କାକଟପୁର ମାମଙ୍ଗଳାଙ୍କ ଚୈତ୍ର ଚତୁର୍ଥ ମଙ୍ଗଳବାର ପାଳି ଯାତ୍ରା

କାକଟପୁର- ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଦିଆଯାଏ। ଏବଂ ମା ଙ୍କର ରାଜରାଜେଶ୍ଵରୀ ବେଶ ଦର୍ଶନ କରିବା ସହ ସୀମନ୍ତିନୀ ଗଣ ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି। ପ୍ରାୟତଃ ମଧ୍ୟାହ୍ନ ସମୟରେ ଶାରଳା ପୀଠ ରୁ ଆସିଥିବା ରାଉଳ ସେବକ ମାନେ ଓ ଭୋଇ ସେବକ ମାନେ ମା’ ଙ୍କର ଆଜ୍ଞାମାଳ ପାଇବା ପର ଘଣ୍ଟ, ଢୋଲ ଓ କାହାଳୀ ମଧ୍ଯରେ ପ୍ରାଚୀ ନଦୀ ର ଘରତୋଳା ତୁଠ କୁ ଗମନ କରି ସେଠାରେ ପଞ୍ଚମୁଖୀ ଘଟରେ ପ୍ରାଚୀ ରୁ ପାଣି ତୋଳି ସାରି ମନ୍ଦିର କୁ ଫେରନ୍ତି। ଘଣ୍ଟ ପାଟୁଆ ସେବକ ମାନେ ନିଜକୁ ନାରୀ ବେଶରେ ସଜାଇ ହୋଇଥାନ୍ତି। ମନ୍ଦିର ଫେରିବା ପରେ ଘଣ୍ଟ ପାଟୁଆ ନୃତ୍ୟ କରିଥାନ୍ତି। ପାଟୁଆ ନୃତ୍ୟ ସମାପନ ହୁଏ। ଏହାପରେ ମନ୍ଦିର ଗର୍ଭଗୃହ ଖାଲି କରାଯାଇ ଦ୍ବିପ୍ରହର ଧୂପ ଓ ଭଅଣ୍ଡ ଧୂପ କରାଯାଏ ଏବଂ ଦ୍ବିପ୍ରହର ପହୁଡ ପଡେ। ସଂନ୍ଧ୍ଯା ଆଳତି କରାଯାଇ ଉଲାଗି ଓ ମାର୍ଜନା କରାଯାଏ। ବେଶ ପରେ ଭାଗବତ ପାଠ ହୁଏ । ପ୍ରାୟତଃ ମଧ୍ଯରାତ୍ରି ସମୟରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ଖମାରେଇ ପରିବାର ଏଥିପାଇଁ ଉଦ୍ଦିଷ୍ଟ। ନିର୍ଦ୍ଦିଷ୍ଟ ବ୍ୟକ୍ତି ଦିନସାରା ଉପବାସ କରିଥାଏ। ରାତ୍ରି ପ୍ରାୟ ୧୧ ଟାରେ ଦେବୀ ଙ୍କର ପୂର୍ବତନ ଗୋଶାଳା ରେ ମହାକାଳୀ ବେଶରେ ସଜ୍ଜିତ ହୋଇ ଖଡ୍ଗ ଧାରଣ ପୂର୍ବକ ଘଣ୍ଟ, ଢୋଲ, ମହୁରୀ, ମଶାଲ ମଧ୍ୟରେ ମା ଙ୍କ ମନ୍ଦିର ଅଭିମୁଖେ ନାଚି ନାଚି ଯାତ୍ରା

କରେ। ଏକଥର ବେଢା ପରିକ୍ରମା କରି ମନ୍ଦିର ମଧ୍ଯକୁ ପ୍ରବେଶ କରେ। ମା ଙ୍କର ସଂନ୍ଧ୍ଯା ଆଳତି ର ପରବର୍ତ୍ତୀ ବେଶକୁ ଦର୍ଶନ କରି ଦକ୍ଷିଣ ଦ୍ବାର ଦେଇ ନିର୍ଗତ ହୁଏ। ନାନା ବାଦ୍ୟ ମଧ୍ୟରେ ଓ ଦର୍ଶକ ମାନଙ୍କ ଦ୍ଵାରା ବେଷ୍ଟିତ ହୋଇ ଏହି ଚତୁର୍ଥ ପାଳିରେ ଚାରି ଥର ବେଢା ପରିକ୍ରମା କରି କାକଟେଇଙ୍କ ମନ୍ଦିରକୁ ତିନି ଥର ପରିକ୍ରମା କରି ଦେବୀ ଙ୍କ ପୂର୍ବତନ ଗୋଶାଳା ଅଭିମୁଖେ ନାଚି ନାଚି ଚାଲିଥାଏ। ଗୋଶାଳା ନିକଟରେ ନିସ୍ତେଜ ହୋଇ ପତିତ ହୁଏ ଓ କାଳିକା ନାଚ ର ସମାପ୍ତି ଘଟିଥାଏ। ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣୀ ନୀତି ଅନୁଷ୍ଠିତ ହୋଇଥାଏ।ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମା’ ଙ୍କର ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମା ଙ୍କୁ ଗୋଟିଏ ଆସନରେ ରଖି ମା’ ଙ୍କର ମନ୍ଦିର ର ବେଢା କୁ ତିନି ଥର ପରିକ୍ରମା କରାଯାଇଥାଏ। ଏହାପରେ ମନ୍ଦିର କୁ ଫେରାଇ ନିଆଯାଇ ସିଂହାସନ ଉପରେ ‘ଭ୍ରମଣୀ ଭୋଗ’ ନାମରେ ଏକ ବାଲ୍ୟ ଭୋଗ ଅର୍ପଣ କରାଯାଇଥାଏ। ଏହାପରେ ମା’ ଙ୍କର ପହଡ ପଡିଥାଏ।

Leave a Reply

Your email address will not be published. Required fields are marked *