ମାଆ ବିରଜାଙ୍କ ଆଜ୍ଞା ମାଳ ନେଇ ଯଯାତି ମହୋତ୍ସବ ଆରମ୍ଭ
ଯାଜପୁର, ୨୦/୦୩/୨୬: ଐତିହ୍ୟ ଓ ପରମ୍ପରାର ଅନନ୍ୟ ସମନ୍ୱୟରେ ଶୁଭାରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ‘ଯଯାତି–୨୦୨୬’ ଏବଂ ‘ସୁଭଦ୍ରା ଶକ୍ତି ଓ ପଲ୍ଲିଶ୍ରୀ ମେଳା’। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ, ଶକ୍ତିପୀଠ ଅଧିଶ୍ୱରୀ ମା’ ବିରଜାଙ୍କ ପବିତ୍ର ପୂଜାଅର୍ଚ୍ଚନା ଓ ‘ଆଜ୍ଞାମାଳ’ ପ୍ରାପ୍ତି ସହ ଏହି ଭବ୍ୟ ମହୋତ୍ସବର ଶୁଭ ଶଙ୍ଖନାଦ କରାଯାଇଛି। ମା’ଙ୍କ ମନ୍ଦିର ପରିସରରୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏବଂ ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀଙ୍କ ନେତୃତ୍ୱରେ ଏକ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରିଥିଲା। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଏବଂ “ଜୟ ମା’ ବିରଜା” ଧ୍ୱନିରେ ସମଗ୍ର ପରିବେଶ ଏକ ଆଧ୍ୟାତ୍ମିକ ଶିହରଣ ସୃଷ୍ଟି କରିଥିଲା।

ପାରମ୍ପରିକ ରୀତିନୀତି ଅନୁଯାୟୀ, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀଙ୍କ ଦ୍ଵାରା ମା’ଙ୍କ ପବିତ୍ର ଆଜ୍ଞାମାଳକୁ ପ୍ରଶାସନିକ ଭବନ ପଡ଼ିଆରେ ନିର୍ମିତ ଭବ୍ୟ ରଙ୍ଗମଞ୍ଚ ପର୍ଯ୍ୟନ୍ତ ଅଣାଯାଇଥିଲା। ମନ୍ତ୍ରୋଚ୍ଚାରଣ ଓ ଶାସ୍ତ୍ରୀୟ ବିଧି ବିଧାନ ମଧ୍ୟରେ ଆଜ୍ଞାମାଳକୁ ରଙ୍ଗମଞ୍ଚରେ ସ୍ଥାପନ କରାଯିବା ପରେ ‘ଯଯାତି–୨୦୨୬’ ମହୋତ୍ସବର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା।ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ମହିଳାମାନଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ଏହି ଶୋଭାଯାତ୍ରାର ଶୋଭାକୁ ଦ୍ୱିଗୁଣିତ କରିଥିଲା।
