ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତ ଆୟୋଜିତ
ଯାଜପୁର, ୩୦/୦୪/୨୬: ଓଡ଼ିଶା ରାଜ୍ୟ ମହିଳା କମିଶନ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କମିଶନଙ୍କ ଶିବିର ଅଦାଲତ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହିଳା ସମସ୍ୟା ସମ୍ପର୍କିତ ଅଭିଯୋଗର ବିଚାର କରାଯାଇଛି। ମହିଳାମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ଆପତ୍ତି ଅଭିଯୋଗଗୁଡିକର ବିନା ଖର୍ଚ୍ଚାନ୍ତରେ ଆପୋଷ ଆଲୋଚନା ଦ୍ୱାରା ଶୀଘ୍ର ସମାଧାନ କରାଯିବା ସହ ମହିଳାଙ୍କ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରିବା ଶିବିର ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଜ୍ୟ ମହିଳା କମିଶନ୍ ସଦସ୍ୟ ଡ. କଳ୍ପନା ମଲ୍ଲିକ କହିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ ସ୍ୱାଗତ ବକ୍ତବ୍ୟ ଦେଇଥିଲେ। ସୁନ୍ଦର ପରିବାର ସହ ଏକ ସୁନ୍ଦର ସମାଜ ଗଠନ ହେଉ ବୋଲି ମହିଳା କମିଶନ ସଦସ୍ୟ କହିଥିଲେ। ରାଜ୍ୟ ମହିଳା ଆୟୋଗ ନିକଟରେ ଦାଖଲ ହୋଇଥିବା ପାରିବାରିକ କଳହ, ଘରୋଇ ହିଂସା, ନିର୍ଯ୍ୟାତନା ଓ ମହିଳା ଅଧିକାରରୁ ବଞ୍ଚିତ ଆଦି ସମସ୍ୟା ସମ୍ବନ୍ଧୀୟ ୨୬ ଟି ଅଭିଯୋଗ ମାମଲାଗୁଡିକର ଶୁଣାଣି କରାଯାଇଥିଲା। ଆଜିର ଶିବିର ଅଦାଲତରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, କାଉନସିଲର ବନ୍ଦନା ମହାନ୍ତି, ଅତିରିକ୍ତ ଏସପି ଶିତିକଣ୍ଠ କାନୁନଗୋ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଆଇଆଇସି ଶରତ ନାୟକ, ଲିଗାଲ ଆସିଷ୍ଟାଣ୍ଟ ଅରବିନ୍ଦ ପଟ୍ଟନାୟକ, ପ୍ରୋଗ୍ରାମ ଅଫିସର ସରୋଜିନୀ ଦାସ, କିରାଣୀ ଚିତ୍ତରଞ୍ଜନ ବିଶ୍ୱାଳ, ଉପଖଣ୍ଡ ପିଓ ଲିଲି ଗାଗରାଇଙ୍କ ସମେତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ପୋଲିସ, ଏଚୟୁବି କର୍ମକର୍ତ୍ତା, ମହିଳା କମିଶନ କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।
