୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ ସ୍ୱ-ଗଣନା,ସ୍ୱ-ଗଣନାରେ ସାମିଲ ହେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ ।
୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ ସ୍ୱ-ଗଣନା,ସ୍ୱ-ଗଣନାରେ ସାମିଲ ହେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ ।ପ୍ରଥମ ଥର ପାଇଁ ସମଗ୍ର ପ୍ରକ୍ରିୟାକୁ ଡିଜିଟାଲ ମାଧ୍ୟମରେ କରାଯିବଛତ୍ରପୁର ତା ୩୧। ୦୩ । ୨୬ : ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ୱ-ଗଣନା) ଆସନ୍ତାକାଲି ଅର୍ଥାତ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ନାଗରିକମାନେ ସରକାରୀ ଜନଗଣନା ୱେବସାଇଟ se.census.gov.in ପରିଦର୍ଶନ କରି ଏସ ଇ ଆଇଡି ପ୍ରାପ୍ତ କରନ୍ତୁ । ଦ୍ୱିତୀୟ ପର୍ଯ୍ୟାୟର ଗୃହ ତାଲିକା ଗଣନା ୧୬ ଏପ୍ରିଲରୁ ୧୫ ମେ ୨୦୨୬ ପର୍ଯ୍ୟନ୍ତ ହେବ ଏବଂ ଜନସଂଖ୍ୟା ଗଣନା ଫେବୃଆରୀ ୨୦୨୭ରେ କରାଯିବ। ପ୍ରଥମ ଥର ପାଇଁ ସମଗ୍ର ପ୍ରକ୍ରିୟାକୁ ଡିଜିଟାଲ ମାଧ୍ୟମରେ କରାଯିବ। ଗଣନାକାରୀମାନେ ଘରେ ଘରେ ଯାଇ ମୋବାଇଲ ଆପ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରି କେନ୍ଦ୍ରୀୟ ସର୍ଭରକୁ ପଠାଇବେ, ଯାହା ଫଳରେ ସମସ୍ତ ତଥ୍ୟ ସଠିକ ଭାବେ ସଂଗ୍ରହ କରାଯାଇ ପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଜି ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।।ଏହା ସହିତ ସରକାରୀ ଜନଗଣନା ୱେବସାଇଟ se.census.gov.in ମାଧ୍ୟମରେ ନିଜର ସମସ୍ତ ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ ଜିଲ୍ଲାର ସବୁସ୍ତରର ଜନପ୍ରତିନିଧି, ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସଚେତନ ନାଗରିକମାନଙ୍କୁ ସ୍ୱ-ଗଣନାରେ ସାମିଲ ହୋଇ ନିଜର ତଥ୍ୟ ଦାଖଲ କରିବା ସହିତ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବା ପାଇଁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ଜିଲାବାସୀଙ୍କୁ ଗଣନାକାରୀମାନଙ୍କୁ ସଠିକ ତଥ୍ୟ ଯୋଗାଇବାକୁ ଅନୁରୋଧ କରିଥିବା ବେଳେ, ଏହି ଜନଗଣନାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଆଜି ଜିଲ୍ଲାପାଳ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲି ଲୋକମାନଙ୍କୁ ଜନଗଣନାରେ ସକ୍ରିୟ ଭାଗନେବା ଓ ଆବଶ୍ୟକୀୟ ସହଯୋଗ କରିବା ପାଇଁ ସଚେତନ କରିବ। ଏହା ସହ ପାଲା, ଦାସକାଠିଆ ଆଦି ପାରମ୍ପରିକ ମାଧ୍ୟମ ଦ୍ୱାରା ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯିବ। ଜନଗଣନା ୨୦୧୧ ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜନସଂଖ୍ୟା ୩୫ ଲକ୍ଷ ୨୯ହଜାର ୩୧ ଅଟେ। ଆସନ୍ତା ଜନଗଣନା ପାଇଁ ୭୧୧୫ ଜଣ ଗଣନାକାରୀ ନିଯୁକ୍ତି ହୋଇଥିବା ବେଳେ ୧୨୫୪ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି। ଡିଜିଟାଲ ପ୍ରଣାଳୀ ଦ୍ୱାରା ପାରଦର୍ଶିତା, କାର୍ଯ୍ୟକୁଶଳତା ଓ ଲୋକମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ, ଯାହା ଜନଗଣନା–୨୦୨୭ କୁ ଅଧିକ ବିଶ୍ୱସନୀୟ ଓ ସଫଳ କରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
