ଭିଏନ କଲେଜରେ ନବୀକରଣ ଇଣ୍ଡୋର ଷ୍ଟାଡିୟମ ଉଦ୍‌ଘାଟିତ

ବ୍ୟାସନଗର: ଯାଜପୁର ରୋଡ଼ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନବୀକରଣ କରାଯାଇଥିବା ଇଣ୍ଡୋର ଷ୍ଟାଡିୟମକୁ ଶନିବାର ପୂର୍ବାହ୍ନରେ ଏକ ଭବ୍ୟ ସମାରୋହରେ କୋରେଇ ବିଧାୟକ ଆକାଶ ଦାସ ନାୟକ ଉଦ୍‌ଘାଟନ କରିଛନ୍ତି । ଟାଟାଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପ୍ରାୟୋଜିତ ଏହି ନବୀକରଣ ପ୍ରକଳ୍ପ ମହାବିଦ୍ୟାଳୟରେ କ୍ରୀଡା ଭିତ୍ତିଭୂମି ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ବିଧାୟକ ନିଜ ଅଭିଭାଷଣରେ କହିଛନ୍ତି । ଏହି ଅବସରରେ କଲେଜ ଅଧ୍ୟକ୍ଷ ଶରତ କୁମାର ମଲ୍ଲିକ ମୂଲ୍ୟବାନ ସହାୟତା ପାଇଁ ଟାଟଷ୍ଟିଲ ଫାଉଣ୍ଡେସନକୁ କୃତଜ୍ଞତା ଜ୍ଞାପନ କରିବା ସହ ସାମ୍ରଗୀକ ଶିକ୍ଷାରେ କ୍ରୀଡାର ଗୁରତ୍ୱ ଉପରେ ଗୁରତ୍ୱାରୋପ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ କ୍ରୀଡାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ ।

କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ପ୍ରଶାସନିକ ମୁଖ୍ୟ ପ୍ରଭାତ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍‌ଘାଟନ କାର୍ଯ୍ୟକ୍ରମଟିକୁ ଆଥଲେଟିକ୍ ଆସୋସିଏସନ (କ୍ରୀଡା ସଂଘ)ର ପ୍ରଭାରୀ ବା ମୁଖ୍ୟ ଜୀବନ ବନ୍ଧୁ ଦାସ ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ନିରଞ୍ଜନ ପୃଷ୍ଟି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟାଷ୍ଟିଲ ଫାଉଣ୍ଡେସନର ଆଞ୍ଚଳିକ ମୁଖ୍ୟ ଏବଂ କର୍ମକର୍ତ୍ତା, କଲେଜର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଏବଂ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ନବୀକୃତ ଷ୍ଟାଡିୟମ ମହାବିଦ୍ୟାଳୟରେ କ୍ରୀଡା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *