ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମୃତ ଡଲଫିନ ଉଦ୍ଧାର। ସ୍ପିଡ୍ ବୋଟ ଓ ଇଞ୍ଜିନ ଡଙ୍ଗା ସାଜୁଛନ୍ତି କାଳ

କୋଣାର୍କ:- ନିକଟସ୍ଥ ଚନ୍ଦ୍ରଭାଗା ବେଳାଭୂମିରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମୃତ ଡଲଫିନ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ବଟଲ ନୋଜ୍ ପ୍ରଜାତିର ଏହି ଡଲଫିନଟି ସମୁଦ୍ର କୂଳକୁ ଚାଲିଆସିଥିଲା। କିଛି ପର୍ଯ୍ୟଟକ ଓ ଲାଇଫ ଗାର୍ଡ ମାନେ ତାକୁ ସମୁଦ୍ରକୁ ଛାଡ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ କିଛି ସମୟ ପରେ ଡ଼ଲଫିନ ର ମୃତ୍ୟୁ ଘଟି କୁଳରେ ଲାଗିଥିଲା। ମୃତ ଡଲଫିନର ଖବରପାଇ କୋଣାର୍କ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କୋଣାର୍କ ପ୍ରାଣି ଚିକିତ୍ସାଳୟକୁ ପଠାଇଥିଲେ। ଡଲଫିନ ଟି ସମୁଦ୍ର ମଧ୍ୟରେ କୌଣସି ଇଞ୍ଜିନ ଚଳିତ ଡଙ୍ଗା କିମ୍ବା ସ୍ପିଡ ବୋଟ ମାଡ଼ରେ ମୃତ୍ୟୁବରଣ କରି ସମୁଦ୍ରରେ ଭାସି ଭାସି କୂଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଏଠାରେ ସୂଚନା ଥାଇପାରେକି ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ପାଇଁ ନିର୍ଦ୍ଧିଷ୍ଟ କିଛି ଅଞ୍ଚଳରେ ମାଛ ନମାରିବା ନିମନ୍ତେ କଟକଣା ରହିଛି।

ସମୁଦ୍ରର ନିର୍ଦ୍ଧିଷ୍ଟ ଅଞ୍ଚଳରେ ବୋଟ, ଇଞ୍ଜିନ ଚାଳିତ ଡଙ୍ଗା ସହିତ ଜାଲ ପକାଇବାକୁ ବାରଣ କରାଯାଇଛି। ହେଲେ ସମୁଦ୍ରରେ କଡାକଡି ପେଟ୍ରୋଲିଂ କରାଯାଉନଥିବାରେ ଅଲିଭ ରିଡଲେଙ୍କ ସହିତ ବିରଳ ପ୍ରଜାତିର ଡଲଫିନ ମୃତ୍ୟୁ ମୁଖରେ ପଡୁଥିବା ସାଧାରଣରେ ଅଭିଯୋଗ ହେଉଛି। ଡଲଫିନ ଗୁଡ଼ିକ ପ୍ରାୟତଃ ସମୁଦ୍ର କୂଳରେ ଦଳ ଦଳ ହୋଇ ଜଳକ୍ରୀଡା କରିଥାନ୍ତି। ହେଲେ ସମୁଦ୍ର କୂଳରେ ବୋଟିଂ ଆଦି ଏମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବା ଆଶଙ୍କା କରାଯାଉଛି। ବନ ବିଭାଗ ଓ ମତ୍ସ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ପରିବେଶବିତ ମାନେ ଦାବୀ ପ୍ରକାଶ କରିଛନ୍ତି। ମୃତ ଡଲଫିନଟିକୁ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର ପ୍ରକୃତ କାରଣ କଣ ବୋଲି ଜଣାପଡ଼ିବ ବୋଲି କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *