ଅତିଥି ସ୍ବୟଂ ଭଗବାନ
ଅତିଥି ସ୍ବୟଂ ଭଗବାନ
( ରାଗ — ଗୁଜ୍ଜରୀ)
🖊️କବିରତ୍ନ ନୂତନ କୁମାର ବେହେରା
କହେ ଆମ ଶାସ୍ତ୍ର ପୁରାଣ, ଅତିଥି ସ୍ବୟଂ ଭଗବାନ।
ଗୃହରେ କଲେ ପଦାର୍ପଣ, ଦେବା ଯଥାଯଥ ସମ୍ମାନ।
ସ୍ଵାଗତେ କରି ସମ୍ଭାଷଣ, ବସିବାକୁ ଦେବା ଆସନ।
ଶ୍ରୀପଦ କରି ପ୍ରକ୍ଷାଳନ, ଲଲାଟେ ଲେପିବା ଚନ୍ଦନ।
ସେ ବନ୍ଧୁ ସଖା ଆପଣାର,ହୃଦୟେ କରିବା ବିଚାର।
ପଚାରି ବୁଝିବା କାରଣ, ଆସିବାର ଉଦ୍ଦେଶ୍ୟ ମାନ।
ଘରର ସଦସ୍ୟ ସମାନ, ଆତିଥ୍ୟ ଦେବା କରି ଯତ୍ନ।
ଦେଇଣ ଅନ୍ନ ବସ୍ତ୍ର ଦାନ,ସ୍ଵଧର୍ମ କରିବା ପାଳନ।
ଓଡ଼ିଆ ଘରର ସଂସ୍କୃତି, ଐତିହ୍ୟ ପରମ୍ପରା ନୀତି।
ପରକୁ କରିବା ନିଜର, ମନରେ ନରଖି ବିକାର।
ଭାବି ତାଙ୍କୁ ପ୍ରିୟ ଆତ୍ମନ,ନିଜ ହୃଦୟେ ଦେବା ସ୍ଥାନ।
ଦେଇ ତାଙ୍କୁ ଅଭ୍ୟର୍ଥନା,ପୂରାଇବା ମନସ୍କାମନା।
ଶାସ୍ତ୍ରେ ଅତିଥି ଦେବ ଭବ, ମହତ ତାଙ୍କର ସ୍ବଭାବ।
କହେ ପୁରାଣ କିମ୍ବଦନ୍ତୀ, ଅତିଥି କଥା ଅସରନ୍ତି।
ଗୃହର କର୍ତ୍ତା ସେବା କରି, ହୁଅନ୍ତି ଯଶ ଅଧିକାରୀ।
ଈଶ୍ବରଙ୍କ ଆଶିଷ ସମ, ଅତିଥିର କୃପା ଅସୀମ।
ସେ ହୋଇଥାଏ ପୁଣ୍ୟଫଳ, ବ୍ୟକ୍ତିର ହୁଅଇ ମଙ୍ଗଳ।
ସେବାରେ ହୋଇଲେ ସନ୍ତୁଷ୍ଟ, ହୁଏନା ଘରର ଅନିଷ୍ଟ।
ସେବା କାର୍ପଣ୍ୟ ବାହୁବଳେ, ସବୁ ସାଧ୍ୟ ଏ ମହୀତଳେ।
ସେବାଠୁ ନାହିଁ ବଡ଼ ଧର୍ମ, ବ୍ୟକ୍ତିର ସେ ମହତ କର୍ମ।
ଏକଥା ବିଚାରି ସୁଜନ,କରେ ଉଚିତ ଆଚରଣ।
ଅତିଥି ସ୍ବୟଂ ଭଗବାନ, ଜୀବନ୍ତ ଦେବ ଆଗମନ।
ଭାବି ସେ ଏ ଏକ ସୁଯୋଗ,
ଅରଜେ ନିଜର ସୌଭାଗ୍ୟ।
ମାନବ ସେବାରେ ମାଧବ, ଆଶିଷେ ଦୂରାନ୍ତି ଅଭାବ।
ଅନେକ ସ୍ଥଳେ ଛଦ୍ମବେଶୀ, ହଇରାଣ କରନ୍ତି ଆସି।
କୌଶଳେ ନେଇଯାଏ ଧନ,
କେ ବା କରେ ଅପହରଣ।
ଅତିଥି ବେଶେ ଶଇତାନ, ନିଅଇ ନିରୀହ ଜୀବନ।
ଅଜଣା ଅଚିହ୍ନା ଅତିଥି, ମନ୍ଦ ଉଦ୍ଦେଶ୍ୟେ କରେ କ୍ଷତି।
ସେ ପ୍ରତି ରହି ସାବଧାନ,କରିବା ତାହାର ବିଧାନ।
ଅତିଥିର ଜାଣି ବୃତ୍ତାନ୍ତ, ନେବାକୁ ହେବ ସେ ସିଦ୍ଧାନ୍ତ।
ହୋଇଲେ ସେ ସମ୍ମାନଯୋଗ୍ୟ,
କରିବା ସେବା ଯତ୍ନ ତ୍ୟାଗ।
ପ୍ରକୃତ ଧାର୍ମିକ ସୁଜନ, ଅତିଥି ରୂପେ ଭଗବାନ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
