ରାମ ନବମୀ ୨୦୨୬ ଉପଲକ୍ଷେ ପ୍ରସ୍ତୁତି ସମୀକ୍ଷା ବୈଠକ
ରାମ ନବମୀ ୨୦୨୬ ଉପଲକ୍ଷେ ପ୍ରସ୍ତୁତି ସମୀକ୍ଷା ବୈଠକ l ଆସନ୍ତା କାଲି ପବିତ୍ର ରାମ ନବମୀ ପର୍ବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବା ପାଇଁ ପୁରୀ ପୋଲିସ ପକ୍ଷରୁ ଆଜି ସକାଳ ୧୦:୩୦ ରେ ଏସ୍ପି ଅଫିସ କନଫରେନ୍ସ ହଲ୍ରେ ଭର୍ଚୁଆଲ୍ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ସମସ୍ତ ଥାନାର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ ଅତିରିକ୍ତ ଏସ୍ପି ଶ୍ରୀ ସୁଶୀଲ ମିଶ୍ର, ଶ୍ରୀ ଦେବୀ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ, ମିସ୍ ଅନଖା କେ. ବିଜୟା, IPS, ସିଟି ଡିଏସ୍ପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର ସହିତ ପୁରୀ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାମ ନବମୀ ଅବସରରେ ବିଭିନ୍ନ ଶୋଭାଯାତ୍ରାକୁ ସୁଚାରୁ ଭାବରେ ପରିଚାଳନା ପାଇଁ ରୁଟ୍ ଲାଇନ୍ କ୍ଲିଅରେନ୍ସ, ଯାତାୟାତ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ଶୋଭାଯାତ୍ରା ସମୟରେ ଡ୍ରୋନ୍ ସରଭିଲାନ୍ସ ବ୍ୟବସ୍ଥା କରାଯିବା, ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ରୁଫଟପ ଡିଉଟି ଓ ସୁରକ୍ଷା ନିରୀକ୍ଷଣକୁ ଆହୁରି ମଜବୁତ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଶୋଭାଯାତ୍ରା ଗୁଡିକୁ ସମୟୋପଯୋଗୀ ଭାବରେ ନିୟନ୍ତ୍ରଣ କରି ସୁସଂଖଳିତ ଭାବେ ପାର୍ବ ପାଳନ ନିମନ୍ତେ ପ୍ରତ୍ୟେକ ଥାନାକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ସେନ୍ସିଟିଭ୍ ଏବଂ ଭିଡ ଅଞ୍ଚଳରେ ଅତିରିକ୍ତ ପୁଲିସ ମୋତାୟନ କରିବା ସହିତ ସତର୍କ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ପୋଲିସ ପକ୍ଷରୁ ଆସନ୍ତା କାଲିର ରାମ ନବମୀ ପାଳନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଛି ଏବଂ ସମସ୍ତ ପ୍ରକାର ସୁରକ୍ଷା, ଯାତାୟାତ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ପୁରୀ ପୋଲିସ ଦ୍ୱାରା ସମସ୍ତ ଭକ୍ତ ଓ ସାଧାରଣ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ରାମ ନବମୀ ଅବସରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାରେ ପୁଲିସଙ୍କୁ ସହଯୋଗ କରନ୍ତୁ ଏବଂ ଯାତାୟାତ ଓ ସୁରକ୍ଷା ସମ୍ବନ୍ଧୀୟ ନିୟମାବଳୀକୁ ମାନନ୍ତୁ। ପୁରୀ ପୋଲିସ ଦ୍ୱାରା ଏହି ପବିତ୍ର ପର୍ବକୁ ସୁରକ୍ଷିତ, ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବା ପାଇଁ ସମସ୍ତ ମାନଙ୍କର ସହଯୋଗ ଆଶା କରାଯାଉଛି।
