କୋଣାର୍କ ଅଞ୍ଚଳର “ନଟ୍ ଫାଇନାଲ” ଜମି ସମସ୍ୟା ଦୂର କରିବାକୁ ଅନୁରୋଧ

ଗୋପ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ କେନ୍ଦ୍ର କରି କୋଣାର୍କ ଅଞ୍ଚଳରେ ପର୍ଯ୍ୟଟନ ଓ ସ୍ଥାନୀୟ ଅର୍ଥନୀତିର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ “ନଟ୍ ଫାଇନାଲ” ଜମି ସମସ୍ୟା ଏଥିରେ ବଡ଼ ବାଧା ହେଉଥିବା ଅଭିଯୋଗ ଉଠିଛି।ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ଓ ଡିଏଲପିସି, ପୁରୀ ଜିଲ୍ଲା ଧାନ ସଂଗ୍ରହ କମିଟି ର ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ(ଲୁଲୁ) ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ଚିଠି ଲେଖି ତତ୍କାଳ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ, କୋଣାର୍କ ତହସିଲ ଅନ୍ତର୍ଗତ କୋଣାର୍କ, ମାଧିପୁର, କୁରୁଜଙ୍ଗ, କୁଞ୍ଜ, ବେରୁଂହ, ବାଲିଘାଇ, ବାଙ୍ଗରବରପଦା, ଭୁଆଁ, ଜମରା, ସୁତନ, ତରକୋର, ଗଡବାଙ୍ଗର ଓ ଖାଲକଟପାଟଣା ସହିତ ଅନେକ ମୌଜାରେ ଦୀର୍ଘଦିନ ଧରି ଜମି “ନଟ୍ ଫାଇନାଲ” ଅବସ୍ଥାରେ ରହିଛି। ଏହି ସମସ୍ୟା ପାଇଁ ସ୍ଥାନୀୟ ଜନସାଧାରଣ ଓ ଉଦ୍ୟୋଗୀମାନେ ନିବେଶ କରିବାରେ ଅସମର୍ଥ ହେଉଛନ୍ତି।ଜମିର ଆଇନଗତ ଅଧିକାର ନଥିବାରୁ ବ୍ୟାଙ୍କ ଋଣ ମିଳୁନାହିଁ, ଯାହା ଛୋଟ ହୋଟେଲ, ହୋମସ୍ଟେ ଓ ପର୍ଯ୍ୟଟନ ସଂପର୍କିତ ବ୍ୟବସାୟର ବିକାଶକୁ ବାଧା ଦେଉଛି। ଏଥି ସହିତ ସ୍ଥାନୀୟ ଉଦ୍ୟମିତା ଓ ଜୀବିକାର ମାନ ମଧ୍ୟ ଆଶାନୁରୂପ ଭାବେ ବୃଦ୍ଧି ପାଉନାହିଁ।ସେ କହିଛନ୍ତି ଯେ, ନିମାପଡାରେ ସମ୍ପ୍ରତି “ନଟ୍ ଫାଇନାଲ” ଅଞ୍ଚଳକୁ ଫାଇନାଲ କରି ପଟ୍ଟା ବଣ୍ଟନ କରାଯାଇଥିବା ଏକ ସଫଳ ମଡେଲ ଭାବେ ପ୍ରମାଣିତ ହୋଇଛି, ଯାହାକୁ କୋଣାର୍କରେ ମଧ୍ୟ ଲାଗୁ କରିବା ଦରକାର।ଏହି ପରିପ୍ରେକ୍ଷିତରେ ସେ କୋଣାର୍କ ଅଞ୍ଚଳରେ ତତ୍କାଳ ସର୍ଭେ ଓ ସେଟଲମେଣ୍ଟ ପ୍ରକ୍ରିୟା ଆରମ୍ଭ, ଶୀଘ୍ର ରେକର୍ଡ ଅଫ୍ ରାଇଟ୍ସ ଫାଇନାଲ କରିବା ଓ ଯୋଗ୍ୟ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।ଏହା ଦ୍ୱାରା କୋଣାର୍କର ପର୍ଯ୍ୟଟନ ଓ ସ୍ଥାନୀୟ ଅର୍ଥନୀତିର ସମ୍ପୂର୍ଣ୍ଣ ସମ୍ଭାବନା ଉନ୍ମୋଚିତ ହେବା ସହିତ ଲୋକଙ୍କ ଜୀବନ ମାନରେ ମୂଲ୍ୟବାନ ସୁଧାର ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *