ଲୋକ ଅଧିକାର ଯାତ୍ରାକୁ ପୁରୀରେ ନାଗରିକ ସମ୍ବର୍ଦ୍ଧନା*
ପୁରୀ (୧୪/୩) : ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ଲୋକଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ବୟ ଓ ସେଣ୍ଟର ଫର୍ କ୍ଲାଇମେଟ୍ ଜଷ୍ଟିସ ପକ୍ଷରୁ ସତ୍ୟଭାମାପୁର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରୁ ଆରମ୍ଭ ହୋଇଥିବା ଲୋକ ଅଧିକାର ଯାତ୍ରା ଆଜି ପୁରୀରେ ପହଞ୍ଚିବା ପରେ ସାମାଜିକ କର୍ମୀ ସ୍ୱାଧୀନ କୁମାର ପଣ୍ଡାଙ୍କ ସଂଯୋଜନାରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ନାଗରିକ ମଞ୍ଚ ପକ୍ଷରୁ ପୁରୀ ବଳଗଣ୍ଡି ଛକ ସ୍ଥିତ ଭକ୍ତ ସାଲବେଗ ସମ୍ମିଳନୀ କକ୍ଷରେ ଅଭିଯାତ୍ରୀ ଦଳକୁ ଭବ୍ୟ ସ୍ୱାଗତ ଜଣାଇ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଗାନ୍ଧୀବାଦୀ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପ୍ରାକୃତିକ ସମ୍ପଦ ସୁରକ୍ଷାର ପ୍ରାସଙ୍ଗିକତା ଓ ଲୋକ ଅଧିକାର ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଯାତ୍ରୀମାନେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା କହିଲେ ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିରେ ପ୍ରାକୃତିକ ସମ୍ପଦ ଉପରେ ଲୋକଙ୍କ ଅଧିକାର ଅବହେଳିତ ହେଉଛି ଏବଂ କର୍ପୋରେଟ୍ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଉଛି। ଏହା ଫଳରେ ଚାଷୀ, ଆଦିବାସୀ ଓ ଶ୍ରମଜୀବୀ ଲୋକଙ୍କ ଜୀବନ–ଜୀବିକା ଗୁରୁତର ସଙ୍କଟରେ ପଡ଼ୁଛି। ତେଣୁ ପ୍ରାକୃତିକ ସମ୍ପଦ ସୁରକ୍ଷା ଓ ସାମାଜିକ ନ୍ୟାୟ ପାଇଁ ସରକାରଙ୍କ ନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗ୍ରୀନ ନୋବେଲ ବିଜେତା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ନେତୃତ୍ୱ ଓ ଗାନ୍ଧୀବାଦୀ ନେତା ଡଃ ବିଶ୍ୱଜିତଙ୍କ ସଂଯୋଜନାରେ ଆୟୋଜିତ ଏହି ଯାତ୍ରାରେ ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି, ଆଦିବାସୀ ନେତା ନାଚିକା ଲିଙ୍ଗା, କାଶୀପୁରର ଯୁବ ନେତା ଲକ୍ଷ୍ମଣ ନାୟକ, ନିୟମଗିରି ଆନ୍ଦୋଳନର ନେତା ସୁରେଶ ସଂଗ୍ରାମ, ଉପେନ୍ଦ୍ର ଦ୍ରାବିଡ଼, କୃଷ୍ଣ ସିକକା ଓ ସ୍ରାବୁ ସିକକା, ଗବେଷକ ସର୍ବେଶ୍ଵର ସାହୁ, ଯୁବ ସାମ୍ବାଦିକ ସୁକାନ୍ତ ପ୍ରଧାନ, ଚାଷୀ ନେତା ସୀମାଞ୍ଚଳ ନାହାକ ପ୍ରମୁଖ ଉପସ୍ଥିତ ସାମିଲ ଅଛନ୍ତି।ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ରାଜେଶ ମିଶ୍ର ଅଭିଯାତ୍ରୀ ଦଳକୁ ପାଛୋଟି ନେଇଥିବା ବେଳେ ସାମାଜିକ କର୍ମୀ ଅମରେନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ଜଗନ୍ନାଥ ଦେଓ, ବିଦ୍ୟୁଲତା ଆଚାର୍ଯ୍ୟ, ହରିଶଙ୍କର ମିଶ୍ର, ସୂର୍ଯ୍ୟ ରଥ, କିଷାନ ପଟ୍ଟନାୟକ, ସୁରେନ୍ଦ୍ର ତାପସୁ, ଦେବୀ ପ୍ରସାଦ ମିଶ୍ର, ଦେବରାଜ ଦାସ, ସୁମିତ୍ରା ବାରିକ, ଜ୍ୟୋତି ବିଶ୍ୱାଳ, ପ୍ରଶାନ୍ତ କୁମାର ନାୟକ, କ୍ଷୀରୋଦ ଦାଶ, ସୀତାକାନ୍ତ ମହାନ୍ତି, ଟୁନା ନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ। ଏହି ଯାତ୍ରା ଆସନ୍ତା ୨୯ ମାର୍ଚ୍ଚରେ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ଅବସରରେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ପ୍ରାକୃତିକ ସୁରକ୍ଷା ସମାବେଶରେ ଉଦଯାପିତ ହେବ। ଏହି ଲୋକ ଅଧିକାର ଯାତ୍ରା ପ୍ରାକୃତିକ ସମ୍ପଦ, ଜଳ–ଜମି–ଜଙ୍ଗଳର ସୁରକ୍ଷା ସହିତ ଲୋକମାନଙ୍କ ଜୀବନ–ଜୀବିକା ଓ ସାମାଜିକ ନ୍ୟାୟ ପାଇଁ ଏକ ସୁଦୃଢ଼ ଜନଆନ୍ଦୋଳନର ରୂପ।
