ବିଦ୍ୟୁତ ସର୍ଟ ସର୍କିଟ ପାଇଁ ଲାଗିଲା ନିଆଁ,ଜଳିଗଲା ୩ ବଖରା ଘର ନଗଦ ଦୁଇଲକ୍ଷ ଟଙ୍କା

ଗଣିଆ -ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତର ରାଉତପଡା କୈବର୍ତ୍ତ ସାହିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୩ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଘରେ କେହି ନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗ୍ରାମର ପ୍ରତାପ ସାହୁ ଏବଂ ବାଦଲ ସାହୁଙ୍କ ଘରେ ଅଚାନକ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁର କରାଳ ରୂପ ୩ ବଖରା ଘରକୁ ସଂପୂର୍ଣ୍ଣ ଧ୍ବଂସ କରି ଦେଇଥିଲା । ଦମକଳ ବାହୀନି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ଧାର କରଜ କରି ଛାତ ପକେଇବା ପାଇଁ ରଖିଥିବା ୨ ଲକ୍ଷ ଟଙ୍କା ,ସୁନା ରୂପା, ଆସବାବପତ୍ର ମଧ୍ୟ ନିଆଁରେ ପୋଡି ଯାଇଛି । ପିନ୍ଧା ଲୁଗାକୁ ଛାଡିଦେଲେ ଆଉ କିଛି ବି ନାହିଁ ।ଛାତ ଘରଟିଏ କରି ରହିବାକୁ ଦେଖିଥିବା ସ୍ୱପ୍ନ ସ୍ବପ୍ନରେ ରହିଯାଇଛି । ତେବେ ଘଟଣାସ୍ଥଳରେ ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠ୍, ବିଡ଼ିଓ ଲବଣ୍ୟେନ୍ଦୁ ମହାନ୍ତି,ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ, ବିଜେପି ସଭାପତି ମହାବୀର ପ୍ରସାଦ ମିଶ୍ର ପ୍ରମୁଖ ପହଞ୍ଚିଥିବା ଜଣାପଡିଛି । ପଞ୍ଚାୟତ ତରଫରୁ ୭ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ପ୍ରଦାନ କରିବାକୁ ବିଡ଼ିଓ ନିର୍ଦେଶ ଦେଇଥିବା ବେଳେ ରେଡକ୍ରସ ତରଫରୁ ଉଭୟ ପରିବାରକୁ ସହାୟତା ପ୍ରଦାନ କରିବାକୁ ତହସିଲଦାର ପ୍ରତିଶୃତି ଦେଇଥିଲେ । ତେବେ ଉଭୟ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ଆବାସ ଯୋଜନା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *