ ସେଣ୍ଟର ଫର୍ କ୍ଳାଇମେଟ୍ ଜଷ୍ଟିସ ପକ୍ଷରୁ ମିଳିତ ଭାବେ ଏକ ରାଜ୍ୟସ୍ତରୀୟ ବସଯାତ୍ରା ଆରମ୍ଭ ହୋଇଛି । ଗତ ଫେବୃଆରୀ ୨୫ତାରିଖରେ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜନ୍ମସ୍ଥାନ ସ୍ଥାନ ସତ୍ୟଭମାପୁର ଠାରୁ ଏହି ୨୦ ଜଣିଆ ପଦଯାତ୍ରା ବାହାରି ସାରା ରାଜ୍ୟ ପରିକ୍ରମା କରି ଆସନ୍ତା ୨୩ ତାରିଖ ଦିନ ଶହୀଦ ଭଗତ ସିଂଙ୍କ ଶହୀଦ ଦିବସ ଅବସରରେ ଭୁବନେଶ୍ୱର ଠାରେ ପହଞ୍ଚିବ । ଇତି ମଧ୍ୟରେ ଗତ ୧୭ଦିନ ମଧ୍ୟରେ ଏହି ଯାତ୍ରା ରାଜ୍ୟର ୧୮ଟି ଜିଲ୍ଲା ପରିକ୍ରମା କରି ସାରିଛନ୍ତି । ଆଜି ଲୋକ ସମ୍ପର୍କ ଯାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଠାରୁ ବାହାରି ଗଞ୍ଜାମର ସୋରଡ଼ା ବ୍ଳକର ଗାଜଲବାଡି ପଞ୍ଚାୟତରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ତଥା ଅଖିଳ ଭାରତ କିଶାନ ମଜଦୁର ସଭା ଓ ପ୍ରସ୍ତାବିତ ପିପଳପଙ୍କା ଡେମ୍ ବିରୁଦ୍ଧରେ ସଂଗ୍ରାମ କରୁଥିବା ଭିଟାମାଟି ସୁରକ୍ଷା ମଞ୍ଚର କର୍ମକର୍ତ୍ତାମାନେ ଅଭିଯାତ୍ରୀ ଦଳକୁ ସମ୍ଵର୍ଦ୍ଧିତ କରିଥିଲେ । ଏହି ଅବସରରେ ଖଜୁରୀପଲ୍ଲୀ ଠାରେ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତ କିଶାନ୍ ମଜଦୁର ସଭାର ରାଜ୍ୟ ସମ୍ପାଦକ ପ୍ରତାପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଋଷିକୂଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟିର ଆବାହକ ସୁଧୀର ରାଉତ, ଅନ୍ୟତମ ବରିଷ୍ଠ ସଦସ୍ୟ ଶ୍ୟାମସୁନ୍ଦର ଖାଡଙ୍ଗା, ପଶ୍ଚିମ ଓଡିଶାର ବରିଷ୍ଠ କୣଷକ ନେତା ଲିଙ୍ଗରାଜ, ଅଖିଳ ଭାରତ କିଶାନ୍ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଏନଏପିଏମର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଆଦିବାସୀ ନେତା ନାଚିକା ଲିଙ୍ଗା, ଯୁବନେତା ଆଦିତ୍ୟ ରଥ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ସରକାର ଘରୋଇ କମ୍ପାନୀଙ୍କୁ ପାଣି ଯୋଗାଇ ଦେବା ପାଇଁ ପିପଳପଙ୍କା ଠାରେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ଯେଉଁ ଡେମ୍ କରିବାକୁ ଯାଉଛନ୍ତି, ତାରି ଫଳରେ ନଦୀ ସମ୍ପୂର୍ଣ୍ଣ ମରିଯିବା ସହ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ପିଇବା ପାଣି ଓ ଜଳସେଚନ ବ୍ୟବସ୍ଥା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ ବୋଲି କହିଥିଲେ । ସ୍ଥାନୀୟ ସମ୍ଭାବ୍ୟ ବୁଡି ଅଞ୍ଚଳ ରୂପେ ପରିଚିତ ୨୩ଟି ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ ଜୀବନ ଚାଲିଯିବ ପଛେ ଡେମ୍ ପାଇଁ ଆମର ଜମି ଓ ଜଙ୍ଗଲ ଦେବୁନାହିଁ ବୋଲି ଦୃଢ଼ ସ୍ଵରରେ କହିଥିଲେ ।
