PMSMAର ୧୦ ବର୍ଷ ପୂର୍ତ୍ତି ଉତ୍ସବ:

PMSMAର ୧୦ ବର୍ଷ ପୂର୍ତ୍ତି ଉତ୍ସବ: ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ସଭା, ମାତୃ-ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ।ମାଥିଲି, ୯ ଜୁନ: ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (PMSMA)ର ସଫଳ ୧୦ ବର୍ଷ ପୂର୍ତ୍ତି ଅବସରରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ (SDH) ପରିସରରେ ଆଜି ରୋଗୀ କଲ୍ୟାଣ ସମିତି (RKS)ର ଏକ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଯାଇଛି। ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବାର ଉନ୍ନତି, ଗୁଣାତ୍ମକ ଚିକିତ୍ସା ସୁବିଧା ପ୍ରଦାନ ଏବଂ ହସ୍ପିଟାଲର ସାମଗ୍ରିକ ବିକାଶ ନେଇ ସଭାରେ ବିସ୍ତୃତ ଆଲୋଚନା ହୋଇଥିଲା।ସଭାରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗଦେଇ PMSMA ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ସହିତ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା, ବିଡିଓ ପ୍ରମୋଦ କୁମାର ବେହେରା, ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ବସନ୍ତ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ଲକ୍ଷ୍ମୀପ୍ରିୟା ନାୟକ,ବିପିଏମ୍ ଅଭିଜିତ ସଡ଼ଙ୍ଗୀଙ୍କ ସମେତ ବହୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ କଂଗ୍ରେସ ବରିଷ୍ଠ ନେତା ସୃତି ରଞ୍ଜନ ପାଡ଼ି ଆଶା ଦିଦି ଏବଂ ଜନପ୍ରତିନିଧି ଉପସ୍ଥିତ ଥିଲେ। ଅତିଥିମାନେ କହିଥିଲେ ଯେ, PMSMA ଯୋଜନା ଗତ ଦଶ ବର୍ଷ ଧରି ଗର୍ଭବତୀ ମହିଳାଙ୍କ ପାଇଁ ସୁରକ୍ଷିତ ମାତୃତ୍ୱ ସୁନିଶ୍ଚିତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଗର୍ଭଧାରଣର ଚିହ୍ନଟ, ସମୟୋପଯୋଗୀ ଚିକିତ୍ସା ପରାମର୍ଶ ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ମା’ ଓ ଶିଶୁଙ୍କ ଜୀବନ ସୁରକ୍ଷିତ ହୋଇପାରିଛି।ସଭାରେ ହସ୍ପିଟାଲର ଭିତ୍ତିଭୂମି ବିକାଶ, ଆଧୁନିକ ଚିକିତ୍ସା ଉପକରଣର ଉପଲବ୍ଧତା, ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ସ୍ୱାସ୍ଥ୍ୟସେବାର ମାନ ଆହୁରି ବୃଦ୍ଧି ପାଇଁ ସମନ୍ୱିତ ଉଦ୍ୟମ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇବା ସହିତ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।ଶେଷରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଅଞ୍ଚଳବାସୀଙ୍କ ପାଇଁ ଏକ ଆଦର୍ଶ, ଆଧୁନିକ ଏବଂ ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ସମସ୍ତଙ୍କ ମିଳିତ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *